Unknown

ଇରାନ୍‌ର ରାଣୀ

ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ - ଦ୍ରାକ୍ଷାକ୍ଷେତ୍ର

 

( ଗୋଟିଏ ପଞ୍ଚଦଶ ବର୍ଷୀୟ ସୁନ୍ଦର ଯୁବକ ଖଣ୍ଡିଏ ପତ୍ର ପଢ଼ୁ ପଢ଼ୁ ଉପସ୍ଥିତ ହେଲା )

ଦାରା

(ପତ୍ରଟି ପକେଟରେ ରଖି ଦେଇ) ଏମାନେ ମୋର କେହି ନୁହନ୍ତି, ଅଥଚ ମୋତେ ପ୍ରାଣ ଅପେକ୍ଷା ଭଲପାନ୍ତି । ନାସିରଙ୍କ ଅପତ୍ୟସ୍ନେହ ମୋର ମନପ୍ରାଣକୁ ବାନ୍ଧି ଦେଇଛି । ଗୁଲ୍ଲରା ଅପ୍ରାପ୍ତ ବୟସ୍କା ବାଳିକା ହେଲେ ସୁଦ୍ଧା ସେ ମୋର ଜୀବନସଙ୍ଗିନୀପରି ନାନା କ୍ରୀଡ଼ାକୌତୁକରେ ମୋତେ ମଜାଇ ରଖିଛି । କିନ୍ତୁ ଏ ପର୍ଯ୍ୟନ୍ତ ମୁଁ ଜାଣି ନ ଥିଲି ଯେ, ମୁଁ କିଏ ? କିପରି ଏଠାରେ ଏମାନଙ୍କ ସ୍ନେହାଧୀନ । ଏ ପତ୍ରଖଣ୍ଡିକ ଆଜି ମନରେ ଜୀବନର ଅତୀତ କାହାଣୀ ଜଗାଇ ଦେଉଛି; କିନ୍ତୁ ପରିଷ୍କାର ତ ଲେଖିଲେ ନାହିଁ ! କହିଛନ୍ତି ସାକ୍ଷାତ୍‌ରେ ସମସ୍ତ କଥାବର୍ତ୍ତା । କାଲି ତାଙ୍କ ନିକଟ ଯିବାକୁ ହେବ । ନିର୍ଦ୍ଦିଷ୍ଟ ସମୟରେ ସେ ମୋତେ ଅପେକ୍ଷା କରି ରହିଥିବେ । ପୁଣି ଲେଖିଛନ୍ତି, ତୁମେ ତୁମର ଜୀବନ କାହାଣୀ ଶୁଣିଲେ, ତୁମର ସମସ୍ତ ମାୟା ମମତା ସବୁଆଡ଼ୁ ଭୁଲିଯାଇ ଆତ୍ମବିସ୍ମୃତ ହୋଇଯିବ । ତାହାହେଲେ ଗୁଲ୍ଲରାକୁ ଯେ ମୁଁ (ବେଦିକା ଉପରେ ବସି ପଡ଼ିଲେ ଚିନ୍ତିତଭାବେ, ପଛଆଡ଼ୁ ଛପି ଛପି ଧୀରେ ଗୁଲ୍ଲରା ଆସି ଦାରାର ଆଖି ଦୁଇଟି ବୁଜି ଧରିଲା । ଦାରା କହିପାରିଲା ନାହିଁ । ଗୁଲ୍ଲରା ତହୁଁ ହାତ ଛାଡ଼ିଦେଇ ଦାରା ମୁହଁକୁ ଚାହିଁ ହସିଦେଲା ।)

 

(ଗୀତାନ୍ତେ ଦାରା ବସି ପଡ଼ିଲା, କୋଳରେ ଗୁଲ୍ଲରା ବସି ପଡ଼ିଲାବେଳକୁ ଗୋଟିଏ ସର୍ପକୁ ଦେଖି ଦାରା କହିଲା ‘ଓଃ ସାପ’ ଗୁଲ୍ଲରା ଛୁରୀରେ ସାପଟାକୁ ହାଣିଦେଲା ) ।

ଦାରା

ଗୁଲ୍ଲରା, ତୁମେ ମୋତେ ବଞ୍ଚାଇ ଦେଲ । ତୁମର ଏ ଉପକାର ଭୁଲିପାରିବି ନାହିଁ । କିନ୍ତୁ ଆଜି ଯେ ମୁଁ ତୁମ୍ଭଠାରୁ ବିଚ୍ଛିନ୍ନ ହୋଇଯାଉଛି ।

ଗୁଲ୍ଲରା

କେଉଁଠାକୁ ?

ଦାରା

ସେ କଥା କହିବାକୁ ମନା ଅଛି । ଯଦି ଭଲରେ ଫେରେ ତେବେ ଦେଖା, ନଚେତ୍‌

ଗୁଲ୍ଲରା

ତେବେ ଏତେ ବଡ଼ ଜୀବନଟା ତ ରଖିଲି, ପୁରସ୍କାର ତ କିଛି ପାଇଲି ନାହିଁ !

ଦାରା

କାହିଁକି, ମୁଁ ତ ପୁରସ୍କାର ଦେଲି ।

ଗୁଲ୍ଲରା

କାହିଁ ?

ଦାରା

ମୋର ପ୍ରାଣ ଯେ !

ଗୁଲ୍ଲରା

ହଉ ବୁଝିଲି, ଚାଲ ସଞ୍ଜ ହୋଇ ଆସିଲାଣି ଘରକୁ ଯିବା ।

ଦାରା

(ମନ ଶୁଖାଇ) ଗୁଲ୍ଲରା, ମୋତେ ଆଜି କାହିଁକି କିଛି ଭଲ ଲାଗୁନାହିଁ । ମୋର ମନ କେମିତି ଜଣାଯାଉଛି ।

ଗୁଲ୍ଲରା

ହଉ ଘରକୁ ଚାଲ, ତମ ମୁଣ୍ଡରେ ଟିକିଏ ଥଣ୍ଡା ତେଲ ମାଲିସ କରିଦେବି, ସବୁ ଭଲ ହୋଇଯିବ ଯେ । (ଉଭୟ ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

କୁଟୀର

 

(ନାସିର ଖାଁ ଏକ ଖଟିଆ ଉପରେ ଉପବିଷ୍ଟ)

ନାସିର୍‌

ହା ଖୋଦା, ତୁମ୍ଭର ଲୀଳା ବୁଝିବା ବଡ଼ କଠିନ । କି ଦୋଷରେ ଏତେ ବଡ଼ ରାଜ୍ୟଟା ଛାରଖାର ହୋଇଗଲା । ସମ୍ରାଟ୍‌ ଜାଫର ସାହଙ୍କ ମୃତ୍ୟୁରେ ଏ ରାଜ୍ୟର ମେରୁଦଣ୍ଡ ଭାଙ୍ଗିଯାଇଛି । ପୁଣି କ’ଣ ରାଜ୍ୟ ପାଳନ ହେବ ? ନବୀନ ସମ୍ରାଟ୍‌ଙ୍କ ସୁଶାସନରେ ପ୍ରଜାମାନେ ଆନନ୍ଦରେ ରହିବେ । ଏହି ଦାରା, ସରଳ ବାଳକଟି ସଂସାରର କଥା କିଛି ଜାଣେ ନାହିଁ ? ଏ ପର୍ଯ୍ୟନ୍ତ ନିଜର ବଂଶର ପରିଚୟ ମଧ୍ୟ ପାଇନାହିଁ, ବାପ ମା’ଙ୍କର ନାମ ପର୍ଯ୍ୟନ୍ତ ଜାଣେନା, କିପରି ବା ଜାଣିବ ? ଜନ୍ମ ପରେ ପରେ ତ ଅଦ୍ଭୁତ ଘଟଣା ! ଏଇ ବାଳକ କ’ଣ ସତେ ରାଜ୍ୟ ଫେରିପାଇ ପାଳନ କରିବ, ପ୍ରଜାମାନଙ୍କର ମଙ୍ଗଳାମଙ୍ଗଳ ବୁଝିବ ? ସମ୍ଭବ ନୁହେ । ଆହା, ପ୍ରଭୁଭକ୍ତ ମୋବାରକ, ରାଜ୍ୟର ଶେଷ ପ୍ରଦୀପଟି ମୋ ଘରେ ଜାଳି ଦେଇ କେଉଁଠି ରହିଲ । ଆଜକୁ ପ୍ରାୟ ପନ୍ଦର ବର୍ଷ ତଳର କଥା । ଚାହୁଁ ଚାହୁଁ ଦିନ ଗଡ଼ିଗଲା । ସେ ତ କାହାକୁ ଅପେକ୍ଷା କରେ ନାହିଁ ! ଏ ସବୁ କଥା ମନେପଡ଼ିଲେ ପ୍ରାଣ କାନ୍ଦିଉଠେ, କିନ୍ତୁ ମୋ

ପରି ଲୋକଦ୍ୱାରା ବା କଅଣ ହୋଇପାରେ !

ଗୁଲ୍ଲରା

(ବାପକୁ କୁଣ୍ଢାଇ ପକାଇ) ଚଚ୍ଚା ଚଚ୍ଚା ! ତୁମ୍ଭେ ଏଠାରେ, ମୁଁ ତୁମକୁ କେତେ ଖୋଜି ଖୋଜି ଆସିଲିଣି ଗୋଟିଏ କଥା କହିବି ବୋଲି । ନସିର କି କଥା ଲୋ ମା !

ଗୁଲ୍ଲରା

ଦାରାଙ୍କ ମୁହଁ କାହିଁକି ଶୁଖି ଯାଇଛି ? କାରଣ କଣ ? ମୁଁ ତାଙ୍କୁ ଯେତେ ପଚାରିଲି ଏହାର କାରଣ କ’ଣ, ସେ ମୋତେ କହିଲେ ଏହାର ଗୂଢ଼ ମର୍ମ ତୁ କିଛି ବୁଝିପାରିବୁ ନାହିଁ । ତୁମେ ଯାଅ, ଚଚ୍ଚା ତାଙ୍କୁ ବୁଝାଇ ସୁଝାଇ ଦିଅ । ସେ କଣ ଏତେ ଭାବୁଛନ୍ତି; ନଚେତ୍‌ ତମର ଘରକୁ ଯିବାର ଯଦି ଡେରି ଅଛି, ମୁଁ ତାଙ୍କୁ ଏଇଠାକୁ ଡାକି ଆଣୁଛି । ( ପ୍ରସ୍ଥାନ )

ନସିର୍‌

ହଁ, ଖୋଦା ! କାହାକୁ ବୁଝାଇବି, ଆଉ କଅଣ କହି ବୁଝାଇବି ! ଯେ କି କଅଁଳିଆ ଶେଯରେ ଶୋଉଥାନ୍ତେ, ତାଙ୍କୁ କିନା ମୁଁ ଧୂଳିରେ ଶୁଆଇଛି, ଯେ ରାଜପ୍ରାସାଦରେ ବାସ କରୁଥାନ୍ତେ, ତାଙ୍କୁ ମୁଁ ଭଙ୍ଗା କୁଡ଼ିଆରେ ରଖିଛି । ମୁଁ ସେ ଐଶ୍ୱର୍ଯ୍ୟ ବା କାହୁଁ ପାଇବି ! ମୋବାରକ ସାହା ମୋତେ କାହିଁକି ଏ ଗୁରୁ ଦାୟିତ୍ୱ ଦେଇଗଲେ ? ମୁଁ ଗରିବ ଲୋକ, ମୋର ଶକ୍ତି କେତେ ?

 

(ଦାରା ଶୀଘ୍ର ପ୍ରବେଶ କଲା)

ଦାରା

ଚଚ୍ଚା, ଚଚ୍ଚା ! ଆଉ ତୁମ୍ଭମାନଙ୍କୁ ମୋ ପାଇଁ କଷ୍ଟ ସହିବାକୁ ହେବନାହିଁ । ଆଜି ସକାଳେ ଘୋଡ଼ା ପିଠିରେ ଚଢ଼ି କିଏ ଗୋଟିଏ ଯୁବକ ମୋତେ ଏ ପତ୍ରଖଣ୍ଡିକ ଦେଇଯାଇଛନ୍ତି । ସେହି ମୁହୂର୍ତ୍ତରୁ ମୋ ମନ ଅନ୍ୟ ରକମ ହୋଇଯାଇଛି । ଏ ପତ୍ରର ପ୍ରତି ଅକ୍ଷର ମୋର ସମସ୍ତ ଶକ୍ତିକୁ ଏକତ୍ରିତ କରି ଜଗାଇ ଦେଇଛି । ମୁଁ ଆଜି ସବୁ ବୁଝି ପାରିଛି । ସେଥିଲାଗି ତୁମ ପାଖରୁ ବିଦାୟ ନେବାକୁ ଆସିଛି । କାଲି ସକାଳ ୧୨ଘଣ୍ଟା ପୂର୍ବରୁ ମୋତେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ହେବ ।

ନସିର୍‌

କାହିଁ ପତ୍ର, ଦେଖେଁ ? (ଦାରାଠାରୁ ପତ୍ର ନେଇ ପଢ଼ିସାରି) ହଁ, ଏବେ ମୁଁ ସବୁ ବୁଝିଲି । ଏ ଘଟଣା ଦିନେ ଘଟିବ ବୋଲି ମୁଁ ଭଲ କରି ଜାଣେ । କିନ୍ତୁ ସାବଧାନ ! ଏ କଥା କାହାରି ପାଖରେ କହିବ ନାହିଁ, ଏହା ଅତି ଗୋପନୀୟ ପତ୍ର । ମୋତେ ନିଷେଧ ଥିବାରୁ ମୁଁ ତୁମକୁ ଏ ପର୍ଯ୍ୟନ୍ତ କହି ନଥିଲି । ପ୍ରକୃତରେ ଏ ପତ୍ରର ସାର ମର୍ମ ଖୁବ୍‌ ସତ୍ୟ ।

ଦାରା

ଚଚ୍ଚା, ଚଚ୍ଚା ! ମୋତେ ବୁଝାଇ ଦିଅ । କଅଣ ମୋ ଜନ୍ମ ବୃତ୍ତାନ୍ତ ଆଉ ମୋର ପିତା ମାତାଙ୍କର ନାମ କ’ଣ ? କେଉଁ ବଂଶଧର ମୁହିଁ ?

ନସିର୍‌

କହିପାରେ ନା, ସେ ଶକ୍ତି ମୋର ନାହିଁ । ଇଉସୁଫ୍‌କୁ ସଙ୍ଗରେ ନେଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଅ । ସେଇଠାରୁ ସମସ୍ତ ବୁଝିପାରିବ; କିନ୍ତୁ ଏଇ ବଡ଼ ଦୁଃଖ ଯେ; ମୋର ଗୁଲ୍ଲରାର ଦଶା କଣ ହେବ ? ସେ ତ ଦଣ୍ଡେ ତୁମକୁ ନ ଦେଖିଲେ ସ୍ଥିର ହୋଇ ରହିପାରିବ ନାହିଁ ? ତାକୁ ଏବେ କ’ଣ କହି ବୁଝାଉଛି, ସେ ତ ଏ କଥା ଶୁଣିଲେ ଜୀବନ ହରାଇଦେବ । (ସ୍ୱଗତଃ) ଚନ୍ଦ୍ରମାକୁ ଏତେଦିନ ଘରେ ବାନ୍ଧି ରଖିଥିଲି, ଆଜି ଆମ ଘର ଅନ୍ଧାର କରି ଚାଲିଯିବ । ଧନ୍ୟ ମୋବାରକ ସାହା, ତୁମେ କେବଳ ବୀର ନୁହଁ, ପ୍ରଭୁଭକ୍ତ, ଚତୁର, ସାହସୀ । ତୁମକୁ ଖୋଦା ବଞ୍ଚାଇ ରଖନ୍ତୁ । ଯା ହେଉ ଖୋରାସାନ ଅବଜକ ହୋଇ ପଡ଼ିଥିଲା, ପୁଣି ନୂତନ ରାଜାଙ୍କ ଶାସନରେ ଶାସିତ ହେବ ।

ଦାରା

ସମସ୍ତଙ୍କଠୁଁ ବିଦାୟନେଇ ଆସିଲିଣି, କେବଳ ତୁମଠୁଁ ବିଦାୟ ନେବାକୁ ଆସିଛି ।

ନସିର

ଗୁଲ୍ଲରା କ’ଣ ଜାଣେ ?

ଦାରା

ନା ଜାଣେନା, ତା ସାଙ୍ଗରେ ଦେଖା ହେଲେ ତ ଯାଇପାରିବି ନାହିଁ । ମୁଁ ରାତ୍ର ଥାଉଁ ଉଠି ଚାଲିଯିବି, ସଲାମ ।

ନସିର

ଆଚ୍ଛା ରହୋ ବେଟା (ମୁଣ୍ଡରେ ହାତ ବୁଲାଇ ଦେବା)

ଦାରା

ଆସୁଛି (ପ୍ରସ୍ଥାନ)

ନସିର

(ଦୁଃଖରେ) ଦାରା, ନା ଥାଉ, ଘର ଅନ୍ଧାର କରି ଚାଲିଗଲ । (ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

(ପ୍ରମୋଦ ଉଦ୍ୟାନରେ ଇରାନର ରାଣୀ ସଙ୍ଗରେ କେତୋଟି ପରିଚାରିକା, ନର୍ତ୍ତକୀଟିଏ ଗୀତଗାଇ ଚାଲିଗଲା)

 

(ଗୀତ) ସଂଗୃହୀତ

କୁହୁ କୁହୁ କୋଇଲି ଡାକିଦେଲା ତାନେ ।

ଉଜାଗରେ ଜାଗିଲୁ            ସାରା ନିଶି କି ତୁ

ଚାହିଁଲୁ ନୀଳ ମେଘେ       ହସେ ପାହାନ୍ତି ତାରା

ମଧୁପ ତୁ ଦଗାଦାର ହେଲୁ କାହା ପ୍ରେମେ ।୧।

ଗନ୍ଧ ଚୋରା ସମୀର        ପରଶେ ଅଙ୍ଗ ମୋର

ଝାଉଁଳି ଗଲା ଲାଜେ       ସୁବାସ ତନୁସାରା

ବାସି ଶେଯେ ମଲି ଲାଜେ ବସିଲି ମୁଁ ଅଭିମାନେ ।୨।

 

୧ମ

ପରିଚାରିକା

ସାମ୍ରାଜ୍ଞୀ, ଆପଣଙ୍କର କେଉଁକଥା ଅଭାବ ଯେ, ଆପଣ ସଦାବେଳେ ଆଖିରୁ ଲୁହ ଝରାଉଛନ୍ତି ! ଆପଣ ଯାହା ଖାଇକରି ବା ବ୍ୟବହାର କରି ଫିଙ୍ଗି ଦେଉଛନ୍ତି, ତାହା ଅନ୍ୟ ଅନ୍ୟ ଲୋକ ପାଉ ନଥିବେ । ଆପଣଙ୍କର ଗୋଟାଏ ଦୁଃଖ କଣ ।

ରାଣୀ

କେବଳ ଖାଇବା ପିନ୍ଧିବା ଜୀବନର ଏକମାତ୍ର ସୁଖ ନା, ନାରୀ ଜନ୍ମରେ ଅନ୍ୟ କିଛି ସୁଖ ନାହିଁ ।

୨ୟ

ଆମର ପେଟକୁ ମୁଠାଏ ଖାଇବା, ଦେହକୁ ଖଣ୍ଡେ ପିନ୍ଧିବା, ଏତକ ହେଲେ ଆଉ କୋଉ କଥାକୁ ଚିନ୍ତା ନାହିଁ ମ ।

୧ମ

ନାଇଁ ଲୋ, ଆଉ କିଛି ଭିତିରି କଥା ଅଛି । ବାହାର କଥା ସିନା ସମସ୍ତେ ଜାଣିବେ, ଅନ୍ତର କଥା କିଏ ଜାଣିବ ! ବିବାହ ହେବାର ଦେଢ଼ ବର୍ଷ ପୂରିଗଲା, ସନ୍ତାନଟିଏ ।

ରାଣୀ

ଦୂର୍‌ କର ।

୨ୟ

ନାଇଁ ସନ୍ତାନଟିଏ ହେଲେ ଭଲ ହୁଅନ୍ତା ।

ରାଣୀ

ତୋ ମୁଣ୍ଡଗଣ୍ଡି, ଏଠୁ ଯା ଚାଲିଯା । ପେଟ ମୁଠାକ ପାଇଁ ଚାକିରୀ କରିଛ, ସେତେକ ପାଇଲେ ତୁମର ବେଶ୍‌, ଅନ୍ୟ କାହାର କେଉଁ କଥା ତୁମେ କଅଣ ଜାଣିବ ?

୧ମ

ଜାଣୁଛୁ, ସବୁ ଜାଣୁଛୁ, ପ୍ରାଣ ଟିକିକକୁ ଭରଷା ରଖି ସବୁ କଥା ଅଗ ଜିଭରୁ ଲେଉଟି ଯାଉଛି ।

୨ୟ

ହେଇତି ଲୋ, ବାଦ୍‌ସାହା ଏଣେ ବିଜେ ହେଉଛନ୍ତି । ଏ ସମୟେ ଦାଉଦ୍‌ ସାହା ପହଞ୍ଚି ଗଲେ । ପରିଚାରୀକାମାନେ ସମ୍ମାନ ଜଣେଇ ଚାଲିଗଲେ ।

ଦାଉଦ୍‌ ସାହ

ସାମ୍ରାଜ୍ଞୀ, ତୁମର ରୂପର ଶିରୀ ଏ ଅଷ୍ଟରତ୍ନ ଅଳଙ୍କାରଗୁଡ଼ାକୁ ହୀନତେଜ କରି ପକାଉଛି ।

ରାଣୀ

ତେବେ ଖୋଲି ରଖି ଦେଲେ ଭଲ ହୁଅନ୍ତା ।

ଦାଉଦ୍‌ ସାହା

ତା ଅର୍ଥ, ମୁଁ କଅଣ ତୁମକୁ ଭୂଷଣହୀନା ହେବାକୁ କହୁଛି ।

ରାଣୀ

ହଁ ବୁଝିଛି, ମୋର ରୂପର ପ୍ରଶଂସା କରୁଛ । ସେ ପ୍ରଶଂସା ଶୁଣିବାକୁ ମୁଁ ଆକାଂକ୍ଷିତ ନୁହେଁ ।

ଦାଉଦ୍‌

କିନ୍ତୁ ମୁଁ ଯେ ତୁମକୁ ପାଇ ଧନ୍ୟ ହୋଇଛି । ତୁମର ସ୍ପରଶରେ ମୋର ଏ ବାର୍ଦ୍ଧକ୍ୟଗ୍ରସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଉଲ୍ଲସିତ ହୋଇଉଠୁଛି । ତୁମେ ମୋର ଶେଷ ଜୀବନର ଶାନ୍ତିଦାୟିନୀ ଦର୍ଶନୀୟ ମୂର୍ତ୍ତି । ତୁମରି ସେବା ପୂଜାରେ, ତୁମରି ରୂପର ସ୍ରୋତରେ ମୋର ଜୀବନ ତରିଟାକୁ ବାହିନେବି । ତୁମର ରୂପର ତୁଳନାରେ ରାଜ୍ୟ, ଐଶ୍ୱର୍ଯ୍ୟ ସବୁ ତୁଚ୍ଛ । ତୁମର ଦର୍ଶନରେ ମୁଁ ସ୍ୱର୍ଗସୁଖ ଅନୁଭବ କରୁଛି ।

ରାଣୀ

ଏତିକିରେ ମୁଁ ତୃପ୍ତ, ଏଇଆ ମୋଠାରୁ ଶୁଣିବାକୁ ଚାହାନ୍ତି ତ ?

ଦାଉଦ୍‌

ହଁ ଏହି ଅମୃତବୋଳା ମିଠା ବଚନ ପଦକ ! କେଉଁ ସୌଭାଗ୍ୟ ବଳରୁ ମୁଁ ତୁମକୁ ପ୍ରାଣପ୍ରିୟାରୂପେ ପାଇଛି ! ତୁମେ ମୋର ମରୁ ହୃଦୟ କାନନରେ ପୂତ ମନ୍ଦାକିନୀ ଧାରା । ତୁମେ ମୋର ଭଙ୍ଗା ମନ ମନ୍ଦିରରେ କମନୀୟା ଦେବୀ, ମହା ମହିମାମୟୀ ବାଦ୍‌ସାହୀ । ତୁମେ ଏ ଇରାନର ରାଜସିଂହାସନ ମଣ୍ଡନ କରି ଧନ୍ୟ ହୁଅ । ମୁଁ ତୁମର ଅନ୍ତରଙ୍ଗ ପରିଷଦ ପ୍ରାୟ ପାଦେ ପାଦେ ଥିବି । ଆସ ବିଶ୍ରାମଗାରକୁ ଆସ, ମୁଁ ଟିକିଏ ତୁମ କୋଳରେ ମସ୍ତକ ରଖି ବିଶ୍ରାମ କରିବି । ( ରାଣୀଙ୍କୁ ଘେନି ଚାଲିଗଲେ )

 

ଚତୁର୍ଥ ଦୃଶ୍ୟ

ମସ୍‌ଜିଦ୍‌

 

(ଚକ୍‌ ବଜାର ସମ୍ମୁଖ ବଗିଚା ସମ୍ମୁଖରେ ମସ୍‌ଜିଦ, ଦାରା ଓ ଇଉସୁଫ୍‌ ପ୍ରବେଶ)

ଇଉସୁଫ୍‌

ଦାରା ! ମୁଁ ଟିକିଏ ପାଣି ନ ପିଇଲେ ପାଦେ ଆଗକୁ ଯାଇପାରିବି ନାହିଁ । ମୁଁ ବଡ଼ କ୍ଳାନ୍ତି ଅନୁଭବ କରୁଛି । ତୁମର ମତଲବ କଅଣ ମୁଁ ତ କିଛି ବୁଝିପାରୁନାହିଁ । ଗୋଟାଏ ମୂର୍ଖ ଅପରିଚିତ ଲୋକ, କିଏ ବୋଲି କିଏ, ତା କଥାରେ ବିଶ୍ୱାସ କରି ତୁମେ ଏତେ ଦୂର ଆସିଲ !

ଦାରା

ନା, ନା, ଇଉସୁଫ୍‌ ତା ନୁହେଁ ତୁମେ ଜାଣନା, ବୋଧହୁଏ ଏ ସେହି ସଙ୍କେତ ସ୍ଥାନ । ତୁମକୁ ଆଜି ଚାଲିବାକୁ ପଡ଼ିବ ନାହିଁ । ଏହି ଦେଖ କିଏ ଜଣେ ଆସୁଛି । ତାକୁ ପଚାରିଲେ ସବୁ ଜଣାପଡ଼ିବ । (ଲୋକଟିଏ ପଥରେ ଚାଲିଯାଉଥିଲା) ହେ ବାବୁଜି, ଶୁଣନ୍ତୁ ଶୁଣନ୍ତୁ ।

ନାଗରିକ

କଅଣ ପଚାରୁଛ ?

ଦାରା

ଏ କଅଣ ଇରାନର ସେହି ସର୍ବୋତ୍କୃଷ୍ଟ କୀର୍ତ୍ତିସ୍ତମ୍ଭ ? ଏ କଅଣ ସେହି ଭୁବନବିଦିତ ମସ୍‌ଜିଦ୍‌ର ଦ୍ୱାରଦେଶ ? ନାଗରିକ ହଁ ହଁ, ଏ ସେହି ସ୍ଥାନ (କହି ଚାଲିଗଲା)

ଦାରା

(ଅଙ୍ଗ ଭିତରୁ ପତ୍ରଟି କାଢ଼ି) ଦିବା ଏକ୍ଷଣି ଠିକ୍‌ ବାରଘଣ୍ଟା । ବର୍ତ୍ତମାନ ମୁଁ ଇରାନ୍‌ ସହରର ଚକ୍‌ ବଜାର ସାମନା ସେହି ତୋରଣ ଦ୍ୱାରରେ ଉପସ୍ଥିତ । ପୁଣି ଆଜି ତ ଶୁକ୍ରବାର ।

ଇଉସୁଫ୍‌

ଆଚ୍ଛା ଦାରା, ତୁମେ ସେ ଲୋକକୁ ଦେଖିଲେ ଠିକ ଚିହ୍ନି ପାରିବ ତ ?

ଦାରା

(ପତ୍ର ପାଠକରି) ହଁ, ପତ୍ରରେ ଲେଖାଅଛି, ମୋର ପରିଧେୟର ଚିହ୍ନ ଏହି ଯେ, ବାଇଗଣି ରଙ୍ଗର ପୋଷାକ, ମସ୍ତକରେ ଓମରହୋ ପରିଧେୟ ମଣି ଖଚିତ ମୁକୁଟ ।

ଇଉସୁଫ୍‌

ବାଃ ବାଃ ! ଏକାଥରକେ ଦ୍ୱିତୀୟ ପକ୍ଷର ବର । ଆଚ୍ଛା ଦାରା ! ସେଇ ମହାଶୟ ତୁମର ଜନ୍ମ ଓ ବଂଶର ପରିଚୟ ଦେବ ନା ? ବାଃ ବାଃ ।

ଦାରା

ଶୁଣ ଭାଇ ଇଉସୁଫ୍‌, ମୁଁ ଅଙ୍ଗୁର କ୍ଷେତ୍ରରେ କାର୍ଯ୍ୟ କରୁଥିଲି । ଏହିପରି ସମୟରେ ଘୋଡ଼ା ପିଠିରେ ଚଢ଼ି ଜଣେ ଲୋକ ମୋ ନିକଟରେ ପହଞ୍ଚି ମୋତେ ପଚାରିଲେ, ତୁମର ନାମ କଅଣ ଦାରା ? ମୁଁ ଉତ୍ତର ଦେଲି ହଁ । ଏତିକି ମାତ୍ର ଶୁଣି ମୋ ହାତରେ ଖଣ୍ଡେପତ୍ର ଦେଇ କହିଲେ, ଯଦି ତୁମେ ତୁମର ଜନ୍ମବୃତ୍ତାନ୍ତ ଜାଣିବାକୁ ଇଚ୍ଛାକର, ତା ହେଲେ କାଲି ଶୁକ୍ରବାର ଦିବା ଘ୧୨ଣ୍ଟା ସମୟରେ ଇରାନ୍‌ ସହରର ଚକ୍‌ ବଜାର ସାମନା ମସ୍‌ଜିଦ ଫାଟକ ନିକଟରେ ଉପସ୍ଥିତ ଥିବ । ବର୍ତ୍ତମାନ ଯେଉଁ ନାସିର ସାହେବଙ୍କ ପାଖରେ ଅଛ, ସେ ତୁମ୍ଭର କେହି ନୁହଁନ୍ତି, କେବଳ ତୁମକୁ ପାଳନ କରୁଛନ୍ତି ମାତ୍ର । ତୁମର ଜନ୍ମରହସ୍ୟ ଅଦ୍ଭୁତ ।

ଇଉସୁଫ୍‌

ନାସିର ସାହେବ ତେବେ ପ୍ରକୃତରେ ତୁମର ଚଚ୍ଚା ନୁହନ୍ତି ! ଆଚ୍ଛା, ତୁମେ କଅଣ ତୁମର ପିତାଙ୍କ ନାମ ଏ ପର୍ଯ୍ୟନ୍ତ ଜାଣନା ?

ଦାରା

ନା (ଏ ସମୟେ ଘଣ୍ଟାରେ ଠନ୍‌ ଠନ ହୋଇ ୧୨ଟା ବାଜିଲା)

ଇଉସୁଫ୍‌

ଏଇ ଶୁଣ, ବାରଟା ତ ବାଜିଗଲା, କାହିଁ ତୁମର ବଂଶପରିଚୟ ଦେବାକୁ କେହି ତ ଏ ପର୍ଯ୍ୟନ୍ତ ଆସିଲେ ନାହିଁ ? ତୁମେ ଯେପରି ଲୋକ ନା !

ଦାରା

ଏଇ ତ ଠିକ୍‌ ସେହି ସମୟ ହେଲା (ଦୂରକୁ ଚାହିଁ) ଏଇ ତ ଇଏ କିଏ ଜଣେ ଆସୁଛନ୍ତି (ନାଦେର ପ୍ରବେଶ)

ନାଦେର

ତୁମର ନାମ ଦାରା ନା ?

ଦାରା

ଜି ହାଁ ।

ନାଦେର୍‌

ଯା ହେଉ, ଠିକ୍‌ ସମୟରେ ଆସି ଉପସ୍ଥିତ ହୋଇଛ ।

ଦାରା

ମୋର ପିତା ଜୀବିତ ଅଛନ୍ତି ?

ନାଦେର୍‌

ଠିକ୍‌ ତୁମର ଆକୃତି, ସେଇପରି ଗଠନ । ମୋର ମନେହୁଏ, ତୁମର ଆଉ ତୁମର ପିତାଙ୍କର ଏକା ଆକୃତି । ସେଇ କାନ୍ତି, ସେଇ ଛବି । ମନେକରୁଛି, ଆକୃତିସଙ୍ଗେ ପ୍ରକୃତି ମଧ୍ୟ ସମାନ ଥିବ । ତାଙ୍କର ଅନ୍ତର ଯେପରି ଥିଲା, ତୁମର ଅନ୍ତର ମଧ୍ୟ ସେଇପରି ହୋଇଥିବ ।

ଦାରା

ମୋର ପିତାଙ୍କର କଥା କୁହନ୍ତୁ ।

ନାଦେର୍‌

ସେ କଥା ତୁମ ଛଡ଼ା ଆଉ କେହି ଜାଣିବେ ନାହିଁ । (ଇଉସୁଫ୍‌କୁ ଦେଖାଇ ତାଙ୍କୁ କୁହ କିଛି ସମୟ ଅନ୍ୟଠାରେ ଅପେକ୍ଷା କରନ୍ତୁ ।)

ଦାରା

ସେ ମୋର ଅନ୍ତରଙ୍ଗ ବନ୍ଧୁ । ସେ ମୋର ଭାଇ କହିଲେ ଚଳେ । ଆମର ପରସ୍ପର ମଧ୍ୟରେ କୌଣସି କଥା ଗୋପନ ନାହିଁ ।

ନାଦେର୍‌

କିନ୍ତୁ ମୋର କଥା ଅତି ଗୋପନୀୟ । ତୁମ ଛଡ଼ା ଅନ୍ୟକୁ ପ୍ରକାଶ କରିବାକୁ ଖୋଦାଙ୍କର ମନା ।

ଇଉସୁଫ୍‌

ଦାରା, ମୁଁ ଏସ୍ଥାନରୁ କିଛିଦୂର ଚାଲିଯାଉଛି, ତୁମେ କଥାବାର୍ତ୍ତା ହୁଅ । ମୋ ମନରେ କିଛି କଷ୍ଟ ନାହିଁ ।

ଦାରା

ହଁ ଭାଇ, ଯାଇଥାଅ । (ଇଉସୁଫ୍‌ ଚାଲିଗଲା) ଏଇଥର କୁହନ୍ତୁ, ମୋ ପିତା କିଏ ? ସେ କଅଣ ଖୁବ୍‌ ବଡ଼ଲୋକ ଥିଲେ ? ସେ କଅଣ କୌଣସି ଦେଶର ରାଜା ଥିଲେ, ଯେପରି ମନେହୁଏ ଯେ, ମୁଁ ଜଣେ ରାଜପୁତ୍ର ।

ନାଦେର୍‌

ନିଶ୍ଚୟ ସେ ଜଣେ ରାଜା ଥିଲେ । ଶୁଣ ଦାରା ! ଏଠାରେ ବର୍ତ୍ତମାନ ମୁଁ ସରଦାର୍‌ ନାଦେର ନାମରେ ପରିଚିତ; କିନ୍ତୁ ଦିନେ ମୁଁ ଖୋରାସାନର କର୍ମ୍ମଚାରୀ ଥିଲି । ଆଉ ସମସ୍ତ ଅପେକ୍ଷା ମୋର ଅଧିକ ପରିଚୟ ଥିଲା, ତୁମର ପିତାଙ୍କର ଅକୃତ୍ରିମ ବନ୍ଧୁ ମୋବାରକ୍‌ ସାହା ।

ଦାରା

ମୋର ପିତା କଅଣ ଜୀବିତ ନାହାନ୍ତି ?

ନାଦେର

ଶୁଣ, ତୁମର ପିତା ଥିଲେ ଖୋରାସାନର ଅଧିପତି । ତାଙ୍କର ନାମ ଥିଲା ଜାଫର ସାହା । କେତେଥର ଯେ ତାଙ୍କର ତୀକ୍ଷ୍‌ଣ ତରବାରୀ ଗ୍ରୀକ୍‌ ସେନାଙ୍କ ରକ୍ତରେ ରଞ୍ଜିତ ହୋଇଛି, ତାର କଳନା ନାହିଁ । ସେଇ ଯୁଦ୍ଧରେ ଖୋରାସାନର ଜୟ ପତାକା ମୋ ନିଜ ହାତରେ...

ଦାରା

ଥାଉ, ଥାଉ । ତାଙ୍କର ମୃତ୍ୟୁ କଥା କୁହନ୍ତୁ, ସେ କଥା ଶୁଣି ମୋର ନୟନ ଅଶ୍ରୁ ବର୍ଷଣ କରୁ । ଅନୁମାନ ହେଲା ମୋର ପିତା ରଣଲିପ୍‌ସୁ ଥିଲେ । ସେହି ରଣରେ ପ୍ରାଣ ହରାଇଛନ୍ତି । ହା ପିତା ! (ଅସ୍ଥିର ହେବା)

ନାଦେର୍‌

ଶୁଣ ଶୁଣ, ଅସ୍ଥିର ହୁଅନା । ଧୈର୍ଯ୍ୟଧର, ମନଦେଇ ଶୁଣ । ଗ୍ରୀକ୍‌ମାନଙ୍କ ସଙ୍ଗରେ ଯେତେବେଳେ ତୁମ ପିତାଙ୍କର ଯୁଦ୍ଧହୁଏ, ସେତିକି ବେଳେ ଗୋଟାଏ ବିଶ୍ୱାସଘାତକ କୌଶଳରେ ତୁମ ପିତାଙ୍କ ଅନୁଧାବନ କରୁଥିଲା । ଯେତେବେଳେ ଗ୍ରୀକ୍‌ମାନଙ୍କୁ ପରାସ୍ତକରି ତୁମ୍ଭର ପିତା କ୍ଳାନ୍ତ ଓ ଅସୁସ୍ଥ, ସେହି ସୁଯୋଗରେ ସେହି ବିଶ୍ୱାସଘାତକ ପାପିଷ୍ଠ ତୁମର ପିତାଙ୍କୁ ବନ୍ଦୀ କରି ଖୋରାସାନ ଅଧିକାର କଲା । ତା ପରେ ଯେପରି ହୀନ ପଶୁମାନେ ଲୌହ ଶୃଙ୍ଖଳରେ ଆବଦ୍ଧ ହୋଇ ବିକ୍ରୟାର୍ଥେ ଆନୀତ ହୁଅନ୍ତି, କି କହିବି ଦାରା ! ସେହିପରି ତୁମର ପିତାଙ୍କୁ, ଖୋରାସାନର ଅଧିପତି ଜାଫର୍‌ ସାହାଙ୍କୁ ଏଇ ଇସ୍ପାହାନର ହାଟ ମଧ୍ୟରେ ଶୃଙ୍ଖଳାବଦ୍ଧ ସିଂହକୁ, ଘାତକର ଖଡ଼୍‌ଗ ମୁଖକୁ ସହାସ୍ୟ ବଦନରେ ଠେଲିଦେଇଛି, ଓଃ, ଅକୃତଜ୍ଞ ସୟତାନ୍‌ !

ଦାରା

କିଏ ସେ ? ସେ କଅଣ ଅଦ୍ୟାପି ଜୀବିତ ଅଛି ?

ନାଦେର

ହଁ, ନରାଧମ ଅଦ୍ୟାପି ଜୀବିତ ଅଛି, ମୁଁ ତୁମ୍ଭକୁ ତାହାରି ନିକଟକୁ ଘେନିଯିବି ।

ଦାରା

(ବ୍ୟଗ୍ର ହୋଇପଡ଼ି) ଚାଲନ୍ତୁ, ମୋର ତୀକ୍ଷ୍‌ଣ ଶାଣିତ ତରବାରୀ ତାର ବକ୍ଷରେ ବସାଇ ଦେଇ ମୋର ପିତୃ ପ୍ରତିହିଂସା ସାଧନ କରିବି । ଏତେ ବଡ଼ ବିଶ୍ୱାସଘାତକକୁ ପୃଥ୍ୱୀ କିପରି ବହନ କରୁଛି, ମୋର ପିତାଙ୍କୁ ହତ୍ୟାକରି ସେ ନରାଧମ କଅଣ ପାଇଛି ?

ନାଦେର

କଅଣ ଆଉ ନ ପାଇଛି ? ସମ୍ରାଟ୍‌ଙ୍କର ଈପ୍‌ସିତ ଐଶ୍ୱର୍ଯ୍ୟ ପାଇଛି, ବିସ୍ତୃତ ଖୋରାସାନ ରାଜ୍ୟ ପାଇଛି, ଏହାଠାରୁ ଅଧିକ ଆଉ କଅଣ ପାଆନ୍ତା ?

ଦାରା

ତାର ସେହି ବିସ୍ତୃତ ସମ୍ରାଜ୍ୟ ମଧ୍ୟରେ ତିନିହାତ ମାତ୍ର ଭୂମି ତାର ଆଶ୍ରୟର ସ୍ଥାନ ହେବ । ସେ ନରାଧମ କାହିଁ, କାହିଁ ସେ ନରପ୍ରେତ ? ତାକୁ ଥରେମାତ୍ର ମୋତେ ଦେଖାଇ ଦିଅନ୍ତୁ । ସେ ଯଦି ଲୌହ ଚର୍ମରେ ଆପାଦମସ୍ତକ ଆବୃତ କରି ରଖେ, ସହସ୍ର ସହସ୍ର ଶାଣିତ କୃପାଣ ଯଦି ତାର ପ୍ରାଣ ରକ୍ଷାର୍ଥେ କୋଷମୁକ୍ତ ହୁଏ, ତଥାପି ଏଇ ତରବାରୀଦ୍ୱାରା ତାର ହୃତ୍‌ପିଣ୍ଡକୁ ଟାଣି ଆଣି ପଦାଘାତରେ ଖଣ୍ଡ ଖଣ୍ଡ କରି ଏଇ ଇସ୍ପାହାନର ପ୍ରତ୍ୟେକ ନର ନାରୀଙ୍କ ସମ୍ମୁଖରେ ତାର ଘୃଣ୍ୟ ଶରୀରକୁ ଶୃଗାଳ କୁକୁର ସମ୍ମୁଖରେ ନିକ୍ଷେପ କରିବି ।

ନାଦେର୍‌

ନିର୍ବୋଧ ! ସେଥିରେ କଅଣ ପ୍ରତିଶୋଧ ପୂର୍ଣ୍ଣ ହେବ ! ଯିଏ ଜନ୍ମ ହୋଇଛି, ସେ ତ ଦିନେ ହେଲେ ମରିବ । ଏପରି ହଠାତ୍‌ ମୃତ୍ୟୁ, ସେତ ସମସ୍ତଙ୍କର ବାଞ୍ଛନୀୟ ! ତୁମର ପିତା ବିଶ୍ୱାସଘାତକ

କର୍ତ୍ତୃକ ପ୍ରତାରିତ ହୋଇଥିଲେ, ସେଇ ବିଶ୍ୱାସଘାତକ ତୁମର ପିତାଙ୍କୁ ବନ୍ଦୀକରି ହତ୍ୟା କରିଥିଲା, ମନେରଖ ! ତୁମକୁ ମଧ୍ୟ ସେଇ କାର୍ଯ୍ୟ କରିବାକୁ ହେବ । ମୁଁ ତୁମକୁ ସେହି କୃତଘ୍ନ ସଙ୍ଗେ ପରିଚୟ କରାଇଦେବି । ତୁମେ ତା ଘରେ ରହିବ, ବିଶ୍ୱାସୀ ଅନୁଚର ପରି ସଙ୍ଗେ ସଙ୍ଗେ ଥିବ । ଏକ ସଙ୍ଗେ ଆହାର ବିହାର ମଧ୍ୟ କରିବ ।

ଦାରା

ଆପଣ କଅଣ କହୁଛନ୍ତି ମୁଁ ସେହି ପିତୃହନ୍ତାର ଅଧୀନ ହେବି, ଆଉ ସେହି ବିଷାକ୍ତ ଅନ୍ନ ଭୋଜନ କରିବି ?

ନାଦେର୍‌

କିନ୍ତୁ ଉପକରଣ ଅତି ଉପାଦେୟ । ପ୍ରତିହିଂସା ସେ କଟୁ ଭୋଜନକୁ ସୁମିଷ୍ଟ କରିବ, ତୁମେ ତା ସଙ୍ଗେ ଭଲ ରକମ ମିଶିଯିବ । ସେ ହସିବାକୁ କହିଲେ ହସିବ, ଆଉ କାନ୍ଦିବାକୁ କହିଲେ କାନ୍ଦିବ । ତାକୁ ଚିନ୍ତିତ ହେବାର ଦେଖିଲେ ତୁମେ ଚିନ୍ତିତ ହେବ । ତାପର ଯେଉଁଦିନ ଠିକ୍‌ ସମୟ ଆସିବ (ଦାରା ଉତ୍ତେଜିତ ହୋଇଉଠିଲା)।

ଦାରା

କହନ୍ତୁ କହନ୍ତୁ, ଦୟାକରି ମୋତେ ଥରେ ସେଇ ପାପିଷ୍ଠ ସଙ୍ଗେ ସାକ୍ଷାତ୍‌ କରାଇ ଦିଅନ୍ତୁ ।

ନାଦେର୍‌

ସ୍ଥିର ହୁଅ । ତାପର ଯେଉଁଦିନ ଠିକ୍‌ ସମୟ ଆସିବ, ନରାଧମ ଯେତେବେଳେ ତୁମକୁ ସମ୍ପୂର୍ଣ୍ଣଭାବେ ବିଶ୍ୱାସ କରିବ, ସେଇ ସମୟରେ (ଦାରା ତରବାରୀ କଟିରୁ ଖୋଲିବାକୁ ଉଦ୍ୟତ) ନା, ନା, ଏତେଦୂର ଅଗ୍ରସର ହେବାର ବର୍ତ୍ତମାନ ସମୟ ଆସିନାହିଁ । ତରବାରୀ କୋଷବଦ୍ଧ କର । ଏପରି ବିଚଳିତ ହେଲ ପ୍ରତିଶୋଧ ନେଇପାରିବ ନାହିଁ । ଦେଖ, ଏହା ବାଳକର କ୍ରୀଡ଼ା ନୁହେଁ, ପିତୃହତ୍ୟାର ପ୍ରତିଶୋଧ । ବୁଝି କାର୍ଯ୍ୟକର । ଶୁଣ, ମୁଁ ସେଇ ସମୟରେ ଗୁପ୍ତଚରଦ୍ୱାରା ସମ୍ୱାଦ ଦେବି ।

ଦାରା

ତା ହେଲେ କୁହନ୍ତୁ, କି ଉପାୟରେ ମୁଁ ତାକୁ ହତ୍ୟା କରିବି ?

ନାଦେର

ତୁମେ ତାର ଶୟନ ମନ୍ଦିରକୁ ଯିବ, ଯଦି ଦେଖିବ ସେ ଶୋଇଥାଏ, ତେବେ ତାକୁ ଉଠାଇ ତୁମର ବଂଶ ପରିଚୟ ଦେବ, ଖୁବ୍‌ ଗୋପନରେ ଏବଂ ସାବଧାନରେ ଏ କାର୍ଯ୍ୟ କରିବାକୁ ହେବ ।

ଦାରା

ହଁ କୁହନ୍ତୁ (ଉଦ୍‌ବେଗ)

ନାଦେର

ମନେଥାଏ ଯେପରି, ସେଇଦିନ ରାତ୍ରରେ ସେ ଜାଣିପାରିବ, କାହାର ରକ୍ତ ତୁମ ଧମନୀରେ ପ୍ରବାହିତ ହେଉଛି, ଆଉ ତୁମେ କିଏ ଓ କାହିଁକି ଏଠାକୁ ଆସି ତାର ଦାସତ୍ୱ ସ୍ୱୀକାର କରିଛ । ସେ ପ୍ରଥମେ ଶିହରି ଉଠିବ, ତୁମକୁ ହୁଏତ ତାର ପ୍ରାଣ ବିନିମୟରେ ପ୍ରଚୁର ଅର୍ଥ ଦେବାକୁ ଚାହିଁବ; ତାର ଯଥାସର୍ବସ୍ୱ ଦେଇ ମଧ୍ୟ ଶରଣ ପ୍ରାର୍ଥନା କରିବ; କିନ୍ତୁ ତୁମେ ସେ ସମସ୍ତ ପ୍ରତ୍ୟାଖ୍ୟାନ କରିବ । ତୁମେ ଯୁବକ, ସେ ବୃଦ୍ଧ, ଭୟର କିଛି କାରଣନାହିଁ; ମାତ୍ର ସତର୍କତା ଆବଶ୍ୟକ, ଖୁବ୍‌ ଧୈର୍ଯ୍ୟ ସହିତ ତାକୁ ଜାହାନ୍ନମକୁ ପଠାଇବ । ପ୍ରତିଜ୍ଞା କର, ମୋର କୌଣସି ସଂକେତ ବା ଆଦେଶ ନ ପାଇବା ପର୍ଯ୍ୟନ୍ତ ତାକୁ ତୁମେ ହତ୍ୟା କରିବ ନାହିଁ ।

ଦାରା

କଦାପି ନୁହେ ?

ନାଦେର୍‌

ବିଶ୍ୱାସ କଅଣ ?

ଦାରା

ମୋର ପିତାଙ୍କର ତରବାରୀକୁ ସ୍ମରଣ କରି ପ୍ରତିଜ୍ଞା କରୁଛି ।

ନାଦେର୍‌

କାହିଁ ତୁମର ପିତାଙ୍କର ତରବାରୀ ଦାରା ?

ଦାରା

ତେବେ ମୋର ପିତାଙ୍କର କବରର ଶପଥ କରି କହୁଛି ।

ନାଦେର୍‌

କବର ! କାହାର କବର ? ତୁମର ପିତାଙ୍କର ? କିଏ ତାଙ୍କର କବର ଦେଲା ? ମୁଁ ସ୍ୱଚକ୍ଷୁରେ ଦେଖିଛି ସେହି ମହାତ୍ମାଙ୍କର ଦେହ ଖଣ୍ଡ ଖଣ୍ଡ କରି ପଦାଘାତରେ ଧୂଳି ସହିତ ମିଶାଇ ଦିଆହୋଇଛି । ତାଙ୍କର ସେହି ଗର୍ବୋନ୍ନତ ଶିର ବର୍ଚ୍ଛାର ଅଗ୍ରରେ ବିଦ୍ଧ କରି ଏଇ ଇସ୍ପାହାନର ପ୍ରତ୍ୟେକ ବଜାରରେ ବୁଲା ହୋଇଛି ।

ଦାରା

ପିତା ! ପିତା ! ତୁମର ପବିତ୍ର ନାମ ସ୍ମରଣ କରି ମୁଁ ପ୍ରତିଜ୍ଞା କରୁଛି, ତୁମର ନିଷ୍ଠୁର ହତ୍ୟାର ବିଭୀଷିକା ମୋର ସମ୍ମୁଖରେ ସ୍ଥାପନ କରି ପ୍ରତିଜ୍ଞା କରୁଛି, ସେହି ପାପିଷ୍ଠକୁ ସବଂଶେ ହତ୍ୟାକରି ପ୍ରାଣର ଜ୍ୱାଳା ଶୀତଳ କରିବି । ଏହା ନିଶ୍ଚୟ । ମହାଶୟ ! ଆପଣଙ୍କର ଆଜ୍ଞା ବା କୌଣସି ସଙ୍କେତ ନ ପାଇବା ପର୍ଯ୍ୟନ୍ତ ମୁଁ ସ୍ଥିର ହୋଇ ରହିବି, କିନ୍ତୁ ଆପଣଙ୍କର ସଙ୍କେତ କଅଣ ? ଉଃ, ଆଉ କିଛି ଶୁଣିପାରୁନାହିଁ । କର୍ଣ୍ଣ ରୁଦ୍ଧ ହୋଇଯାଉଛି, ପ୍ରାଣ ଛଟପଟ କରୁଛି । ଆଃ, ପୁଣି ଏ କି ସ୍ପନ୍ଦନ ଅନୁଭବ କରୁଛି !

ନାଦେର

ଧୈର୍ଯ୍ୟ ଧର, ଅଧୀର ହୁଅନା, (ନିଜର ଅଙ୍ଗ ଭିତରୁ ଖଣ୍ଡେ ଛୁରା କାଢ଼ିଲେ) ଏହି ଛୁରୀ, ଏହାହି ତୁମର ପିତାଙ୍କର କଟୀ ଦେଶରେ ଶୋଭା ପାଉଥିଲା ।

ଦାରା

ଏହି ମୋର ସ୍ୱର୍ଗୀୟ ପିତାଙ୍କର ଛୁରୀ, ମୋ ପ୍ରତି କଅଣ ପିତାଙ୍କର କିଛି ଆଦେଶ ନଥିଲା ? ସେ କଅଣ ମୋତେ ଦେଖି ନାହାନ୍ତି ?

ନାଦେର

ନା, କିପରି ବା ଦେଖିଲେ । ବିଶ୍ୱାସଘାତକ କର୍ତ୍ତୃକ ଯେତେବେଳେ ସେ ବନ୍ଦୀ ହେଲେ, ତାଙ୍କ ଅନୁଚରମାନଙ୍କ ମଧ୍ୟରୁ ମୁଁ କେବଳ ଆତ୍ମଗୋପନ କରି ପାରିଥିଲି, ମୁଁ ଯେତେବେଳେ ଏ ସଂବାଦ ତୁମର ମାତାଙ୍କୁ କହେ

ଦାରା

ମୋର ମା ! କାହାନ୍ତି ସେ ?

ନାଦେର

ଆହା ! ସତୀ ସାଧ୍ୱୀ ଶିରୋମଣି ସେହି ଦୁଃସମ୍ୱାଦ ପାଇଲା ମାତ୍ରେ ମୂର୍ଚ୍ଛିତା ହୋଇପଡ଼ିଲେ । ସେହି ଅବସ୍ଥାରେ ତୁମେ ମାତା ଗର୍ଭରୁ ଭୂମିଷ୍ଠ ହେଲ । କିନ୍ତୁ ତୁମ୍ଭ ଜନନୀଙ୍କର ଆଉ ସେ ମୂର୍ଚ୍ଛା ଭାଙ୍ଗିଲା ନାହିଁ ।

ଦାରା

ବିଶ୍ୱାସଘାତକ କର୍ତ୍ତୃକ ପିତାଙ୍କର ହତ୍ୟା, ମାତାଙ୍କର ଶୋଚନୀୟ ମୃତ୍ୟୁ । ଓଃ ! ମୋତେ ନିଶ୍ୱାସ ନେବାକୁ ସମୟ ଦିଅନ୍ତୁ । ଓଃ; କି କରୁଣ କାହାଣୀ ।

ନାଦେର

ଶତ୍ରୁମାନଙ୍କ ଭୟରେ ତୁମ୍ଭର ମାତାଙ୍କ ମୃତ୍ୟୁପରେ ମୁଁ ରାଜ୍ୟ ମଧ୍ୟରେ ଘୋଷଣା କଲି ଯେ, ସେ ଗୋଟିଏ ମୃତ ସନ୍ତାନ ପ୍ରସବ କରି ଇହଲୋକ ପରିତ୍ୟାଗ କରିଛନ୍ତି । ତାପରେ ମୋର ବିଶ୍ୱାସୀ ଅନୁଚର ପ୍ରଭୁଭକ୍ତ ନସିର ନିକଟରେ ତୁମ୍ଭଙ୍କୁ ରଖିଦେଲି । ଆଉ ତାକୁ ଏସବୁ ପ୍ରକାଶ କରିବାକୁ ନିଷେଧ କରି । ତାପର ତୁମ୍ଭ ପିତାଙ୍କ ନିକଟକୁ ଗଲି ।

ଦାରା

ପିତା ସେତେବେଳେ କେଉଁଠାରେ ? ଆପଣ ଅତି ମହତ୍‌ ।

ନାଦେର

କାରାଗୃହରେ ରକ୍ଷୀମାନଙ୍କୁ ଉତ୍କୋଚଦ୍ୱାରା ବଶୀଭୂତି କରି ତୁମ ପିତାଙ୍କ ସଙ୍ଗେ ସାକ୍ଷାତ୍‌ କଲି, ଆଉ ତୁମର ଜନ୍ମ ବୃତ୍ତାନ୍ତ କହିଲି । ତୁମର ଜନ୍ମକଥା ଶୁଣ ତାଙ୍କର ମୁଖମଣ୍ଡଳରୁ ଏକ ଅପୂର୍ବ ଦିବ୍ୟ ତେଜ ବାହାରିପଡ଼ିଲା । ଆଗ୍ରହରେ ମୋର ହସ୍ତ ଧରି ଏହି ଛୁରୀ ଦେଇ କହିଲେ, ଭାଇ ! ପୁତ୍ର ଯଦି ଜୀବିତ ରହେ, ତା’ହେଲେ ଏହି ଛୁରୀ ଦେଇ ମୋର ହୀନ ମୃତ୍ୟୁର ପ୍ରତିଶୋଧ ନେବାକୁ କହିବ । ଆଉ କହିପାରିଲେ ନାହି, କାନ୍ଦି ପକାଇଲେ ।

ଦାରା

(ନତଜାନୁ ହୋଇ) ଆପଣ ମୋର ପିତାଙ୍କର ପ୍ରତିଭୁସ୍ୱରୂପ, ଆପଣଙ୍କ ଋଣ ମୁଁ ଏ ଜନ୍ମରେ ସୁଝି ପାରିବି ନାହିଁ । ଆପଣଙ୍କୁ ମୋର କୋଟି କୋଟି ସଲାମ । ବର୍ତ୍ତମାନ ମୋର ପିତାଙ୍କର ଶତ୍ରୁର ନାମ ପ୍ରକାଶ କରି ମୋର ଉତ୍କଣ୍ଠା ଦୂର କରନ୍ତୁ, ଆଉ ମୋତେ ତା ନିକଟ ନେଇ ଚାଲନ୍ତୁ । କିପରି ଲୋକ ସେ ନରାଧମ, ମୋତେ ଥରେ ଚିହ୍ନାଇ ଦିଅନ୍ତୁ ।

ନାଦେର

ତେବେ ଆସ, ଆଜି ଦିନଟା ମୋ ଘରେ ରହ କାଲି ସାକ୍ଷାତ୍‌ କରାଇଦେବି ।

ଦାରା

ଇଉସୁଫ୍‌ ଭାଇ ?

ନାଦେର

ହଁ, ତାଙ୍କୁ ମଧ୍ୟ ସଙ୍ଗରେ ଡାକି ନେବା (ଉଭୟ ଚାଲିଗଲେ)

 

ପଞ୍ଚମ ଦୃଶ୍ୟ

(ରାଜପଥ)

( ଗୋଟିଏ ଅନ୍ଧକୁ ଜଣେ ୧୩ ବର୍ଷିୟା ବାଳିକା ପଥ କଢ଼ାଇ ଆଣୁଥାଏ । ବାଳିକାଟି ଖୁବ୍‌ ସୁନ୍ଦରୀ ଉଭୟେ ମିଶି ଗୀତଟିଏ ଗାଇ ଆସୁଥାନ୍ତି ।)

ଗୀତ

ଦାତା ଦେନେ ଓ୍ୟାଲା

ହରେ ସାଇଁ ଦେନେ ଓ୍ୟାଲା

ଭୋକେକୁ ଖିଲାଦେ ଦାତା

ନଙ୍ଗେ କୋ ପହରା ଦେ ।

ଦେନା ହୈତେ ଦେଜା ଦାତା

ମଉଲା ଦେନେ ଓ୍ୟାଲା ।

ଜଣେ ନାଗରିକ

(ଉଭୟଙ୍କୁ ନିରୀକ୍ଷଣ କରି) ସ୍ତ୍ରୀଟିର ଅଙ୍ଗାଭରଣ ଯଦିଓ ମଳିନ; ତଥାପି ରୂପଟି ତ ବେଶ୍‌ ଗୋଟିଏ ଚାଉଳରେ ଗଢ଼ା ! ଏହାର ଭବିଷ୍ୟତ, ୟାର ରୂପଶ୍ରୀ ଏହି ଅନ୍ଧଦ୍ୱାରା ହିଁ ନଷ୍ଟ ହୋଇଯିବ । ସୌଭାଗ୍ୟବନ୍ତ ପୁରୁଷର ଅର୍ଦ୍ଧାଙ୍ଗିନୀ ଯୋଗ୍ୟ ସ୍ତ୍ରୀଟି ଗୋଟିଏ କୁତ୍ସିତ ଭିକ୍ଷୁକ ଅନ୍ଧକୁ ବୋହି ବୁଲୁଛି । (ଅନ୍ଧପ୍ରତି) ହଇ ହୋ ! ତୁମ ଦୁହିଙ୍କ ମଧ୍ୟରେ ସମ୍ୱନ୍ଧ କଅଣ ?

ଅନ୍ଧ

ବାବୁ ! ତୁମର ପଚାରି ଲାଭ କଅଣ ? ଅବସ୍ଥାରୁ ଅନୁମାନ କରିପାରୁନା ଯେ...।

ନାଗରିକ

ଏ ବାଳିକାଟି ତୁମ୍ଭର କନ୍ୟା ?

ଅନ୍ଧ

ନାଁ ।

ନାଗରିକ

ଆଉ କଅଣ ତୁମେ ଦୁହେଁ ପତି ପତ୍ନୀ ?

ଅନ୍ଧ

ନାଁ, ବାବୁ, ତୁମର ପଚାରି ଲାଭ କଅଣ? ତୁମେ ତୁମ ପଥରେ ଚାଲିଯାଅ ।

ନାଗରିକ

ଲାଭ କିଛି ନାହିଁ ସତ; କିନ୍ତୁ ତୁମର ଅବସ୍ଥାକୁ ଲକ୍ଷ୍ୟକରି ମନରେ କଷ୍ଟ ଆସୁଛି; ତେଣୁ....

ଅନ୍ଧ

ପରଦୁଃଖ ଦେଖିଲେ ଯା ହୃଦୟ କାନ୍ଦେ, ତାଙ୍କର ଖୋଦା ମଙ୍ଗଳ କରନ୍ତି । ଆପଣଙ୍କର ଅଧିକରୁ ଅଧିକ ହେଉ, ଧନ ଜନ ଗୋପ ଲକ୍ଷ୍ମୀ ମାଡ଼ିଯାଉ ।

ନାଗରିକ

(ସ୍ୱଗତ) ଧନ ଜନ ସବୁଥିରେ ଭଗବାନ ଭରପୂର ରଖିଛନ୍ତି, କିନ୍ତୁ ଏପରି ଲକ୍ଷ୍ମୀଟିଏ ନିତାନ୍ତ ଅଭାବ । (ପ୍ରକାଶ୍ୟେ) ଏ ବାଳିକାଟି ତୁମ୍ଭର କେତେଦିନୁ ସହ ସଙ୍ଗିନୀ ।

ଅନ୍ଧ

ଆବାଲ୍ୟରୁ....

ନାଗରିକ

ଏଁ ଆବାଲ୍ୟରୁ ସମ୍ୱନ୍ଧଟା ଉଭୟଙ୍କ ମଧ୍ୟରେ କଅଣ, କହିଲେ କିଛି ତ୍ରୁଟି ଅଛି ?

ଅନ୍ଧ

ତ୍ରୁଟି ନାହିଁ କିମ୍ୱା ଲାଭ ବି ନାହି, ଆମେ ଦୁହେଁ ଭାଇ ଭଉଣୀ ।

ନାଗରିକ

ବାଳିକାଟି ତ ଯୌବନରେ ପଦାର୍ପଣ କଲାଣି, ଏପର୍ଯ୍ୟନ୍ତ ବିବାହ ନ ଦେଇଛ କିଆଁ ?

ଅନ୍ଧ

ତା’ର ଅନିଚ୍ଛା ସତ୍ତ୍ୱେ ।

ନାଗରିକ

ନା, ତୁମର ଅନିଚ୍ଛା ସତ୍ତ୍ୱେ ବୋଧହୁଏ । ବାଳିକାଟି ଅନ୍ତର ହୋଇଗଲେ ଅନ୍ଧର ଚଳାଚଳ ପକ୍ଷେ ଅସୁବିଧା ଘଟିବ, ତେଣୁ...

ଅନ୍ଧ

ସେ ଯା ହେଉ, ଆମ୍ଭଙ୍କୁ ଇସ୍‌ପାହାନ ବଜାରକୁ ବାଟ କହିଦିଅନ୍ତୁ, ବାରଦ୍ୱାର ଭିକାରୀ ବାରଦ୍ଵାର ହେବୁ ।

ନାଗରିକ

ଏ କନ୍ୟାଟିର ଯିଏ ପାଣିଗ୍ରହଣ କରିବ, ସେ ତ ତୁମର ଦୁଃଖଦୁର୍ଦ୍ଦଶା ସବୁ ମୋଚନ କରିଦେବ । କେହି ଐଶ୍ୱର୍ଯ୍ୟଶାଳୀ ଲୋକ ନିଶ୍ଚୟ ବାଳିକାଟିକୁ ପସନ୍ଦ କରିବ ।

ଅନ୍ଧ

ଦିନେ ମଧ୍ୟ ଆମର ଖୁବ୍‌ ସମ୍ପଦ ଥିଲା । କୋଠାବାଡ଼ି ଥିଲା । କିନ୍ତୁ ସେ ସବୁ କାଳଚକ୍ରରେ ଧୂଳିସାତ ହୋଇଯାଇଛି । ଆମେ ଦୁହେଁ ମୁକ୍ତ ପକ୍ଷୀ ପରି ଖୁବ୍‌ ଆନନ୍ଦରେ ବୁଲୁଛୁ ।

ନାଗରିକ

ରାତ୍ରରେ ବିଶ୍ରାମ ନିଅ କେଉଁଠି ?

ଅନ୍ଧ

ପାନ୍ଥଶାଳା ।

ନାଗରିକ

ତୁମେ ଆଉ କେବେ ଇସ୍ପାହାନ ସହରକୁ ଆସିଥିଲ, ନା ଏଇ ପ୍ରଥମ ?

ଅନ୍ଧ

ଆସିଥିବୁ, ମନେନାହିଁ । ଆମକୁ ଟିକେ ନାଦେର ସାହାଙ୍କ ଘରକୁ ବାଟ କହି ଦେବେ କି?

ନାଗରିକ

ନାଦେର ସାହା । ତାଙ୍କ ସଙ୍ଗରେ ତୁମର ସମ୍ୱନ୍ଧ କଅଣ ?

ଅନ୍ଧ

ସମ୍ୱନ୍ଧ କିଛି ନାହିଁ ତଥାପି ଆମ ଦୁଃଖରେ ତାଙ୍କର ସହାନୁଭୂତି ଅଛି ।

ନାଗରିକ

(ସ୍ୱଗତ) ଆରେ ବା, ବା, ନାଦେର ସାହାଙ୍କ ଜଣାଶୁଣା ଲୋକ, ମୁଁ ତ ଜାଣୁ ଜାଣୁ ନିଆଁରେ ଗୋଡ଼ ପୂରାଇଥିଲି ରେ । (ପ୍ରକାଶ୍ୟେ) ଠିକ୍‌ ମୁହଁ ସଳଖ ଚାଲିଯା, ବଡ଼ ମସ୍‌ଜିଦର ପୂର୍ବପଟେ ତାଙ୍କର ଘର ।

ଅନ୍ଧ

ହଉ ବାବା, ଈଶ୍ୱର ତୁମ୍ଭର ମଙ୍ଗଳ କରନ୍ତୁ । (ଉଭୟ ପ୍ରସ୍ଥାନ)

ନାଗରିକ

ଶିକାରଟା ଜୁଟିଥିଲା; କିନ୍ତୁ ବେଳଟା ନୁହେ, ଖସିଗଲା । ଓଃ, ବାଳିକାଟା ପାଟିରୁ ଉତ୍ତର ପଦେ ମିଳିଲା ନାହିଁ, ନାଦେର୍‌ ସାହା ନାଁଟା ଶୁଣି ମନଟା ଦବକିଗଲା । ଦେଖାଯାଉ, ହାତରେ ତ କିଛି ନଥିଲା । ନଚେତ୍‌ ପ୍ରଲୋଭନ ଦେଖାଇ ଖାନା ପିନା ଦେଇ ଅକ୍ତିଆର କରିପାରିଥାନ୍ତି । ଆଚ୍ଛା, ଦେଖାଯାଉ ଦିନେ ଦି’ଦିନ ଏଠି ରହିବ ତ ! ଆଜି ବେଳାଟା ଖରାପ । (ପ୍ରସ୍ଥାନ)

 

ଷଷ୍ଠ ଦୃଶ୍ୟ

ରାଜସଭା

 

(ମସ୍‌ଜିଦ୍‌ ନିକଟ, ନାଦେର, ଦାରା ଓ ଇଉସୁଫ୍‌ ପ୍ରବେଶ କଲେ । ଅଦୂରେ ଇରାନ ସମ୍ରାଟ୍‌ ଆସୁଥିବାର ଦେଖି)

ନାଦେର୍‌

ଇଉସୁଫ୍‌, ତୁମେ ଟିକେ ଦୂରରେ ଅପେକ୍ଷା କର । (ଦାରାପ୍ରତି) ଏଇ ଯେ ଇରାନ ସମ୍ରାଟ୍‌ ଆସୁଛନ୍ତି । ହଁ, ମନେରଖ, ମୁଁ ଯାହାର ସମ୍ମୁଖରେ ନତଜାନୁ ହେବି, ସେହି ତୁମ୍ଭର ପିତୃହନ୍ତା । ମନେରଖ (ଯିବାକୁ ଉଦ୍ୟତ ହେବା ସମୟେ ଦାରା ତରବାରୀ ଖୋଲିବାକୁ ଉଦ୍ୟତ) ଏତେ ଶୀଘ୍ର ଭୁଲିଗଲ ! ତରବାରୀ କୋଷବଦ୍ଧ କର ।

 

(ସମ୍ରାଟ୍‌ ପ୍ରବେଶ କଲେ)

 

(ଅଭିବାଦନ ଗ୍ରହଣ କରନ୍ତୁ ସମ୍ରାଟ୍‌)

ସମ୍ରାଟ୍‌

କିଏ ନାଦେର ଖାଁ । ସର୍ଦ୍ଦାର ନାଦେର, ତୁମର ଇଲାକାକୁ ଯେଉଁଦିନ ଶିକାର କରିବାକୁ ଯାଇଥିଲି, ସେହିଦିନଠାରୁ ତୁମର ଆଉ ମୋ ସଙ୍ଗେ ଦେଖା ହୋଇନାହିଁ । ଏତେଦିନ ଘରେ ବସି କଅଣ କରୁଥିଲ ? (ଦାରାକୁ ଦେଖି) ଏ କିଏ ?

ନାଦେର

ଜାହାଁପନା । ସେ ମୋର ଭଣଜା ।

ସମ୍ରାଟ୍‌

ଏହାର ନାମ କଅଣ ?

ନାଦେର

ଏହାର ନାମ ଦାରା ଯୋବେୟାର ।

ସମ୍ରାଟ୍‌

ଘର କେଉଁଠି ?

ନାଦେର୍‌

ଖୋରାସାନ ।

ସମ୍ରାଟ୍‌

ଏ, ଖୋରାସାନ ?

 

(ଦାରାକୁ ନିରୀକ୍ଷଣ କରି) ତୁମେ କି ଅଭିପ୍ରାୟରେ ଏଠାକୁ ଆସିଛ ? ତୁମେ କି କାର୍ଯ୍ୟ କରିପାରିବ ?

ଦାରା

ଜାହାଁପନା ! ଯାହା ଆପଣଙ୍କର ଆଦେଶ ହେବ, ତା ଏ ଦାସ ପାଳନ କରିବାକୁ ପ୍ରସ୍ତୁତ ଅଛି ।

ସମ୍ରାଟ୍‌

ତୁମର ବୀରାକୃତି, ତୁମେ ଯୁଦ୍ଧ କରିପାରିବ । ଯଦି ଯୁଦ୍ଧ ଜାଣ ତାହାହେଲେ କୁହ ମୁଁ ତୁମକୁ ସେନାପତି ପଦରେ ନିଯୁକ୍ତ କରିବି ।

ଦାରା

ଜାହାଁପନା, ଏ ଅତି ସୌଭାଗ୍ୟର କଥା ।

ସମ୍ରାଟ୍‌

ବେଶ୍‌, ତା’ହେଲେ ତୁମେ ମୋର ସେନାପତି ।

 

(ଦାଉଦ୍‌ ସାହା ଦାରାର ମସ୍ତକ ସ୍ପର୍ଶ କରିବାକୁ ଉଦ୍ୟତ ହୁଅନ୍ତେ ଦାରା ଘୁଞ୍ଚି ଯାଉଥିଲେ, କିନ୍ତୁ ନାଦେର୍‌ ଖାଁଙ୍କ ଇଙ୍ଗିତରେ ନତମସ୍ତକ ହେଲେ, ଦାଉଦ୍‌ ସାହା ମସ୍ତକ ସ୍ପର୍ଶ କଲେ)

ଦାରା

ଜାହାଁପନାଙ୍କର ମଙ୍ଗଳ ହେଉ ।

ସମ୍ରାଟ୍‌

ଆଚ୍ଛା ଯୁବକ, ପ୍ରାସାଦରେ ତୁମେ ମୋ ସଙ୍ଗେ ଦେଖା କରିବ ।

 

(କହୁ କହୁ ଚାଲିଗଲେ)

ଦାରା

ଏଇ ଇରାନ ଅଧିପତି, ମୋର ପିତୃହନ୍ତା, ମୁଁ ଏହାକୁ ସଲାମ କଲି ? (ଅବଶୋଷ କରିବା)

ନାଦେର୍‌

ଏହିପରି ଅନେକ ବାର କରିବାକୁ ପଡ଼ିବ ।

ଦାରା

ଅନେକ ଥର !

ନାଦେର୍‌

ହଁ ଭୁଲି ଯାଅନା, କଣ ପ୍ରତିଜ୍ଞା କରିଛ ?

ଦାରା

ଏହି ପ୍ରତିଜ୍ଞା ହିଁ ମୋତେ ପାଷାଣ କରିଦେବ ।

ନାଦେର୍‌

(ଇଉସୁଫ୍‌କୁ ଅଦୂରେ ଦେଖି) ଯାଅ ତୁମ୍ଭର ବନ୍ଧୁଙ୍କଠାରୁ ବିଦାୟ ଘେନି ମୋତେ ଗୃହରେ ଦେଖା କରିବ । ମୁଁ ଏହିଠାରୁ ଆସୁଛି । ହଁ ମନେରଖ, ଆଜିଠାରୁ ଜଗତରେ ତୁମ୍ଭର ଆପଣାର ବନ୍ଧୁ ବୋଲି କେହି ନାହିଁ, ଏକମାତ୍ର ବନ୍ଧୁ ପ୍ରତିହିଂସା । (ପ୍ରସ୍ଥାନ)

 

(ଦାରା ଇଉସୁଫ୍‌କୁ ଡାକିବାରୁ ଇଉସୁଫ୍‌ ଆସିଲେ)

ଇଉସୁଫ୍‌

କି ଭାଇ ଦାରା, ବଂଶ ପରିଚୟ ପାଇଲ ?

ଦାରା

ଇଉସୁଫ୍‌, ଆଜିଠାରୁ ତୁମ୍ଭର ମୋର କୌଣସି ସମ୍ପର୍କ ନାହିଁ ।

ଇଉସୁଫ୍‌

ଏଁ ଏସବୁ କଅଣ କହୁଛ ଦାରା ? ତୁମର ମୁଖ ଏପରି ବିମର୍ଷ ଦେଖାଯାଉଛି କାହିଁକି? ଘଟଣା କଅଣ କୁହ ଭଲା ? ଏପରି ପରିହାସ କରୁଛ କାହିଁକି ?

ଦାରା

ନା ଇଉସୁଫ୍‌, ପରିହାସ ନୁହେଁ ସତ୍ୟ, ଯାହା ସତ୍ୟ ତାହାହିଁ କହୁଛି । ଯାଅ ଇଉସୁଫ୍‌, ତୁମେ ଖୋରାସାନ ଫେରିଯାଅ, ମୁଁ ମୋର ଗନ୍ତବ୍ୟ ପଥ ଅନୁସରଣ କରେ ।

ଇଉସୁଫ୍‌

ତୁମର ଚଚ୍ଚା କିମ୍ୱା ଗୁଲ୍ଲରାକୁ କିଛି କହିବାର ନାହିଁ ?

ଦାରା

କିଛି ନାହିଁ । ମୋର ଅତୀତର ଯାହାକିଛି ଥିଲା, ସେ ସମସ୍ତ ରକ୍ତର ତୁଳିକାରେ ଲିଭାଇ ଦେଇଛି । ଆଉ ମୋ ପୂର୍ବ ସ୍ମୃତି ନାହିଁ, ଚଚ୍ଚା ନାହିଁ, ଗୁଲ୍ଲରା ନାହିଁ, ଏପରି କି ତୁମେ ମଧ୍ୟ ନାହଁ । ବର୍ତ୍ତମାନ ମୁଁ ମୋର ସଙ୍ଗୀ, ମୁଁ ମୋର ବନ୍ଧୁ । ଏଇ ପୃଥ୍ୱୀ ଆଜିଠାରୁ ନିଃସଙ୍ଗ କାରାଗାର । ବିଦାୟ ହୁଅ ଇଉସୁଫ୍‌ ଭାଇ ।

ଇଉସୁଫ୍‌

(ଇତସ୍ତତଃ ହୋଇ) ହଉ ଭାଇ ଯାଉଛି, କିନ୍ତୁ ମନେ ରଖିଥିବ, ସାଙ୍ଗ ହୋଇ ଅନେକ ଅପରାଧ କରିଛି, କ୍ଷମା କରିବ । (ସ୍ୱଗତ) ବଡ଼ ଅଦ୍ଭୁତ ଘଟଣା, ସାଙ୍ଗେ ସାଙ୍ଗେ ଅନ୍ୟ ରକମ । ସାଥି ହୋଇ ଫୁର୍ତ୍ତିରେ ଆସିଥିଲି, ଏକୁଟିଆ ଯିବି ! (ପ୍ରକାଶ୍ୟେ) ବଡ଼ ଦୁଃଖ ଲାଗୁଛି, କେତେ ଖେଳ, କେତେ କଥା, ସବୁ ପାଶୋରିବାକୁ ହେଲା ? ହା ଖୋଦା ! ହଁ, ଯିବାବେଳେ ଗୋଟାଏ କଥା କହିଯାଏ, ସମ୍ପଦରେ ନ ପଚାରିଲେ ନାହିଁ ଭାଇ, ବିପଦରେ ଶୀଘ୍ର ଜଣାଇବୁ । ଏତକ ଅନୁରୋଧ ଭାଇ, ଆସେ ତେବେ, ସଲାମ । ( ସଲାମ କରି ଇଉସୁଫ୍‌ ପ୍ରସ୍ଥାନ )

ଦାରା

ସଲାମ (ଉଭୟ ଉଭୟଙ୍କୁ ଚାହିଁ, ଇଉସୁଫ୍‌ ପ୍ରସ୍ଥାନ) ହେ ଖୋଦା, ହେ ଅନନ୍ତ ଶକ୍ତିର ଆଧାର ! ଯେବେ ଏ ହୃଦୟର ନିଭୃତ କୋଣରେ ସ୍ନେହ ମମତା, ଦୟା ମାୟାର ବିନ୍ଦୁବିସର୍ଗ ମାତ୍ର ଥାଏ, ତୁମେ ସେ ସମସ୍ତ ଧ୍ୱଂସ କର । ଏଇ ହୃଦୟ ଆଜିଠାରୁ ପାଷାଣରେ ପରିଣତ ହେଉ, ଶୋଣିତରେ ଅଗ୍ନିର ପ୍ରବାହ ପ୍ରବାହିତ ହେଉ, ପ୍ରତି ମାଂସପେଷୀ ବଜ୍ରତୁଲ୍ୟ କଠିନ ହେଉ । ଆଜିଠାରୁ ଆହାରେ ବିହାରେ, ଶୟନେ ସ୍ୱପନେ ଏକମାତ୍ର ବନ୍ଧୁ ପ୍ରତିହିଂସା, ଏକମାତ୍ର ଆତ୍ମୀୟ ପ୍ରତିହିଂସା, ଏକମାତ୍ର ସଙ୍ଗୀ ପ୍ରତିହିଂସା । ଆଜିଠାରୁ ଏଇ ପ୍ରତିହିଂସା ଛାୟାପରି ମୋର ଅନୁସରଣ କରିବ । ମୁଁ ତା ସଙ୍ଗେ କଥା କହିବି, ଗୀତ ଗାଇବି, ମାନସ କୁସୁମରେ ହାରଗୁନ୍ଥି ତା ଗଳାରେ ପିନ୍ଧାଇ ଦେବି । ମୋତେ ତୃଷା ହେଲେ ପ୍ରତିହିଂସା ଶୀତଳ ପାନୀୟ ଦେବ, କ୍ଷୁଧା ହେଲେ ଅନ୍ନ ଦେବ । ମୁଁ ଅବସନ୍ନ ହୋଇପଡ଼ିଲେ ଅତି ଯତ୍ନରେ ମୋର ଶଯ୍ୟା ରଚନା କରିଦେବ । ମୁଁ ନିଦ୍ରାଗଲେ ମୋର କର୍ଣ୍ଣରେ ସ୍ୱପ୍ନ ଛଳରେ କହିବ ପ୍ରତିହିଂସା, ପ୍ରତିହିଂସା, ପ୍ରତିହିଂସା (ତରବାରୀ ଖୋଲି)ରେ ନରାଧମ ଦୁର୍ବୃତ୍ତ ! ଶାସ୍ତି, କାଳାନ୍ତକ ପ୍ରତିହିଂସା ଶବ୍ଦଟି ଅଗ୍ନି ଅକ୍ଷରରେ ଲେଖାଥାଉ । ଏଇ ମୁହୂର୍ତ୍ତଠାରୁ ଯେତେଦିନ ପର୍ଯ୍ୟନ୍ତ ମୋର ପିତାଙ୍କର ହୀନ ହତ୍ୟାର ପ୍ରତିଶୋଧ ନ ନେଇଛି, ତେତେ ଦିନ ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୋର ଅନ୍ୟ ଚିନ୍ତା ନାହିଁ, ଅନ୍ୟ ତୃପ୍ତି ନାହିଁ, ଅନ୍ୟ କାର୍ଯ୍ୟ ନାହିଁ । ବନ୍ଧୁତ୍ୱର ବନ୍ଧନ, ରମଣୀର ପ୍ରେମ, ସୌନ୍ଦର୍ଯ୍ୟର ଆକର୍ଷଣ (କେତେକ ଦାସୀ ସହ ମିସ୍‌ଜିଦ୍‌ରୁ ବାହାରିଗଲେ, ପଛରେ ସଖୀମାନେ ଯାଉଥିଲେ । ଦାରା ଦେଖି ପଚାରିଲେ) ଏ କିଏ ?

ରକ୍ଷୀ

ଇରାନ୍‌ର ରାଣୀ !

ଦାରା

ଇରାନ୍‌ର ରାଣୀ (ହାତରୁ ଛୁରା ଖସିପଡ଼ିଲା ) ଆହା କି ରୂପବତୀ, କିନ୍ତୁ ଏତେ ବିରସ କାହିଁକି ? ଯେପରି ଦୁଃଖ ଚିନ୍ତାର ରେଖା ତାର ମୁଖ ମଣ୍ଡଳରେ ଫୁଟି ଦିଶୁଛି । ରେ ହୃଦୟ, ଏହା କି ଦୁର୍ବଳତା ! ଦୃଢ଼ ହୁଅ, ଦମ୍ଭଧର, ପ୍ରତିହିଂସା ! ପ୍ରତିହିଂସା ! ! ପ୍ରତିହିଂସା ! ! ! (ବ୍ୟଗ୍ରେ ପ୍ରସ୍ଥାନ)

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ - ଦ୍ରାକ୍ଷାକ୍ଷେତ୍ର

(ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ବଡ଼ ଗଛରେ ଦୋଳିଟିଏ ଲାଗିଥିଲା)

ଗୁଲ୍ଲରା

(ଖୋଜି ଖୋଜି ଉତଲା ହେଲାପରି) ଦାରା ! ଦାରା ! କାହିଁ, ଏଠାରେ ତ ମଧ୍ୟ ନାହିଁ । ନାଁ, ବୋଧହୁଏ କୁଆଡ଼େ ଚାଲିଯାଇଛି । ମୋତେ ନକହି ଚାଲିଗଲା, ତାର ମନ ଟିକେ କଲବଲ ହେଲାନାହିଁ ! ଏତେ ସ୍ନେହ, ଏତେ ମମତା, ସବୁ ଭୁଲିଗଲା ! ଦାରା ! ଦାରା !

ନସିର୍‌

(ପ୍ରବେଶ) ଦାରା, ଦାରା କାହିଁକି ହେଉଛୁ ଗୁଲ୍ଲରା ? ଦାରା ପାଇଁ ଏତେ ଉତଲା କାହିଁକି ? ସେ ବିଶେଷ କିଛି କାମରେ ଯାଇଛି, ତା ସଙ୍ଗରେ ଇଉସୁଫ୍‌ ମଧ୍ୟ ଯାଇଛି । ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଫେରିଆସିବ । ମନରେ ଦୁଃଖ କରିବାର କିଛି ନାହିଁ ।

ଗୁଲ୍ଲରା

ଚଚ୍ଚା ! ଚଚ୍ଚା ! ସତେ ସେ ଫେରିଆସିବ ? ଫେରି ଆସିବ, ସତ କହ ଚଚ୍ଚା ।

ନସିର

ହଁ ଝିଅ, ଫେରିଆସିବ, ତୁ ଏଇଠି ଖେଳୁଥା, ସେ ଆସିଲାପରି । (ଧୀରେ ପ୍ରସ୍ଥାନ)

ଗୁଲ୍ଲରା

(ଦୋଳିରେ ବସି ଗୀତଟିଏ ଗାଇଲା) (ଗୀତାନ୍ତେ ଇଉସୁଫ୍‌ ପ୍ରବେଶ କଲା, ଗୁଲ୍ଲରା ଦେଖି ଦୋଳିରୁ ଓହ୍ଲାଇ ଆସିଲା)

ଗୁଲ୍ଲରା

ଇଉସୁଫ୍‌ ଭାଇ ! ଇଉସୁଫ୍‌ ଭାଇ ! ଦାରା କାହିଁ ? (ଇଉସୁଫ୍‌ ମୁଣ୍ଡରେ ହାତ ଦେଇ ବସିପଡ଼ିଲା) ଏଁ, ତୁମେ କିଛି କହୁନା ଯେ ସତ କୁହ, ସତକୁହ ଭାଇ, ଦାରା କାହିଁ ?

ଇଉସୁଫ୍‌

ସେ ଆଉ ଆସିବ ନାହିଁ ।

ଗୁଲ୍ଲରା

କଅଣ କହୁଛ, ଆସିବ ନାହିଁ କାହିଁକି ?

ଇଉସୁଫ୍‌

ତା ଜାଣେନା, କିନ୍ତୁ ବର୍ତ୍ତମାନ ମତଲବ ଭିନ୍ନ କି କଅଣ?

ଗୁଲ୍ଲରା

ସେ କଅଣ କହିଲା ?

ଇଉସୁଫ୍‌

ଦିନେ କେହି ଜଣେ ଲୋକ ତା ନିକଟକୁ ଖଣ୍ଡେ ପତ୍ର ଦେଇଥିଲା, ସେଥିରେ ସେ ଅନୁରୋଧ କରିଥିଲା ଯେ, ଇସ୍ପାହାନ ସହରର ଚକ୍‌ ବଜାରରେ ଶୁକ୍ରବାର ଦିନ ବାରଘଣ୍ଟା ସମୟରେ ସାକ୍ଷାତ୍‌ କରିବାକୁ । ଯିବା ସମୟରେ ଆମେ ସେ ଲୋକର ସାକ୍ଷାତ୍‌ କଲୁ । ମୋତେ ଅନ୍ତରାଳକୁ ପଠାଇ ଦେଇ ସେମାନେ ଅନେକ ସମୟ କଅଣ କଥାବାର୍ତ୍ତା କଲେ । ପରେ ମୁଁ ଆସି ଦେଖିଲି ଯେ, ଦାରାର ମତଲବ ଅନ୍ୟ ରକମ । ସେ ଆଉ ଆମ୍ଭମାନଙ୍କୁ ଚାହେଁ ନାହିଁ ।

ଗୁଲ୍ଲରା

ସେ କଅଣ ମୋତେ ମଧ୍ୟ ଭୁଲିଗଲା ?

ଇଉସୁଫ୍‌

ଅବୋଧ ବାଳିକା, ତୋତେ କଣ ସେ ଆଉ ପଚାରିବ ?

ଗୁଲ୍ଲରା

ସେଠାକୁ ଗଲେ କଅଣ ଦେଖା ପାଇବି ନାହିଁ ? ଏ କଅଣ ହେଲା ! ଏତେ ସ୍ନେହ, ଏତେ ମମତା, ଇଉସୁଫ୍‌ ଭାଇ ! ଦେଖା କଅଣ ଆଉ ହେବ ନାହିଁ ?

ଇଉସୁଫ୍‌

ଆଉ ଦେଖା ହେବ ନାହିଁ । ଦେଖାହେଲେ ମଧ୍ୟ ତାର କୌଣସି ମୂଲ୍ୟ ନାହିଁ । ମୁଁ ଅନୁମାନରେ କହୁଛି, ସେ ବର୍ତ୍ତମାନ ବଡ଼ଲୋକ । ତୁ ତାକୁ ଭୁଲିଯା, ଭୁଲିଯା, ଭୁଲିଯା । (ପ୍ରସ୍ଥାନ)

ଗୁଲ୍ଲରା

ଏ କିପରି କଥା ? ନା ମୁଁ ଯେପରି ହେଉ ଯିବି, ନିଶ୍ଚୟ ଯିବି । ସେ ମୋତେ ଭୁଲିଗଲା ସତ; କିନ୍ତୁ ମୁଁ ତ ତାକୁ ଭୁଲି ପାରିବି ନାହିଁ । ଦାରା, ଦାରା, ତୋର ଯେ ପଥ, ମୋର ମଧ୍ୟ ସେଇ ପଥ । (ଚାଲିଗଲା)

ଦ୍ୱିତୀୟ ଦୃଶ୍ୟ

ପଥ

(ପୂର୍ବ ବାଳିକାଟି ଅନ୍ଧକୁ ଘେନି ଆସୁଥାଏ, ଅନ୍ଧ ଗାଉଥାଏ ଗୋଟିଏ ଗୀତ, ବାଳିକା ମଧ୍ୟ ସାଥିରେ ଗାଉଥାଏ)

(ଗୀତାନ୍ତେ ପୂର୍ବ ନାଗରିକ ଜଣକ ଗୋଟିଏ ଠୁଙ୍ଗାରେ କେତେକ ଖାଦ୍ୟସାମଗ୍ରୀ ଧରି

ପ୍ରବେଶ କଲା ।)

ନାଗରିକ

ତୁମ ପାଇଁ କିଛି ଖାନା ଆଣିଛି ନିଅ ।

ବାଳିକା

(ତାର ମୁଖକୁ ଚାହିଁ ନେଉ ନଥାଏ, ମୁଖ ଫେରାଇ ନେଲା)

ନାଗରିକ

ମୁଁ ବଜାରରୁ ବର୍ତ୍ତମାନ ତାଜା ମାଲ ଖରିଦ କରି ଆଣିଛି, ନିଅ ତୁମ୍ଭ ଦୁଃଖରେ ମୋର ସହାନୁଭୂତି ଅଛି ।

ଅନ୍ଧ

ବାବୁ କଅଣ ଦେଉଛନ୍ତି ରଖ ।

ବାଳିକା

(ମୁହଁକୁ ନ ଚାହିଁ ଝୁଲା ବଢ଼ାଇ ଦେଲା । ନାଗରିକ ଠୋଲାଟି ଝୋଲାରେ ଦେଲା । ପକେଟରୁ ଗୋଟିଏ ପାଞ୍ଚଟଙ୍କିଆ ନୋଟ ବାହାର କରି ଆଖିଠାର ମାରି କହିଲା ।)

ନାଗରିକ

ଏ ରୋପେୟା ପାଞ୍ଚଠୋ ଲୋ ।

ବାଳିକା

ଉଁ ହୁଁ ।

ନାଗରିକ

(ଠାରଠୁର କରି ପୁଣି ଯାଚିଲା)

ବାଳିକା

ନେହିଁ ।

ଅନ୍ଧ

କ୍ୟା ହୁଆ ?

ବାଳିକା

ଏ ମୋତେ (କିଛି କହନା ବୋଲି ନାଗରିକ ବାଧା ଦେବା ସତ୍ତ୍ୱେ ବାଳିକା କହିଲା) ଏ ମୋତେ ପାଞ୍ଚଟଙ୍କା ଯାଚୁଛନ୍ତି ।

ଅନ୍ଧ

ବାବୁ ଯାହା ଦେଲେ ଆମେ ସେତକିରେ ତୃପ୍ତ, ଆମର ଟଙ୍କା ପଇସା କଅଣ ହେବ ? ତାକୁ ବା ନେଇ କେଉଁଠି ରଖିବୁ, ମାଫ୍‌ କର ।

ନାଗରିକ

ମୋର ତୁମ ପ୍ରତି ବଡ଼ ଶ୍ରଦ୍ଧା ଆସୁଛି, ମୁଁ ଇଚ୍ଛାକଲେ ତୁମର...

ଅନ୍ଧ

ଖୋଦାଙ୍କ ଇଚ୍ଛାରେ ଆମେ ଦୀନ ହୀନ କାଙ୍ଗାଳ, ପୁଣି ତୁମ ଇଚ୍ଛା, ତୁମେ ଖୋଦାଙ୍କ ଉପରେ ଆଉ କିଏ ?

ନାଗରିକ

ନାହିଁ, ଅନ୍ଧ ଛୋଟା ଗରିବ ଏମାନଙ୍କୁ ଦେଖିଲେ ମୋର ହୃଦୟରେ ଦୟା ଆସେ, ବିଶେଷତଃ ଏ ବାଳିକାଟି ପ୍ରତି

ଅନ୍ଧ

କିନ୍ତୁ ଅନ୍ଧ ପ୍ରତି ନୁହେଁ; ବାଳିକା ହିଁ ଆପଣଙ୍କର ହୃଦୟରେ ଦୟାର ଭାବ ସଞ୍ଚାର କରିଦେଇଛି । ଦୁନିଆରେ ଆପଣଙ୍କ ପରି କେତେଙ୍କୁ ଆମେ ଦେଖି ଆସିଲୁଣି, ଆଖି ନଥିଲେ ସୁଦ୍ଧା ମୋର ଅନ୍ତର ଆତ୍ମା ସବୁ ଜାଣୁଛି, ଶୁଣୁଛି । ଯାଅ ବାବୁ, ତୁମ ପଥରେ ତୁମେ ଯାଅ । ଆମେ ଆମ ପଥରେ ଯାଉଛୁ । (ପୂର୍ବ ଗୀତ ଗାଇ ଗାଇ ଚାଲିଗଲା)

ନାଗରିକ

ଆଚ୍ଛା ଛୋକ୍ରୀ, ଦେଖ୍‌ ଲେଙ୍ଗେ । କେସା ସତୀ ହୈ । (ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

ଦରବାର

 

(ଇରାନର ଦରବାର ସିଂହାସନରେ ସମ୍ରାଟ୍‌ ଆସୀନ, ପାରିଷଦମାନେ ଉପବିଷ୍ଟ)

 

(ନର୍ତ୍ତକୀମାନଙ୍କ ଗୀତ)

 

(ଟେବୁଲ ଉପରେ ମଦ୍ୟପାତ୍ର ଇତ୍ୟାଦି, ଫୁଲତୋଡ଼ା ସଜ୍ଜିତ ଥିଲା)

ଦାଉଦ୍‌ ସାହା

ଏ କଉନ ହୈ ! ସିରାଜୀ

(ଜଣେ ନର୍ତ୍ତକୀ ସିରାଜୀ ବଢ଼ାଇ ଦେଲା) କଅଣ ହେଉଛି, ଗିଲାସ ପୂରୁ ନାହିଁ । (ଆଉ ଦେଲା, ସୁରା ପାନ କରି)

 

ଗାଅ, ନାଚ, ମୁଁ ସମ୍ରାଟ୍‌ ନା ?

୧ମ ପାରିଷଦ

ହଜୁର ଆପଣ ସମ୍ରାଟ୍‌ ।

ଦାଉଦ୍‌ ସାହା

ମୋ ମସ୍ତକ ଉପରେ ରାଜଛତ୍ର ଅଛି ତ ?

 

୨ୟ ପାରିଷଦ ହଜୁର, ନିଶ୍ଚୟ ଅଛି ।

ଦାଉଦ୍‌

ବର୍ତ୍ତମାନ ସୁରା ସ୍ରୋତରେ ମୋର ତରଣୀ ଚଳାଇ ନେବି, ଯେତେଦୂର ଯାଉ ଚିନ୍ତିତ କରନା । (ଦାରାର ପ୍ରବେଶ) କିଏ ଆସିଲେ ?

 

୧ମ ପାରିଷଦ ନୂଆ ସେନାପତି ।

ଦାଉଦ୍‌

ସେନାପତି ? ଆସ ଆସ ଏହି ନିଅ (ମଦ୍ୟ ପାତ୍ର ବଢ଼ାଇବା)

ଦାରା

ମାର୍ଜ୍ଜନା କରିବେ ସମ୍ରାଟ୍‌ !

ଦାଉଦ୍‌

ଓ, ଖାଅନା । କାହିଁକି ? କଅଣ ସତୀତ୍ୱ ନଷ୍ଟ ହୋଇଯିବ ?

ଦାରା

(ସ୍ୱଗତ) ଖୋଦା, ଖୋଦା, ନରାଧମ ଶାସ୍ତି ଆଜି ପାଉନାହିଁ ।

ଦାଉଦ୍‌

କଅଣ ଭାବୁଛ ଦାରା ! ଖାଇବ ? ଖାଅ ଟିକିଏ ? ଓ ଖାଅନା ପରା, ହଁ ଦେଖ, ତୁମେ ମୋର ସେନାପତି । ତୁମ୍ଭର କର୍ତ୍ତବ୍ୟ ବର୍ତ୍ତମାନ ଏହି ଯେ, ବିଦେଶୀ ଆକ୍ରମଣରୁ ଦେଶକୁ ରକ୍ଷା କରିବା । ଆଉ ପ୍ରଜାମାନେ ଯେପରି ଶାନ୍ତିରେ ବାସ କରନ୍ତି, ତହିଁ ପ୍ରତି ସର୍ବଦା ଦୃଷ୍ଟିଦେବ, ବୁଝିଲ ?

ଦାରା

ଜୀ ହାଁ ।

ଦାଉଦ୍‌

ହଁ ବସ ।

ପାରିଷଦ

ଆଉ ଖଣ୍ଡେ ରଙ୍ଗ ରଙ୍ଗିଆ ଗୀତ ହେଉ ।

ଦାଉଦ୍‌

ହଁ ! ଠିକ୍‌ କଥା, ଏ ନାଚଓ୍ୟାଲୀ ।

 

(ପୁନଶ୍ଚ ନର୍ତ୍ତକୀମାନଙ୍କ ଗୀତ)

ଦାଉଦ୍‌

ବାଃ ବାଃ, ବେଶ୍‌ ବେଶ୍‌ । (ପ୍ରହରୀ ପ୍ରବେଶ କଲେ)

ପ୍ରହରୀ

ମହାରାଜ ! ସର୍ବନାଶ ଉପସ୍ଥିତ । ମହାରାଣୀ ଧନାଗାର ଖୋଲି ଦେଇଛନ୍ତି, ପ୍ରଜାମାନେ ଧନସମ୍ପତ୍ତି ବୋହି ନେଇ ଯାଉଛନ୍ତି । ଆମ୍ଭେମାନେ କହିବାରୁ କହିଲେ ଯାଅ ଧର୍ମକାର୍ଯ୍ୟରେ ବାଧା ଦିଅନା ।

ଦାଉଦ୍‌

(ବ୍ୟସ୍ତ ହୋଇପଡ଼ି) ଆରେ ଆରେ, ନାହାନ୍ତି କି ପାତ୍ରମନ୍ତ୍ରୀ ମୋର । ଏତେଜଣ କେଉଁଆଡ଼େ ଗଲେ ? ଯାଅ ସେନାପତେ, ଅନ୍ତଃପୁର ଦ୍ଵାରେ ତୁମ୍ଭେ ଜାଗ୍ରତ ହୋଇ ସତର୍କଭାବେ ଦୃଷ୍ଟିଦିଅ ।

ଦାରା

ଯୋ ହୁକୁମ ଖୋଦବନ୍ଦ (ପ୍ରହରୀ ଓ ଦାରା ପ୍ରସ୍ଥାନ)

ଦାଉଦ୍‌

ଧର୍ମ ଅଧର୍ମ କଅଣ ? ପାପ ପୁଣ୍ୟ କଅଣ ? ଏସବୁ କିଛି ନୁହେଁ । ମନର ବିକାର ମାତ୍ର । ରାଣୀ ଦୁଷ୍ଟା, ମୋ ମହିଷୀ ହୋଇ ମୋର ବିନା ଆଦେଶରେ ଏତେ ସ୍ପର୍ଦ୍ଧା ଯେ ? ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଥିବି, ସେ ପର୍ଯ୍ୟନ୍ତ ସୁରାସ୍ରୋତରେ ଭାଷି ବୁଲିବି । ଓଃ, ଆଉ ବସି ପାରୁନାହିଁ । ସୁରାର ମାଦକତା ବଡ଼ ତୀବ୍ର । ଦେହ ଅଶଳତ କରି ଦେଉଛି । ଅଙ୍ଗ ପ୍ରତ୍ୟଙ୍ଗ ବିବ୍ରତ ହୋଇପଡ଼ୁଛନ୍ତି । ଯାଏଁ ବିଶ୍ରାମ ନିଏ । (ଟଳ ଟଳ ହୋଇ ପ୍ରସ୍ଥାନ କଲେ)

 

ଚତୁର୍ଥ ଦୃଶ୍ୟ

ରାଜପଥ

 

(ଜଣେ ନାଗରିକ ବହୁତଗୁଡ଼ିଏ ଅଖା ଟୋକେଇ ସଂଗ୍ରହ କରି ଆସୁଥିବା ପୂର୍ବରୁ ଆଗୁଁ ଅନ୍ୟ ଜଣେ ଲୋକ ଜ୍ୱରରେ କମ୍ପି କମ୍ପି ରାସ୍ତାରେ ବସିପଡ଼ିଲା)

୧ମ ନାଗରିକ

ଏହି ତ ଜଗିଲି, ଆଜି ନଛୋଡ଼୍‌ ବନ୍ଧା ।

୨ୟ ନାଗରିକ

(ଅଖା ଟୋକେଇ ଘେନି ଉପରମୁହାଁ ହୋଇ ବେଗେ ଆସି ଲୋକକୁ ଝୁଣ୍ଟି ପଡ଼ିଗଲା)

୧ମ ନାଗରିକ

ଓଃ, ମାରି ପକାଇଲା, ଶଳା ଅନ୍ଧ ନା କଅଣ ?

୨ୟ

(ପଡ଼ିଉଠି) ଶଳା ଅନ୍ଧଟାଏ ନା କଅଣ, ବାଟଟାରେ ବସି ମାରି ପକାଇଲା ମଣିଷକୁ ।

୧ମ

ମୁଁ ଅନ୍ଧ ନା ତୁ ଅନ୍ଧ । ମଣିଷଟାକୁ ମାଡ଼ି ଚାଲି ଯାଉଛୁ, ଏଡ଼େ ଚାଲିଲା ବାଲାଟାଏ ତୁ ? ଆଖି କଅଣ ଚାଳରେ ଖୋସି ଚାଲୁଥିଲୁ ? ଦେଖିଲୁ ଏ ପିଠି କଅଣ ହେଲା ?

୨ୟ

ମୋର ତ ଆଣ୍ଠୁ ଛିଡ଼ିଗଲା, ବାଟଟାରେ ବସି ଆହୁରି ଦିମାକ୍‌ କାଢ଼ୁଛି ।

୧ମ

(ଧରି ପକାଇ) ଆଇଲୁ ଗୋଟାଏ ଭଲ ଲୋକକୁ ପଚାରିବା, ଏଥିରେ କାହାର କାଇଲ୍‌ ।

୨ୟ

ଆରେ ଛାଡ଼ ସେ କାଇଲ୍‌, ପଛେ ବୁଝିବୁ ) (ନପେଥ୍ୟକୁ) ଗଲା ରେ ଗଲା ରେ ଗୋଟାଏ ତୋଡ଼ା ଗଲା (ବ୍ୟସ୍ତ ହୋଇ ପଡ଼ିବା)

୧ମ

କି ତୋଡ଼ା ରେ ?

୨ୟ

ସାଇଲା ତ ସବୁ, ଆରେ ଛାଡ଼ ଗଲା ଗଲା । ଆଉ ଗୋଟାଏ ତୋଡ଼ା ଗଲା (ନେପଥ୍ୟକୁ ଚାହିଁବା) ।

୧ମ

ଆରେ କି ତୋଡ଼ା ନ କହିଲେ ଛାଡ଼ିବି ନାହିଁ । ମୁଁ ଦରୁଆନ ମଣିଷଟା, ମୋତେ ଦରମରା କରି ଦେଇ ତୋଡ଼ା, ଆରେ କୁଆଡ଼େ ଯାଉଛୁ କହ ?

୨ୟ

ଜାହାନ୍ନମକୁ ଯାଉଛି, କଥା କହି ମୋ କାମ ଭଣ୍ଡୁର କରନା କହୁଛି । ଗଲା ରେ ତୋଡ଼ା ଗଲା ଓଃ ।

୧ମ

ତୋଡ଼ା ତୋଡ଼ା କଅଣ କହୁଛୁ, ମୁଁ ବୁଝିପାରୁନାହିଁ ।

୨ୟ

ଏକ୍ଷଣି କହିବାକୁ ଫୁରୁସତ ନାହିଁ, ଫେରିଲେ କହିବି । ଯେତେବେଳେ ସୁନାର ଆଲମଗିରୀ ହୁକାରେ ବନାରସି ଗୁଡ଼ାଖୁ ଭର୍ତ୍ତି ହୋଇଥିବ ।

୧ମ

ନ କହିଲେ ତ ଛାଡ଼ିବି ନାହିଁ, କଥାଟା କହିବାକୁ ପଡ଼ିବ ।

୨ୟ

ଆଚ୍ଛା ବିପଦ, (ନେପଥ୍ୟକୁ ଚାହିଁ) ଏହି ଗଲା; ତିନି ତୋଡ଼ା ଗଲା । ଶୁଣିବୁ ଯେବେ ଶୁଣୁଥିବୁ ସଂକ୍ଷେପରେ ଆମ୍ଭ ବାଦସାହୀ ଆଜି ରାଜକୋଷ ଖୋଲି ଦେଇଛନ୍ତି । ବିଲ୍‌କୁଲ ସାହାଣ ମେଲା, ଯେ ଯେତେ ପାରିବ ବୋହିନିଅ, ଦିଲ୍‌ଦରିଆ ।

୧ମ

କଅଣ କହୁଛୁ, ବିଶ୍ୱାସ ହେଉନାହିଁ କାହିଁକି ମ ?

୨ୟ

ସେ କଥା କିଏ କହିବ ? ଆମର ପିଠା ଖାଇବା କଥା, ବିନ୍ଧ ଗଣିବାରେ ପ୍ରୟୋଜନ କଅଣ ? ଆଣିବାକୁ ଇଚ୍ଛା ଅଛି ତ ମୋ ସାଙ୍ଗରେ ଆ । ଅଣ୍ଟାରେ, ପକେଟରେ, ହାତ ମୁଠାରେ ଯେତେ ଯେତେ ଆଣି ପାରିବୁ । ଆ ।

୧ମ

ଖାଲି ପଇସା ନା ଟଙ୍କା । ନା ଆଉ

୨ୟ

ଆଉ ତୋ ମୁଣ୍ଡ ଗଣ୍ଡି । ଛାଡ଼ ଗଲା ରେ, ଗଲା ରେ, ଚାରିତୋଡ଼ା ଗଲା ।

୧ମ

କହ ଟଙ୍କା କି ପଇସା, ନୋହିଲେ ତ ଛାଡ଼ିବି ନାହିଁ ।

୨ୟ

ଆରେ ଟଙ୍କା ନୁହେଁ କି ପଇସା ନୁହେଁ । ସୁଦ୍‌ ନିରୋଳ ଅସରଫି, ଚକ୍‌ ଚକ୍‌ ଝଣ୍‌ ଝଣ୍‌ ।

୧ମ

ଓ, ତୁମେ ସେଇଥିପାଇଁ ଏତେ ଥଳୀ ମୁଣି ବୋରା ଟୋକେଇ ଘେନି ଚାଲିଛ, ନା ? ତମଠୁ ବଳିବ ଯେ ଆଉ ଅନ୍ୟ କିଏ ପାଇବ ।

୨ୟ

ଆରେ ଓଲୁ, ରାଜଭଣ୍ଡାର ଯେ ଅସରନ୍ତି । ଛାଡ଼ ଗଲା, ଏଇ ପାଞ୍ଚତୋଡ଼ା ଗଲା । ମନ ଅଛି ତ ଆ । (ଛାଟି ହୋଇ ଚାଲିଗଲା)

୧ମ

ହଉ ମୁଁ ଏଇଠି ବସିରହିଲି । ତୁ ଯା, ଏଇ ବାଟେ ତ ଆସିବୁ, ମୋର କଅଣ ଧନକୁ ଅପେକ୍ଷା ଅଛି । ସେଦିନ ଯେଉଁ ସୁରତ ଓ୍ୟାଲି ଛୋକ୍ରୀ, କାଞ୍ଚନ ତ ଯଥେଷ୍ଟ ଅଛି ପୁଣି ବି ମିଳିବ । କିନ୍ତୁ ଅଭାବ ସେମିତିକିଆ କାମିନୀଟିଏ (ଦୂରରୁ ଗୀତ ଶୁଭିଲା) ଏଇ ଆଇଲା ତ (ବସିପଡ଼ିଲା) ।

ଗୁଲ୍ଲରା

(ଗୀତ ଗାଇ ପ୍ରବେଶିଲା )

 

ଗୀତ

ପ୍ରିୟ ସାଥି ପ୍ରାଣ ସାଥି ମୋର ସାଥି ।

କେଣେ ଗଲ ପ୍ରିୟସାଥି ତୁମ ଅଦର୍ଶନେ ଥୟ ନୁହେଁ ମନ ।

ଦକ ଦକ ହୁଏ ଛାତି । ପଦ ।

ତବ ସ୍ନେହବୋଳା ଅମୃତ ବଚନ ।

ଜଗାଇଛି ହୃଦେ କି ଅମିୟ ପ୍ରେମ (ଆଜି)

ବିଚ୍ଛେଦେ ମୁଁ ସରିଗଲି ସିନା ମରି

ଝୁରି ଝୁରି ଦିନରାତି । ୧ ।

 

ନାଗରିକ

ବାଃ ବାଃ, ଏକଲା ଏକଲା, ଆଜି ଅନୁକୂଳଟା ଠିକ୍‌ ।

ଗୁଲ୍ଲରା

ମହାଶୟ, ରାଜଭବନକୁ ବାଟ ଏଇ ତ ?

ନାଗରିକ

ତମ ସାଥି ଅନ୍ଧ ଭାଇଟିକୁ କୋଉଠି ଛାଡ଼ି ଆସିଲ କି ?

ଗୁଲ୍ଲରା

ଭାଇ ଅନ୍ଧ ନୁହେଁ, ମୋତେ ଅନ୍ଧ କରି ଭାଇ ମୋର କୁଆଡ଼େ ଚାଲି ଆସିଛି ।

ନାଗରିକ

ତମର ତ ଆଖି ଦିଓଟି ଜୁଳୁ ଜୁଳୁ ଦିଶୁଛି । ଅନ୍ଧ କେମିତି କହୁଛ ବା । ମୋତେ ଚିହ୍ନିପାରୁଛ, ମୁଁ ସେହି ।

ଗୁଲ୍ଲରା

ମୁଁ ତ କେବେ ତୁମକୁ ଦେଖି ନାହିଁ ! ମୋର ତ ଏ ସ୍ଥାନକୁ ଆସିବା ନୂଆ । ମୁଁ ବିଦେଶିନୀ । ଘର ଖୋରାସାନ । ଚାକିରି କରିବାକୁ ଆସିଛି ।

ନାଗରିକ

ତୁମର୍ ବି ଖୋରାସାନ୍‌ ! ଖୋରାସାନ୍‌ରେ ଖୁବ୍‌ସୁରତ୍‌ ଛୋକ୍ରୀ ଅଛନ୍ତି, ନା ? ଚାକିରି କରିବାକୁ ଆସିଛ, କଅଣ ବାନ୍ଦୀ ? ବେଶ୍‌ ମୁଁ କିଛି କମ୍‌ ନୁହେଁ, ବଡ଼ଲୋକ ବୋଲି ଯାହାକୁ କହନ୍ତି । ଆହୁରି ବି ଭବିଷ୍ୟତ ଆଶା ଖୁବ୍‌, ଆମ ଘରେ ରହିବାକୁ ଆପତ୍ତି କଅଣ । (ରୁମାଲ କାଢ଼ି ହଠାତ୍‌ ବାବୁ ପାଲଟି ଗଲେ ଅର୍ଥାତ୍‌ ଚଷମା ଲଗାଇ ପିଟ୍‌ ଫାଟ)

ଗୁଲ୍ଲରା

ମୁଁ ରାଣୀଙ୍କ ଠେଇଁ ପ୍ରାର୍ଥୀ ହୋଇଛି ।

ନାଗରିକ

ରାଣୀ ସାହେବାଙ୍କ ପାଖରେ ସେପରି କେତେ ଅଛନ୍ତି, ତୁମେ ସେଠି ବେଶି କିଛି ମାନ ମର୍ଯ୍ୟାଦା ପାଇବ ନାହିଁ । ମୋ ପାଖରେ ବିଲକୁଲ୍‌ ରାଣୀ ହୋଇଯିବ । ସ୍ନୋ, ସାବୁନ, ତେଲ, ଅତର, ଖଟ ପଲଙ୍କ ଇତ୍ୟାଦି ।

ଗୁଲ୍ଲରା

ରାଣୀ ସାହେବା ମୋତେ ମେହରବାନୀ କରି ଦାନା ଦେବେ ବୋଲି କହି ମସ୍‌ଜିଦ୍‌ ପାଖରୁ ନଅରକୁ ପଠାଇଛନ୍ତି । ତାଙ୍କୁ କହି

ନାଗରିକ

ଆଲୋ ବାପଲୋ, ନିଜେ ବାଦ୍‌ସାହୀଖାଁଙ୍କର ଖାସ ବାନ୍ଦୀ ! ସଲାମ, ସଲାମ, ବେଆଦ୍‌ବି ମାଫ୍‌ କରିବେ ।

ଗୁଲ୍ଲରା

ମୁଁ ଛାର ବାଳିକାଟାଏ । ଆପଣ ମୋ କସୁର ମାଫ୍‌ କରିବେ । ବାଟ ଚିହ୍ନି ନପାରି ପଚାରୁଥିଲି ।

ନାଗରିକ

ଆଜ୍ଞା, ଏଇ ବାଟ ଠିକ୍‌ ସିଧା । ସାଙ୍ଗରେ ଯାଇ ଦେଖାଇ ଦେଇ ଆସିବି କି ?

ଗୁଲ୍ଲରା

କିଛି ଦରକାର ନାହିଁ । ମୁଁ ଆପେ ଚାଲି ଯାଉଛି ।

ନାଗରିକ

ଯୋ ହୁକୁମ । ତେବେ ମୋ ନାଁଟା ଟିକେ ମନେ ରଖିଥିବେ, କାଳେ କେତେବେଳେ କିଛି ଦରକାର ପଡ଼ିପାରେ । ଏ ଗୋଲାମର ନାମ ହୋସେନ୍‌, ମନୋହାରୀ ଦୋକାନ ଚକ୍‌ ବଜାର, ବୁଝିଲେ ?

ଗୁଲ୍ଲରା

ଆଚ୍ଛା ବେଶ୍‌ । ( ପ୍ରସ୍ଥାନ )

ନାଗରିକ

ବହୁତ ବହୁତ ସଲାମ । ଦୁନିଆରେ ଏତେ ଏତେ ସୁନ୍ଦରୀ ଅଛନ୍ତି, ମୋ ଭାଗ୍ୟକୁ ଗୋଟାଏ ମର୍କଟମୁଖୀ, ପେଚକନାକୀ, ତ୍ରିପଣ୍ଡ କାଳୀ କୋତରୀ, ମୁଖଦାନ୍ତୁରୀ, ନା, ସେ ଅନ୍ଧ କୁଆଡ଼େ ଗଲା ! ମନଟା ତା’ରିଠି । (ପ୍ରସ୍ଥାନ)

 

Unknown

ପଞ୍ଚମ ଦୃଶ୍ୟ

ଅନ୍ତଃପୁର

 

(ଦାଉଦ୍‌ ସାହା ଅନ୍ତଃପୁରରେ ପ୍ରବେଶି କାହାକୁ ନ ଦେଖି)

 

ଦାଉଦ୍‌ ସାହା କାହିଁ କେହି ଯେ ନାହାନ୍ତି ! ଅନ୍ତଃପୁର ଛାଡ଼ି ଏଣେ ତେଣେ ହେବା ଜଣେ ସମ୍ରାଜ୍ଞୀର ନିତାନ୍ତ ଉଚିତ ନୁହେଁ । ବିଶେଷ ଆଦର ଗୌରବ କରିବାଦ୍ୱାରା ଏହାହିଁ ଘଟିଛି । ଏଣିକି ଟିକେ କଡ଼ା ନଜର ନଦେଲେ ନ ଚଳେ । ସେନାପତିକୁ ଡାକି, ଏ ବିଷୟରେ ଖୁବ୍‌ ତାକିତ କରିଦେବି । (ରାଣୀଙ୍କ ପ୍ରବେଶ)

ଦାଉଦ୍‌

ମୃଗୟାକୁ ଯିବି ବୋଲି ପ୍ରାୟ ତୁମ୍ଭ ମହଲରେ ଆସି ଏକ ଘଣ୍ଟା ହେବ ଅପେକ୍ଷା କଲିଣି, ଆଉ ତୁମେ ମନ ଇଚ୍ଛା କେଉଁଠାରେ ପରିଭ୍ରମଣ କରୁଛ । ତୁମର ଉଚିତ ଥିଲା, ମୋର ଆସିବା ପୂର୍ବରୁ ତୁମ୍ଭର ମହଲରେ ଥାଇ ମୋର ଅପେକ୍ଷା କରିବା । ଏହି କଅଣ ସ୍ତ୍ରୀ ଯୋଗ୍ୟ ବ୍ୟବହାର ?

ରାଣୀ

ଆପଣ ମୋ ପ୍ରତି ଯେପରି ବ୍ୟବହାର କରନ୍ତି, ତା କଣ ଠିକ୍‌ ?

ଦାଉଦ୍‌

ସେ କୈଫିୟତ ଦେବାପାଇଁ ଇରାନ୍‌ ସମ୍ରାଟ୍‌ ତାଙ୍କ ସ୍ତ୍ରୀଙ୍କ ନିକଟରେ ବାଧ୍ୟ ନୁହନ୍ତି । ତୁମ୍ଭଙ୍କୁ ଅନୁଗ୍ରହ କରି ବିବାହ କରିଥିଲି, । ସେଟା ତୁମର ପରମ ସୌଭାଗ୍ୟ ।

ରାଣୀ

ସେ ଅନୁଗ୍ରହଟା ନ କରିଥିଲେ ତ ଭଲ ହୋଇଥାନ୍ତା !

ଦାଉଦ୍‌

ମୋ କଥା ଉପରେ କଥା କହିବାକୁ ଲଜ୍ଜାବୋଧ ହୁଏନା ? ତୁମେ ଜାଣ ? ତୁମ୍ଭଙ୍କୁ କ୍ରୟ କରିବାକୁ ଯାଇ ମୋର କେତେ ଅର୍ଥ ବ୍ୟୟ ହୋଇଛି, ତୁମ୍ଭ ପିତାଙ୍କୁ ମୁଁ କେତେ ବଡ଼ ବଡ଼ ଜମିଦାରୀ ଦେଇଛି ?

ରାଣୀ

କଥାଟା ତ ନିତାନ୍ତ ସତ୍ୟ ନୁହେଁ, ଦେବାପାଇଁ କହିଥିଲେ, କିନ୍ତୁ ଦେଇ ନାହାନ୍ତି ।

ଦାଉଦ୍‌

ତାର ଅନ୍ୟ କାରଣ ଅଛି । ସେ ଯା ହେଉ, ମୁଁ ବର୍ତ୍ତମାନ ମୃଗୟାକୁ ଯାଉଛି । ତୁମେ ତୁମର ମହଲରେ ଥାଇ ମୋର ଆଗମନ ପ୍ରତୀକ୍ଷା କରୁଥିବ । ଆଉ ଦେଖ, ପ୍ରଜାଙ୍କୁ ଧନରତ୍ନ ଦେବାର ଅଧିକାର ତୁମର ନାହିଁ, ଯେ ପର୍ଯ୍ୟନ୍ତ ମୁଁ ଅଛି । ମୁଁ ସେଥିପାଇଁ ମୋର ପ୍ରଧାନ ସେନାପତିଙ୍କୁ ତୁମର ମହଲ ଦ୍ୱାରରେ ଜଗାଇ ଦେଇ ଯାଉଛି । ସାବଧାନ, ବାହାରକୁ ଯାଇପାରିବ ନାହିଁ ! ( ପ୍ରସ୍ଥାନ )

ରାଣୀ

ହେ କରୁଣାମୟ, ଏ ପାପ ସଂସାରରୁ ମୋତେ ଶୀଘ୍ର ଉଦ୍ଧାର କର

 

(ଏ ସମୟେ ଗୁଲ୍ଲରା ପ୍ରବେଶ କଲା)

ଗୁଲ୍ଲରା

(ଫୁଲ ହାରଟି ଦେଖାଇ) ଏ ଫୁଲ ହାରଟି ମୁଁ ନିଜେ ଗୁନ୍ଥିଛି ।

ରାଣୀ

ଫୁଲହାର....ହଁ ବେଶ୍‌ ସୁନ୍ଦର ହୋଇଛି । ତୁମେ ସବୁଦିନେ ଫୁଲ ଗୁନ୍ଥିବ, ତୁମଠାରେ ଅନ୍ୟ କାର୍ଯ୍ୟ କିଛି ନିର୍ଭର କରାଯିବ ନାହିଁ ।

ଗୁଲ୍ଲରା

ଯୋ ହୁକୁମ ସାମ୍ରାଜ୍ଞୀ ।

ରାଣୀ

ତୁମର ତ ବୟସ ଅଳ୍ପ, ଦେଖିବାକୁ ସୁନ୍ଦରୀ, ତୁମେ ବିବାହିତା ନା ଅବିବାହିତା ?

ଗୁଲ୍ଲରା

ନା ମ ! ମୁଁ ବିବାହ କରିନାହିଁ ।

ରାଣୀ

ତୁମର କଅଣ ଆଉ କେହି ନାହାନ୍ତି ।

ଗୁଲ୍ଲରା

ନା !

ରାଣୀ

ବୁଝୁଛି ଅଭାଗିନୀ ! ପେଟ ପାଇଁ ଆତ୍ମବିକ୍ରୟ କରିଛ । ଯଦି ବାପ ମା’ଥାନ୍ତେ, ତେବେ ସେମାନେ ମଧ୍ୟ ବିକ୍ରୟ କରିଥାନ୍ତେ, କିନ୍ତୁ ସେ ବିକ୍ରୟ ହୋଇଥାନ୍ତା ମହାସମାରୋହରେ, ସେତେବେଳେ ସମସ୍ତେ କହନ୍ତେ ବିବାହ ।

ଗୁଲ୍ଲରା

ତା ତ ମୁଁ ଜାଣେନା ।

ରାଣୀ

ଜାଣ ନା ? ବୟସ ହୋଇଛି, ବିବାହ କଅଣ ଜାଣ ନା ? ସମସ୍ତ ପୃଥିବୀର ସମସ୍ତ ସମାଜରେ ଏହି କ୍ରୟ ବିକ୍ରୟ ତ ଲାଗି ରହିଛି । ଯେ କିଣେ, ତାର ନାମ ସ୍ୱାମୀ । ଯେ ବିକ୍ରି ହୁଏ ତାର ନାମ ସ୍ତ୍ରୀ । ସେ ହୁଏ ଦାସୀ । ଆଚ୍ଛା, ଥାଉ ସେ ସବୁ । ତୁମ୍ଭେ ଗୀତ ଗାଇ ଜାଣ ?

ଗୁଲ୍ଲରା

ନା ! ଗରିବର କନ୍ୟା ଗୀତ କାହୁଁ ଜାଣିବି ? ଯାହା ବା ଜାଣେ, ତାହା ଆପଣଙ୍କୁ ଶୁଣାଇବାର ଉପଯୁକ୍ତ ନୁହେଁ, ପୁଣି ଆପଣଙ୍କର ସହଚରୀମାନେ ତେ ବେଶ୍‌ ସୁଗାୟିକା ।

ରାଣୀ

ତଥାପି ମୋର ଗୀତପ୍ରତି ଆଦର ବେଶ୍‌, ତୁମର୍ ଯାହା ଜାଣ ଗାଅ ।

ଗୁଲ୍ଲରା

ଆପଣଙ୍କ ହୁକୁମ ଅମାନ୍ୟ କରିବା ମୋର ଉଚିତ ନୁହେଁ ।

ରାଣୀ

ନା, ନା, ମୋର ହୁକୁମ ନୁହେଁ, ଯଦି ଇଚ୍ଛା ହୁଏ, ଗାଅ ।

ଗୁଲ୍ଲରା

ଦାସୀକୁ ମାଫ୍‌ କର ସାମ୍ରାଜ୍ଞୀ ! ମୁଁ ଯାହା ଜାଣେ ତାହା ଗାଉଛି ।

 

ଗୀତ

ନାରୀର ମରମ ବ୍ୟଥା କିଏ ସେ ବୁଝେ ଗୋ ଥରେ,

ନର ଆନେ ଆନେ ଭ୍ରମେ ନିଜ ସ୍ୱାର୍ଥପରତାରେ

ପୁରୁଷର ଭୃଙ୍ଗ ସ୍ୱଭାବ ନାନା ଫୁଲେ କରେ ଭାବ,

ଦହିଦିଏ ଖାଲି ହୃଦ ଶେଷେଟି କନ୍ଦାଇ ମାରେ ।

ଦେଇ ମନେ ଉଚ୍ଚ ଆଶା କରେ କେତେ ଲୋକହସା

ଅବଶେଷକୁ ନିରାଶା ସାଗରେ ବୁଡ଼ାଇ ମାରେ ।

 

ରାଣୀ

ତୁମେ ତ ବେଶ୍‌ ଗାଇ ଜାଣ, କିନ୍ତୁ ଏ ଅଳ୍ପ ବୟସରେ ଏପରି ଦୁଃଖର ଗୀତ ଗାଇଲ କାହିଁକି ? ତୁମ ଉପରେ କି କେହି ଅତ୍ୟାଚାର କରିଛି ?

ଗୁଲ୍ଲରା

କିଏ ଅତ୍ୟାଚାର କରିବ ?

ରାଣୀ

କିମ୍ୱା କାହା ପ୍ରେମ ପାଶରେ ଆବଦ୍ଧ ଥିଲ କି ? ଅଜଣାରେ ଦୁଇଧାର ଅଶ୍ରୁ ଯେ ତୁମର ଗଣ୍ଡଦେଶ ଶିକ୍ତ କଲାଣି !

ଗୁଲ୍ଲରା

ନା ସାମ୍ରାଜ୍ଞୀ, ପ୍ରେମ କଣ ମୁଁ ଜାଣେ ନା ।

ରାଣୀ

ସେ ବଳେ ବଳେ ଆସେ । ତାକୁ କିଏ ଶିଖାଇ ଦିଏ ନା । ଆଜିଠାରୁ ତୁମେ ମୋ ଦାସୀ ନୁହ, ସହଚରୀ । ଚାଲ ମୁଁ ଟିକେ ବିଶ୍ରାମ କରିବି । ( ଉଭୟ ପ୍ରସ୍ଥାନ )

 

ଷଷ୍ଠ ଦୃଶ୍ୟ

ମସ୍‌ଜିଦ୍‌

 

(ନସିର୍‌ ଓ ଇଉସୁଫ୍‌ ପ୍ରବେଶ)

ଇଉସୁଫ୍‌

ଚଚ୍ଚା ! ଏଇ ମସ୍‌ଜିଦ୍‌ ତୋରଣ ଦେଶ ନିକଟରେ ଦାରାଠାରୁ ବିଦାୟ ନେଇ ଯାଇଥିଲି । କାଲି ଦିନସାରା ସନ୍ଧାନ କଲି, କିନ୍ତୁ ଦାରା ଏଠାରେ ରହିବା କଥା କେହି କହୁ ନାହାନ୍ତି । ନାଦେର୍‌ ସାହା, ଯେ କି ଆମ ଦୁହିଙ୍କୁ ପ୍ରଥମେ ତାଙ୍କ ଗୃହରେ ଆଶ୍ରୟ ଦେଇଥିଲେ, ସେ ମଧ୍ୟ ଦେଖା ପଡ଼ିଲେ ନାହିଁ । ତାଙ୍କର ଦ୍ୱାର ତାଲା ଚାବି ବନ୍ଦ ।

ନସିର୍‌

ଦାରା ଯେଉଁ କାରଣରେ ଯେଉଁଠିକି ଗଲା ତା ମୁଁ ଜାଣୁଛି, କିନ୍ତୁ ଗୁଲ୍ଲରା ଯେ ପାଗଳିନୀ ପରି ଦାରାର ପଥ ଅନୁସରଣ କରି ଧାଇଁଆସିଛି । ତାର ଗତି ଯେ କଣ ହେଲା ! ମୋର ଅନ୍ଧର ଲଉଡ଼ି, ଦୁଃଖୀର ପସରା, ତାକୁ ନ ଦେଖିଲେ ଯେ ମୋର ହଂସା ଉଡ଼ିଯାଉଛି । ଅବୋଧ ବାଳିକା ଜାଣେ ନାହିଁ ଯେ, ଦାରା ଆମର କେହି ନୁହେଁ । ତାର ଆମର ସ୍ୱର୍ଗ ମର୍ତ୍ତ୍ୟ ପ୍ରଭେଦ । ଇଉସୁଫ୍‌ ! ଗୁଲ୍ଲରା ଆଉ ଜୀବନରେ ବଞ୍ଚିଛି ! ଦାରା ବିଚ୍ଛେଦରେ ସେ ପ୍ରାଣ ହରାଇ ଦେଇ ନଥିବ !

ଇଉସୁଫ୍‌

ଚଚ୍ଚା ! ସେ କଥା ଭାବନ୍ତୁ ନାହିଁ । ଗୁଲ୍ଲରା ବାଳିକା ହେଲେ ମଧ୍ୟ ତାର ଆତ୍ମଜ୍ଞାନ ଯଥେଷ୍ଟ ଅଛି । ସେ ଦାରାଠାରେ ସ୍ନେହରେ ହେଉ ବା ପ୍ରେମରେ ହେଉ ତା’ର ଆତ୍ମସମର୍ପଣ କରିଦେଇ ଥିଲା; କିନ୍ତୁ ତା ବିଚ୍ଛେଦରେ ସେ ଅଧୈର୍ଯ୍ୟ ହୋଇପଡ଼ି ନିଶ୍ଚୟ ଅନୁସନ୍ଧାନରେ ଆସିଛି । ସେ ଦାରାକୁ ନ ପାଇବା ପର୍ଯ୍ୟନ୍ତ ଗୃହକୁ ଫେରିବ ନାହିଁ କିମ୍ୱା ଆତ୍ମହତ୍ୟା କରିବ ନାହିଁ । ସେ ଆମ ଗରିବ ଘରର କନ୍ୟା ହେଲେ ମଧ୍ୟ ତାର ବୁଦ୍ଧିଶୁଦ୍ଧି ଯଥେଷ୍ଟ ଅଛି ।

ନାସିର୍‌

ତା ଜାଣେ, କିନ୍ତୁ ସେ ଯେ ବାଳିକା । ପ୍ରଥମ ଯୌବନରେ ପଦାର୍ପଣ କରିଛି । ତା ପ୍ରତି କେହି ଆକୃଷ୍ଟ ହୋଇ ତାର ସର୍ବନାଶ କରନ୍ତି ନାହିଁ ବଡ଼ ।

ଇଉସୁଫ୍‌

ନା ଚଚ୍ଚା ! ଗୁଲ୍ଲରାକୁ କରଗତ କରିବା କିମ୍ୱା ତାକୁ କେହି କୌଣସି ପ୍ରକାରେ ବଶୀଭୂତ କରିବା ଆଦୌ ସୁସାଧ୍ୟ ନୁହେଁ । ଗୁଲ୍ଲରାର ବୁଦ୍ଧିବିଦ୍ୟା ଯେପରି, ତାର ଅସ୍ତ୍ର ଚାଳନା ତତୋଽଧିକ । (ଏ ସମୟେ ପୂର୍ବ ନାଗରିକ ହୋସେନ୍‌ ଅନ୍ଧ ସଙ୍ଗେ ଥିବା ବାଳିକାଟିକୁ ଘେନି ପଳାଇ ଆସୁଥାଏ, ବାଳିକା ଭାଇ ଭାଇ ବୋଲି ଚିତ୍କାର କରୁଥାଏ) ।

ନାସିର୍‌

ଇଉସୁଫ୍‌ ଏଇ ଏଇ. ଏଇ ତ ଗୁଲ୍ଲରାର କଣ୍ଠସ୍ୱର । କିଏ ତାକୁ (ଇଉସୁଫ୍‌ ପ୍ରସ୍ତୁତ ହୋଇପଡ଼ିବା)

ଇଉସୁଫ୍‌

ଠଏର୍‌

ହୋସେନ୍‌

(ବାଳିକାଟିକୁ ଟେକିଧରି ଥାଏ, ଅନ୍ଧ ପଛେ ପଛେ ପଡ଼ିଉଠି ଧାଇଁଥାଏ) ଆରେ ଚଲ୍‌ ।

ନାସିର୍‌

ବେଗେଯାଇ ବାଳିକାଟିକୁ ଧରିପକାଇ ମୋ ଗୁଲ୍ଲରା ।

ଅନ୍ଧ

ମେରି ବହିନ୍‌ (ହୋସେନକୁ ଉଗାଳିବାରୁ ହୋସେନ୍‌ ଯୋର୍‌ରେ ଅନ୍ଧ ଓ ନାସିର୍‌କୁ ଫୋପାଡ଼ି ଦେଲା, ଇଉସୁଫ୍‌ ହୋସେନ୍‌ର ତଣ୍ଟିକୁ ମାଡ଼ି ବସିଲା । ଦୁହେଁ ଧରାଧରି ହେବା ସମୟେ )

ରାଜକର୍ମଚାରୀ

ହୁସିଆର, (ଦୁହିଁଙ୍କୁ ଦୁଇ ଧକ୍‌କାରେ ଛଡ଼ାଇ ଦେଲା) କୋଇ ହୈ । (ଅନ୍ୟ ସିପାହୀ ଦୁଇଟି ପହଞ୍ଚିଲେ । ଅନ୍ଧ ଓ ନାସିର୍‌କୁ ଦେଖାଇ) ଏମାନଙ୍କୁ ଚିକିତ୍ସାଳୟକୁ ନେଇ ଚାଲ । ଆଉ ଏ ଦୁହିଙ୍କୁ ଥାନାକୁ ନେଇ ଚାଲ । (ତାହାହିଁ କଲେ) ।

ବାଳିକା

ମେରେ ଭଇୟା ।

ପୁଲିସ

ଚାଲ ବାଳିକା, କୌଣସି ଭୟ ନାହିଁ । (ପ୍ରସ୍ଥାନ)

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ - ପଥ

 

ଦାରା ଧୀରେ ପ୍ରବେଶି ନା, କୌଣସି ଉପାୟରେ ମନ ସ୍ଥିର କରିପାରୁ ନାହିଁ । ଯାହା କପାଳରେ ଥାଉ, ଥରେ ମାତ୍ର କଥା କହିବି । ସେଥିରେ ଦୋଷ କଅଣ ? ଏହି ତ ତାଙ୍କର ଆସିବାପଥ । ଏଇଠାରେ ଅପେକ୍ଷା କରିବି । ସେ ଏ ପଥରେ ଯିବା ଆସିବା କଲାବେଳେ ଅନେକ ଥର ମୋ ଆଡ଼କୁ ଫେରି ଚାହାନ୍ତି । ସତେ କି ତାଙ୍କର କୌଣସି ଉଦ୍ଦେଶ୍ୟ ମୋତେ କହିବାର ଅଛି, ଅଥଚ (ଏ ସମୟେ ରାଣୀ ଏକାକୀ ପହଞ୍ଚିଲେ) ଉଭୟ ଉଭୟକୁ ଅତିକ୍ରମ କରି ଗଲାବେଳେ ଉଭୟ ଚାହାଁଚାହିଁ) ଆପଣ ସର୍ବଦା ବିମର୍ଷ କାହିଁକି ?

ରୀଣୀ

ତୁମେ ବାଦ୍‌ସାହଙ୍କ ପାର୍ଶ୍ୱରକ୍ଷକ ଭାବେ ଥାଅ ନା । ସେ କଅଣ ମୋ ନିକଟକୁ କିଛି ସଂବାଦ ଦେଇ ପଠାଇଛନ୍ତି କି ?

ଦାରା

ନା, ସେ ମୋତେ କିଛି ସଂବାଦ ଦେଇନାହାନ୍ତି । କେବଳ କହିଗଲେ ଯେ, ରାଣୀ ମହଲରେ ସର୍ବଦା ସତର୍କ ହୋଇ

ରାଣୀ

ତେବେ ମୁଁ ଏ ରାଜପ୍ରାସାଦରେ ବନ୍ଦିନୀ, ଆଉ ତୁମ୍ଭେ ପ୍ରହରୀ ?

ଦାରା

ସମ୍ରାଟ୍‌ଙ୍କର ସେହିପରି ଆଦେଶ; କିନ୍ତୁ ଏ ଅଧୀନ ଆପଣଙ୍କର ଭୃତ୍ୟ ।

ରାଣୀ

ତମର କଥା ସତ୍ୟ ନା, ପ୍ରତାରଣା !

ଦାରା

ନା, କେଭେଁ ପ୍ରତାରଣା ନୁହେଁ । ଆପଣଙ୍କ ଆଦେଶ ପାଳନ କରିବାକୁ ଯାଇ ଯଦି ମୋର ପ୍ରାଣ ଯାଏ ତାହା ମୋର ପରମ ସୌଭାଗ୍ୟ ।

ରାଣୀ

ତୁମ୍ଭେ ବୀର କଟି ଦେଶରେ ତୁମ୍ଭର ଶାଣିତ କୃପାଣ । ସେହି ଦାରୁଣ କୃପାଣଦ୍ୱାରା ମୋତେ ଏ ପାପ ସଂସାରରୁ ମୁକ୍ତ କରିଦିଅ ।

ଦାରା

ଯେ ମହିମାମୟୀ ରାଣୀ, ଇରାନ୍‌ର ସାମ୍ରାଜ୍ଞୀ, ଇରାନର ପାଳୟିତ୍ରୀ, ଶତ ଶତ ନର ନାରୀଙ୍କର ଜନନୀ, ସେହି ଦେବୀଙ୍କୁ ହତ୍ୟା କରିବାକୁ କିପରି ସାହସୀ ହେବି ? ଆପଣ ସଙ୍ଗେ କଥୋପକଥନ ହେବାଦ୍ୱାରା ମୁଁ ଜ୍ଞାନଶୂନ୍ୟ ହୋଇଛି, ଉନ୍ମତ୍ତ ହୋଇଛି । ମୋତେ କ୍ଷମା କରନ୍ତୁ ।

ରାଣୀ

କ୍ଷମା ! ମୁଁ ନାରୀ ହୋଇ ତୁମ୍ଭଙ୍କୁ କି କ୍ଷମା ଦେବି । (ସ୍ୱଗତ) ଏ ଯୁବକ କଥାରେ ମୋର ହୃଦୟ ତରଳିଯାଉଛି । ଶିରା ପ୍ରଶିରାରେ ଆନନ୍ଦର ସ୍ରୋତ ଉଛୁଳି ପଡ଼ୁଛି । ଆହା କିଏ ଏହି ଅପରିଚିତ ଯୁବକ ? ମନେ ହେଉଛି, ହୃଦୟେ ହୃଦୟ ମିଶିଯାଏ, ନୟନେ ନୟନ ମିଳିଯାଏ (ପ୍ରକାଶ୍ୟେ) ତୁମେ କହିପାରିବ, ଜଗତରେ ସୁଖ କାହାକୁ କହନ୍ତି ?

ଦାରା

ଜଗତରେ ସୁଖ କଅଣ ତା ମୁଁ ଜଣେ ନା । ହୃଦୟର କ୍ଷଣିକ ଚାଞ୍ଚଲ୍ୟ ହେତୁ ମୁଁ ଆପଣଙ୍କ ମର୍ଯ୍ୟାଦା ନଷ୍ଟ କରିଛି, ମୁଁ ଯାଏଁ । (ଗମନୋଦ୍ୟତ)

ରାଣୀ

ନା, ନା, ଯାଅ ନାହିଁ । ଶୁଣ ଶୁଣ । ଏକ’ଣ ! ଏପରି ବ୍ୟସ୍ତ ହେଉଛ କାହିଁକି ? ମୋର ଆଶା ଯେବେ (ନାଦେର୍‌ ଖାଁ ଅଲକ୍ଷିତଭାବରେ ଚାଲିଗଲେ) କିଏ ?

ଦାରା

କଅଣ ?

ରାଣୀ

କିଏ ଆସି ପୁଣି ଚାଲିଗଲା ।

ଦାରା

କାହିଁ ? ମୁଁ ତ ଦେଖି ନାହିଁ ! ଦେଖେ (ଯିବାକୁ ଉଦ୍ୟତ ହେବାରୁ) ।

ରାଣୀ

ତୁମ୍ଭର ନାମ କଅଣ ?

ଦାରା

ଦାରା ଯୁବେୟାର, ମୁଁ ଦେଖେଁ ।

ରାଣୀ

ଦାରା ଯୁବେୟାର, କି ସୁନ୍ଦର, କି ମଧୁର ନାମ ! ବଡ଼ ଇଚ୍ଛା ହୁଏ ମନେ, ସତେ କ’ଣ ? (ପ୍ରସ୍ଥାନ)

 

(ଦାରା ଓ ଗୁଲ୍ଲରା ପ୍ରବେଶ କିନ୍ତୁ ରାଣୀଙ୍କ ଅଦର୍ଶନରେ)

ଦାରା

ଗୁଲ୍ଲରା ! ତୁମେ ଏଠାକୁ କିପରି ? ଏ ଚିଠି ତୁମକୁ କିଏ ଦେଲା ?

ଗୁଲ୍ଲରା

ନାଦେର୍‌ ସାହା ନାମକ ଜଣେ ରାଜକର୍ମଚାରୀ ଯେ କି ତୁମକୁ ଏଠାକୁ

ଦାରା

ହଁ ବୁଝିଲି, ଯାଅ ଗୁଲ୍ଲରା (ଗୁଲ୍ଲରା ପ୍ରସ୍ଥାନ) ଓଃ, ମୁଁ କଅଣ କରୁଛି, କେଉଁଠାରେ କି ସାହସରେ ଛିଡ଼ା ହୋଇଛି । (ରାଣୀଙ୍କ ନିକଟ ଯାଇ) ମୋତେ କ୍ଷମାକର ଦେବୀ, ଆଉ ନା ଆଉ ନା, ଅଭିବାଦନ ସାମ୍ରାଜ୍ଞୀ (ସବ୍ୟଗ୍ରେ ପ୍ରସ୍ଥାନ) ।

ରାଣୀ

ଏଁ, ଏ କ’ଣ ହେଲା ? ଛାଡ଼, ହା ଅଦୃଷ୍ଟ ! ରାଜରାଣୀ ହୋଇ ସାମାନ୍ୟ କର୍ମଚାରୀ ନିକଟରେ ନତମସ୍ତକ ହେଲା । ନା, ତା ହେଉ । ଯେପରିଭାବେ ତାଙ୍କରିଦ୍ୱାରା ମୋର ଏ ଅତୃପ୍ତ ବାସନା ପୂର୍ଣ୍ଣ କରିବି । ଦାରା ! ଦାରା ! ଅଭାଗିନୀ ରହିଲା ପଶ୍ଚାତେ ତୁମରି । (ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

ଚକ୍‌ ବଜାର

 

ନାଦେର ଖାଁ (ପ୍ରବେଶି) ତେବେ କ’ଣ ମୋର ସମସ୍ତ ଉଦ୍ଦେଶ୍ୟ ବ୍ୟର୍ଥ ହେଲା ? ଦେଖିଲି ତ ରାଣୀଙ୍କ ସଙ୍ଗେ କଥାବାର୍ତ୍ତା କରୁଛି । ସ୍ତ୍ରୀଲୋକ ସଙ୍ଗେ ତାର କଥାବାର୍ତ୍ତା କଅଣ ? କି ଆଶ୍ଚର୍ଯ୍ୟ ! ମୁଁ ତ କିଛି ବୁଝିପାରୁନାହିଁ ! ଥରେ ଯଦି ଦେଖା ହୁଅନ୍ତା ତେବେ ବଡ଼ ଭଲ ହୁଅନ୍ତା । କିନ୍ତୁ କାହିଁ ? ଏ ପର୍ଯ୍ୟନ୍ତ ଦେଖା ହେଲା ନାହିଁ । ପତ୍ର ଖଣ୍ଡିକ ବୋଧହୁଏ ଦାରାର ହସ୍ତଗତ ହୋଇଥିବ, ଏଥିରେ କୌଣସି ସନ୍ଦେହ ନାହିଁ । ବାଳିକାଟି ଠିକ୍‌ ସମୟରେ ଦେଇଥିବ ତ ? କେଜାଣି (ଦୂରରୁ ଗୁଲ୍ଲରାକୁ ଦେଖି) ଏଇ ଯେ ଏଣେ ଆସୁଛି, (ଗୁଲ୍ଲରାକୁ) ଲେଖା ଦେଇଛ ତ ।

ଗୁଲ୍ଲରା

ହଁ ।

ନାଦେର୍‌

ତୁମର ମୁଖ ଏପରି ମଳିନ ଦିଶୁଛି କାହିଁକି ?

ଗୁଲ୍ଲରା

(ସଂଯତ ହୋଇ) କାହିଁକି, ନା ।

ନାଦେର୍‌

(ସ୍ୱଗତ) ଏଇ ବାଳିକାଟି ନିକଟରୁ ହୁଏ ତ ସନ୍ଧାନ ମିଳିପାରେ । ସ୍ତ୍ରୀଲୋକ, ପୁଣି ରାଣୀଙ୍କର ଦାସୀ । ସ୍ତ୍ରୀମାନେ ମୁହଁ ଦେଖିଲେ ଜାଣିପାରନ୍ତି, କିଏ କାହାକୁ ଭଲ ପାଏ । (ପ୍ରକାଶ୍ୟେ) ଆଚ୍ଛା ବାଳିକା, ଗୋଟିଏ ଗୁପ୍ତ ବିଷୟ ପଚାରିବି ।

ଗୁଲ୍ଲରା

ତୁମେ ସହି ଚକ୍‌ ବଜାର ହୋସନ୍‌ ନୁହ ତ ।

ନାଦେର୍‌

ଏ କଥା କାହିଁକି କହିଲ, ବାଳିକା ! ହୋସେନ୍‌ ସହିତ କେବେ କି ତୁମର

ଗୁଲ୍ଲରା

ସାକ୍ଷାତ୍‌ ହୋଇଥିଲା । ମୁଁ ତାକୁ ନଅରକୁ ବାଟ ପଚାରିଥିଲି, ପ୍ରଥମେ ମୋର ଏଠାକୁ ଆସିବା ସମୟେ ।

ନାଦେର୍‌

ବାଳିକା, ମୁଁ ହୋସେନ୍‌ ନୁହେଁ । ପରେ ମୋର ପରିଚୟ ପାଇବ । କହ ଦେଖି, ହୋସେନ୍‌ ତୁମ୍ଭପ୍ରତି କି କୌଣସି ମନ୍ଦ ବ୍ୟବହାର କରିଥିଲା ?

ଗୁଲ୍ଲରା

ମୋତେ ନାନା ପ୍ରଲୋଭନ ଦେଖାଇ ତାର ସ୍ତ୍ରୀ କରିବାକୁ ବାଧ୍ୟ କରୁଥିଲା; କିନ୍ତୁ ମୁଁ ରାଣୀମାଙ୍କ ଦାସୀ

ଏକଥା କହିବାରେ ସେ ତହିଁରୁ ବିରତ ହୋଇ ଛାଡ଼ିଦେଲା । ପୁନଶ୍ଚ ପଛରେ ଡାକି କହିଥିଲା ମୋ ନାଁଟା ଟିକେ ମନେରଖିଥିବ । ଏ ଗୋଲାମ୍‌ ନାମ୍‌ ହୋସେନ୍‌ । ଚକ୍‌ ବଜାର ମନୋହାରୀ ଦୋକାନ ।

ନାଦେର୍‌

(ସ୍ୱଗତ) ୟାଠାରୁ ଗୋଟିଏ ପ୍ରତ୍ୟକ୍ଷ ପ୍ରମାଣ ମିଳିବ । (ପ୍ରକାଶ୍ୟେ) ବାଳିକା ! ଆବଶ୍ୟକ ପଡ଼ିଲେ ସେହି ହୋସେନ୍‌ ସମ୍ୱନ୍ଧେ ତୁମ୍ଭଙ୍କୁ ଗୋଟିଏ ସାକ୍ଷ୍ୟ ଦେବାକୁ ପଡ଼ିବ । ଆଚ୍ଛା, ବର୍ତ୍ତମାନ ସେ କଥା ଥାଉ । ଆଚ୍ଛା କହିପାରିବ, ତୁମେ ଯାହାକୁ ପତ୍ରଖଣ୍ଡ ଦେଲ, ସେ ଯୁବକ ସହିତ ରାଣୀଙ୍କ ବ୍ୟବହାର କିପରି ?

ଗୁଲ୍ଲରା

ରାଣୀ ତାଙ୍କୁ ଭଲ ପାଆନ୍ତି ।

ନାଦେର୍‌

ଆଉ ସେ ?

ଗୁଲ୍ଲରା

ଆପଣ ମୂର୍ଖ ।

ନାଦେର୍‌

ଠିକ୍‌ କହିଛ ମୁଁ ମୂର୍ଖ । (ସ୍ୱଗତ) ରମଣୀ ଯୁବତୀ, ଐଶ୍ୱର୍ଯ୍ୟଶାଳିନୀ । ଆଉ ଏହି ବାଳିକା ପଲ୍ଲୀ ଜୀବନରେ ଅଭ୍ୟସ୍ତ, ସଂସାରରେ ସଂପୂର୍ଣ୍ଣ ଅନଭିଜ୍ଞ, କିନ୍ତୁ ମୁଁ ତ ଆଉ ନିଶ୍ଚିନ୍ତ ହୋଇପାରୁନାହିଁ । (ପ୍ରକାଶ୍ୟେ) ବାଳିକା, ତାହେଲେ ମୁଁ ଆସୁଛି ।

 

( ପ୍ରସ୍ଥାନ ଉଦ୍ୟତ )

ଗୁଲ୍ଲରା

ମହାଶୟ, ମୋତେ ଯେ କହିଲ ସାକ୍ଷ୍ୟ ଦେବାକୁ ଦିନେ ପଡ଼ିବ, ଅନୁଗ୍ରହ କରି କୁହ, କାହିଁକି ?

ନାଦେର୍‌

ଗୋଟିଏ ନାରୀ ହରଣ ମୋକଦ୍ଦମାରେ ଅଭିଯୁକ୍ତ ହୋଇ ହୋସେନ୍‌ ଓ ଖୋରାସାନ୍‌ର ଆଉ ଗୋଟିଏ ଯୁବକ ଆସାମୀ ରୂପରେ ଧରା ହୋଇ ଆସିଥିବାର ମୁଁ ଶୁଣା ପାଇଛି ।

ଗୁଲ୍ଲରା

(ଚମକି ପଡ଼ି) ଖୋରାସାନ୍‌ !

ନାଦେର୍‌

ବାଳିକା, ତୁମେ କି ଖୋରାସାନୀ ।

ଗୁଲ୍ଲରା

ନିରୁତ୍ତର ।

ନାଦେର୍‌

ଜଣାଗଲା ତୁମ୍ଭେ ଖୋରାସାନୀ ।

ଗୁଲ୍ଲରା

ମହାଭାଗ ! ଦୟା କରି କୁହନ୍ତୁ, ଉକ୍ତ ମୋକଦ୍ଦମା ବିଷୟ ଶୁଣିବାକୁ ମୋର ବଡ଼ ଆଗ୍ରହ ହେଉଛି ।

ନାଦେର୍‌

ଘଟଣା ସ୍ଥଳରେ ମୁଁ ନ ଥିଲି କିମ୍ୱା ଆସାମୀମାନଙ୍କୁ ସ୍ୱଚକ୍ଷୁରେ ଦେଖିନାହିଁ; କିନ୍ତୁ ଶୁଣିଛି ଯେ, ହୋସେନ୍‌ ଓ ଖୋରାସାନ୍‌ର ଗୋଟିଏ ଯୁବକ ଏମାନଙ୍କ ମଧ୍ୟରୁ କାହାଦ୍ୱାରା ଗୋଟିଏ ପଞ୍ଚଦଶ ବର୍ଷିୟା ବାଳିକା ଅପହରଣ ହେଉଥିବା ଅବସ୍ଥାରେ ଜଣେ ସତୁରୀ ବର୍ଷର ବୃଦ୍ଧ ଏବଂ ଆଉ ଜଣେ ଅନ୍ଧ ତହିଁରେ ବାଧା ଦେବାରୁ ଆସାମୀମାନଙ୍କ ମଧ୍ୟରୁ କାହାଦ୍ୱାରା ଦୁହେଁ ଆହତ ହୋଇ ଚିକିତ୍ସାଳୟରେ ଅଛନ୍ତି । ବୃଦ୍ଧଟି କନ୍ୟା ବିଚ୍ଛେଦରେ ପାଗଳପରି । ଅନ୍ଧଟି ଭଗ୍ନୀ ବିଚ୍ଛେଦରେ ତଦ୍ରୂପ । ବାଳିକାଟି ନିରାପଦରେ ଉଦ୍ଧାର ହୋଇପାରିଛି, ମୋକଦ୍ଦମା ବିଚାରାଧୀନ ।

ଗୁଲ୍ଲରା

(ଅଥୟ ହୋଇପଡ଼ି) ମୁଁ ସେ ବୃଦ୍ଧଙ୍କୁ ସାକ୍ଷାତ୍‌ କରିବାକୁ ଚାହେଁ । ଆପଣ ଅନୁଗ୍ରହ କରି ତାଙ୍କୁ ସାକ୍ଷାତ୍‌ କରାଇଦେଇ ପାରିବେ କି ?

ନାଦେର୍‌

ବ୍ୟସ୍ତ ହୁଅନା, ମୁଁ ତୁମ୍ଭଙ୍କୁ ସଠିକ କାରଣ ଶୁଣାଇ ସେଠାକୁ ନେଇଯିବି । ବର୍ତ୍ତମାନ ମୁଁ ଆସୁଛି । (ପ୍ରସ୍ଥାନ)

ଗୁଲ୍ଲରା

ଆଉ ସନ୍ଦେହ ନାହିଁ, ପିତା ମୋ ବିଚ୍ଛେଦରେ ପାଗଳ ହୋଇ ଏଠାକୁ ଧାଇଁ ଆସିଛନ୍ତି । ଏଣେ ଦାରାର ଅବସ୍ଥା ଅନ୍ୟ ରକମ । ମୋର ଉପାୟ ଯେ କ’ଣ ୟା ଖୋଦା ! (ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

ପଥ

 

(ଜଣେ ବୃଦ୍ଧା, ବୟସ ପ୍ରାୟ ପଚାଶରୁ ଊର୍ଦ୍ଧ୍ୱ, ଗୃହକରଣା କେତେଗୁଡ଼ିଏ ଜିନିଷ ନେଇ ପଳାଇଯିବା ଉଦ୍ଦେଶ୍ୟରେ ଚାଲିଥାଏ । ନାତି ଦ୍ୱାଦଶବର୍ଷୀୟ ବାଳକ ପଛରେ ବାଧା ଦେଉଥାଏ ।)

ବୃଦ୍ଧା

ନାହିଁରେ, ଆଉ ଏ ସ୍ଥାନରେ ରହି ହେବ ନାହିଁ । ରାଜା ଅନୁଗତ ଧର୍ମ । ଜୁଆଡ଼େ ଶୁଣୁଛ ନାରୀ ହରଣ, ନାରୀ ହରଣ । ରାଜା ତ ପ୍ରଥମେ ସେ କଥାଟି ଆଗ ଭିଆଇଲେ, ପ୍ରଜାଏ ତା ନ କରିବେ କାହିଁକି ? ଜୋର ଜବରଦସ୍ତି କାଳ, ବୋହୁ ଭୁଆଶୁଣୀ ଛୁଆପିଲା ଘେନି ଚଳିବା ମୁସକିଲ ହୋଇପଡ଼ିଲାଣି । ମୋ ଛାତି ତ କାଲିଠୁ ଦାଉଁ ଦାଉଁ ପଡ଼ୁଛି ।

ନାତି

ଆଈ, ତୁ କାହିଁକି ଛାନିଆଁ ହୋଇପଡ଼ୁଛୁ । ତୋର କଅଣ ଅଛି ବୟସ, ନା ଅଛି ରୂପ, ତୋତେ କିଏ ହରଣ କରି ନେଉଛି !

ବୃଦ୍ଧା

ବୟସ, କି ରୂପ ନ ଥିଲେ କ’ଣ ହେଲା, ବୁଝିଲେ ମୁଁ ତ ଗୋଟିଏ ନାରୀ । ମୋର ଯଦି ଗିରସ୍ତ ଥାଆନ୍ତା, ତେବେ ମୁଁ ପୁଣି ତ ପାଞ୍ଚ ଚିଜ ପାଞ୍ଚ ଦରବ ନାଇ ଅହିଅ ମୁଣ୍ଡାରେ ବସିଥାଆନ୍ତି ! ମୋ ବୟସର ଲୋକଙ୍କର ପିଲା ପିଲି ହୋଇ ନାହାନ୍ତି ।

ନାତି

ତା ହେଲେ ଆଈ, ତୋ କଥାରୁ ଜଣାଯାଉଛି ତୋର ବିଭା ହେବାରେ ମନଟା ଷୋଳପଣ ଅଛି । ଏମିତି ଦାଣ୍ଡ ଘାଟରେ ପାଟି କରି ବୁଲିଲେ ତୋରିପରି କିଏ ବୁଢ଼ା ଧୋକଡ଼ା, ସ୍ତ୍ରୀ ଲମ୍ପଟି ହୋଇଥିବ, ତୋତେ ଦେଖିଲେ ଆଗ ନେଇଯିବ ।

ବୃଦ୍ଧା

ବୁଢ଼ା ଧୋକଡ଼ା କାହିଁକିରେ, ଶୁଣିଛୁ ପରା କାଲି ସକାଳେ ଧରା ପଡ଼ିଛନ୍ତି କଣ ପଚିଶ ବର୍ଷର ଗଜା ଟୋକା ଦିଟା ।

ନାତି

ତାହାହିଁ ଭାବି ମନ ଆଣ୍ଟରେ ଧାଇଁଛୁ ଟୋକା ବରଟିଏ ତୋତେ ନେଇଯିବ, ଆଉ ମୁଁ କଅଣ

ବୃଦ୍ଧା

ତୁ ମଣିଷ ପଣିଆ କଲାବେଳକୁ ମୁଁ ଗାତରେ । ନାତି, ସତେ ବା ମୋତେଗୁଡ଼ାଏ ବେଶୀ ସେମିତି ବଅସ ହୋଇଛି କି ?

ନାତି

ଆଉ କେତେ, ମନେ ଅଛି ?

ବୃଦ୍ଧା

ହଁ ବା, ଅଗ ଜିଭରେ ଥିଲା । ହଁ ଦିକୋଡ଼ି ଦଶ, ଆଉ ପାଞ୍ଚ ।

ନାତି

ଦିକୋଡ଼ି ହେଲା ଚାଳିଶ, ଦଶ ପଚାଶ, ଆଉ ପାଞ୍ଚ ପଞ୍ଚାବନ ।

ବୃଦ୍ଧା

ତୋ ଅଜା ମଲାବେଳକୁ ପରା ହିସାବ ହୋଇଥିଲା ଷାଠିଏ ବର୍ଷକୁ ଆଉ କେତେଗୁଡ଼ାଏ ବର୍ଷ ଊଣା ଅଛି !

ନାତି

ହଁ ପାଞ୍ଚ ବର୍ଷ କଅଣ କମ୍‌, ବାଳଗୁଡ଼ାକ ଝୋଟପରି ଫର୍‌ ଫର୍‌ ଉଡ଼ିଲାଣି, ଟିକେ କଳା ବୋଳି ଦେଲୁନାହିଁ । ଲୋକେ ଦେଖିଲେ ତ ବୁଢ଼ୀ ବୋଲି ଚିହ୍ନି ଦେବେ !

ବୃଦ୍ଧା

ନାଇରେ, ବାତରୁ ସେମିତି ହୋଇଗଲା ।

ନାତି

ଆଉ ଦାନ୍ତ ଗୁଡ଼ାକ ?

ବୃଦ୍ଧା

ବରଷ ଗୋଟାଏ ରୋଗରେ ପଡ଼ିଲି ସେଇଥିରେ ତ ଏ ଅବସ୍ଥା ।

ନାତି

ଆଈ ହେଇ ତ କିଏ ଆସିଲା । (ବୃଦ୍ଧା ଚମକି ପଡ଼ି ସଣ୍ଠଣାରେ ଗତି ହାବ ଭାବ ଦେଖାଇବା, ନାଗରିକ ଜଣେ ଯୁବକ ଫିଟ୍‌ଫାଟ୍‌ ହୋଇ ପହଞ୍ଚି ପଚାରିଲେ)

ନାଗରିକ

ରାଜବାଟୀକୁ ବାଟ କହିଦେବ କି ?

ବୃଦ୍ଧା

(ଏ କନ୍ଦି ସେ କନ୍ଦି ଲଜ୍ଜାଶୀଳା ଭାବ ଦେଖାଉଥାଏ ସେତେ କି ତାକୁ କିଏ ନେଇ ପଳାଇବ । ଏଣେ ନାତିକି କହୁଥାଏ) ତୁ ଏଠୁ ଚାଲି ଯାଉନାହୁଁ ।

ନାଗରିକ

ଏପରି କାହଁକି ହେଉଛ, କଣ ଭୟ ହେଉଛି ।

ବୃଦ୍ଧା

(ନାତିକି ଜବରଦସ୍ତି କହୁଥାଏ) ତୁ ଏଠୁ ଚାଲି ଯା । ଭୟର କଥା ନୁହେଁ, ମୁଁ ତିରି ଲୋକ ତମେ ପୁରୁଷ, ବିଚ୍‌ ଦାଣ୍ଡଟାରେ ।

ନାଗରିକ

ହଁ, ମୁଁ ପୁରୁଷ ହେଲେହେଁ ବୟସ ସାମଞ୍ଜସ୍ୟରେ ତୁମେ ମୋର ଗୋସି ମା’ ପରି । ତୁମର ପୁଣି ଆମକୁ ଲଜ୍ଜା କଅଣ ?

ବୃଦ୍ଧା

(ନିଜ ନାତି ପ୍ରତି) ଦେଖିଲୁ ନାତି, ମନା କରୁଥିଲୁ ପରା, ଏ ବୁଢ଼ୀଠେଇଁ ଆଖି ଯାହାର ପଡ଼ିବ ସେ...ଦେଖିଲୁ ଆଈ ନାତି ଭାବ କେମିତି ଲଗେଇ ଦେଲେଣି, କଥା ମରମ ଭିତରେ ପଶୁଛୁ ନା ।

ନାଗରିକ

କ’ଣ କହୁଛ, ମୁଁ ବୁଝି ପାରୁନାହିଁ ।

ବୃଦ୍ଧା

ବଡ଼ ସିଆଣିଆ ଚତୁର ।

ନାଗରିକ

ମୋର କଅଣ ଅପରାଧ ହୋଇଛି, ମୋତେ କ୍ଷମାକର । (ବୃଦ୍ଧା ନିକଟ କ୍ଷମା ଭିକ୍ଷା ମାଗିବାକୁ ଗଲାରୁ)

ବୃଦ୍ଧା

ପାଟିକରି ଉଠି ନାତି ତୋ ବାଟ ତୁ ଧରି ପଳା, ମୋର କଥା ସରିଲା, ମୋ କଥା ସରିଲା । (ପଡ଼ି ଗଡ଼ିଲା)

ନାଗରିକ

ଆଶ୍ଚର୍ଯ୍ୟ ! ମୋର ପଥ ପଚାରିବାଟା ଏତେ ଭୁଲ । (ଚାଲିଗଲା)

ବୃଦ୍ଧା

ଉଠି ଚାହିଁ, (ନାତିପ୍ରତି) ତୁ ଗାଡ଼ ଶୁଆଟା ଯେଉଁଠି ଥିବୁ ନା, ମୁଁ କହୁଛି ମୋ ପାଶରୁ ଯା ।

ନାତି

ଆଈ, ତୋତେ ବାହାଘର ଜୋର ସୋର୍‌ ତଲ୍‌ପ ଦେଲାଣି । ମୁଁ ତୋପାଇଁ ବର ଘରଟିଏ ଠିକ୍‌ କରି ଦେଉଛି ।

ବୃଦ୍ଧା

ଛେନା କରିବୁ, କେଡ଼େ ବଡ଼ ସୁନାର ସଂସାରଟା ଭାଙ୍ଗିଦେଲୁ, ଦେଖୁଛୁନା ।

 

(ପ୍ରସ୍ଥାନ)             (ଜନାନ୍ତିକେ)

 

ଚତୁର୍ଥ ଦୃଶ୍ୟ

ଦାରା

(ଏକାକୀ ପ୍ରବେଶି) ଏ କଣ, ଗୁଲ୍ଲରା ଏଠାକୁ କିପରି ଆସିଲା ! ନାଦେର୍‌ ଖାଁ ଗୁଲ୍ଲରା ହାତରେ ଚିଠି ପଠାଇଛନ୍ତି ! ବୁଝି ପାରୁନାହିଁ । କି ରସହ୍ୟର ମଧ୍ୟ ସ୍ଥଳରେ ମୁଁ ଅଛି, ଅନୁସନ୍ଧାନ କରିବାର ସମୟ ନାହିଁ । ପିତୃପତ୍ର ଆସି ଯେତେବେଳୁ ମୋର କରଗତ ହୋଇଛି, କଦାପି ମୋର ପ୍ରତିଜ୍ଞା ବଦଳ ହେବନାହିଁ । ମେରୁ ବରଂ ଟଳିପାରେ, ମୋର ପ୍ରତିଜ୍ଞା ଅଟଳ, ଅଚଳ । ଓଃ, ରମଣୀର ପ୍ରେମ ତାର ସୌନ୍ଦର୍ଯ୍ୟ ମୋତେ ଉନ୍ମତ୍ତ କରି ଦେଇଥିଲା । ମୁଁ ଭୁଲି ଯାଇଥିଲି ଯେ, ମୋର ଲକ୍ଷ୍ୟ କଅଣ ? ମୁଁ କି କୃତଘ୍ନ । ପିତାଙ୍କର ମୃତ୍ୟୁ କଥା ଭୁଲି ଯାଇଥିଲି । ନା, ଆଉ ଭୁଲ୍‌ ହୋଇପାରେ ନା । ପ୍ରଣୟ, ହତ୍ୟାକାରୀର ହୃଦୟରେ ତୋର ସ୍ଥାନ ନାହିଁ । (ପଶ୍ଚାତରୁ ରାଣୀ ପ୍ରବେଶ)

ରାଣୀ

ଦାରା ! ତୁମ୍ଭେ ଏପରି ହଠାତ୍‌ ଚାଲି ଆସିଲ କାହିଁକି ?

ଦାରା

କି କୁକ୍ଷଣରେ ଆପଣଙ୍କ ସହିତ ମୋର ସାକ୍ଷାତ୍‌ ହୋଇଥିଲା, ମୁଁ ଭୁଲି ଯାଇଥିଲି ଯେ ମୋର ଲକ୍ଷ୍ୟ କଅଣ ? ଆଉ ଆପଣ ମୋର ନାମ ଧରନ୍ତୁ ନାହିଁ, ମୋତେ ଭୁଲିଯାନ୍ତୁ । ଆପଣଙ୍କ ସଙ୍ଗେ ଯେ କେବେ ମୋର ସାକ୍ଷାତ୍‌ ହୋଇଥିଲା, ସେ କଥା ମଧ୍ୟ ଭୁଲିଯାନ୍ତୁ ।

ରାଣୀ

ଦାରା ! ଏଥି ମଧ୍ୟରେ ତୁମର ଏପରି ପରିବର୍ତ୍ତନ କାହିଁକି ? (ନିକଟକୁ ଅଗ୍ରସର ହେବା)

ଦାରା

(ଟିକେ ଘୁଞ୍ଚିଯାଇ) ଆପଣ ମୋ ନିକଟକୁ ଆସନ୍ତୁ ନାହିଁ । ଆପଣ ଆଉ ମୋ ମଧ୍ୟରେ ହିମାଚଳ ବ୍ୟବଧାନ । ସେ ବ୍ୟବଧାନ ଅତିକ୍ରମ କରିବା ସାଧ୍ୟାତୀତ ।

ରାଣୀ

କୁହ ଦାରା, ସେ ବ୍ୟବଧାନ କଅଣ ? ତୁମ୍ଭର ଯାହା ଅସାଧ୍ୟ, ତାହା ମୁଁ ନିଜେ ସାଧନ କରିବି ।

ଦାରା

ଆପଣ ତାହା ପାରିବେ ନାହିଁ । ଆପଣ ଯେଉଁ ପବନରେ ନିଃଶ୍ୱାସ ଗ୍ରହଣ କରନ୍ତି, ସେ ବାୟୁ ସେବନ କରିବାର ମୋର ଅଧିକାର ନାହିଁ । ଆପଣଙ୍କ ସଙ୍ଗେ କଥା କହିବା ମଧ୍ୟ ମୋର ଅନୁଚିତ । ଆପଣଙ୍କ ସମ୍ମୁଖରେ ଛିଡ଼ା ହେବା ଠାରୁ ଚାଲିଯିବା ବରଂ ଶ୍ରେୟସ୍କର । (ପ୍ରସ୍ଥାନୋଦ୍ୟତ)

ରାଣୀ

ଦାରା, ଦାରା ! ଶୁଣ, ଶୁଣ ! ତୁମେ ରମଣୀର ହୃଦୟ ଜାଣି ନା । ରମଣୀର ପ୍ରେମ ଚିହ୍ନିନା । ସେଥିପାଇଁ ଏପରି କହୁଛ । ଅଶ୍ରୁଧାର ବିନ୍ଦୁବିନ୍ଦୁ ହୋଇ ଭୂମିରେ ପତିତହେଲେ ଜଗତରେ କାହାର ସାଧ୍ୟ ନାହିଁ ଯେ, ପୁଣି ସେ ଅଶ୍ରୁଧାରକୁ ନେଇ ଚକ୍ଷୁରେ ରଖିବ । ମୁଁ ଜୀବନରେ ଏଇ ପ୍ରଥମ ପ୍ରେମଭିକାରୁଣୀ । ତୁମ୍ଭେ ଜାଣ ନା, ସ୍ୱାମୀଙ୍କ ସହିତ ମୋର କି ସମ୍ୱନ୍ଧ ? ଏ ବୃଦ୍ଧ ରାଜା ମୋତେ ପିତାମାତାଙ୍କ ନିକଟରୁ ଛଡ଼ାଇ ଆଣି ଜୋର୍‌ କରି ବିବାହ କରିଥିଲେ । ଦାରା ! ପ୍ରଣୟ କି ଏଡ଼େ ନୀଚ ଯେ, ସେ ଅର୍ଥର ବଶୀଭୂତ ହେବ ? ପ୍ରେମ କି ଧନ ସମ୍ପତ୍ତି, ଆୟ ଅଳଙ୍କାରରେ ବାଶୀଭୂତ ହେବ ? ନା, ତା ନୁହେଁ । ତୁମେ କୁହ, କି ପ୍ରତିବନ୍ଧକ ? ପୃଥିବୀରେ ଏପରି କି ପଦାର୍ଥ ଅଛି ଯେ, ତା ପ୍ରେମ ସ୍ରୋତରେ ପ୍ରତିବନ୍ଧକ ହୋଇପାରେ ? ଉନ୍ମାଦିନୀ ସ୍ରୋତସ୍ୱତୀର ପ୍ରଖର ଗତିର ଅବରୋଧ କରିବା କାହାର ସାଧ୍ୟ ଦାରା ? ମୁଁ ଏ ତୁଚ୍ଛ ରାଜ ଐଶ୍ୱର୍ଯ୍ୟ ପରିତ୍ୟାଗ କରି ଭିକାରୁଣୀ ବେଶରେ ପୃଥିବୀର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ତୁମର ଅନୁଗାମିନୀ ହୋଇପାରେ । ପ୍ରେମ କଅଣ, ଯେ ଅନୁଭବୀ ତା ଜାଣେ ଦାରା !

ଦାରା

ଏ ପୃଥିବୀ ଅତି ସଂକୀର୍ଣ୍ଣ ସାମ୍ରାଜ୍ଞୀ । ଏ ସଂସାରରେ ଆମର ସ୍ଥାନ ନାହିଁ । ମୋତେ ବିଦାୟ ଦିଅନ୍ତୁ । (ପ୍ରସ୍ଥାନୋଦ୍ୟତ)

ରାଣୀ

ତେବେ କାହିଁକି ମୋର ଜୀବନର ମଧ୍ୟ ସ୍ଥଳରେ ଆସି ଛିଡ଼ା ହେଲ ? ମୋର ହୃଦୟ ମରୁଭୂମିଠାରୁ ଆହୁରି ଶୁଷ୍କ ଥିଲା । ବୃଥାରେ କାହିଁକି ସେ ସ୍ଥାନରେ ସ୍ନେହବାରୀ ସେଚନ କଲ ?

ଦାରା

ଖୋଦା ! ଖୋଦା ! ମୋତେ କି ବିପଦରେ ଆଣି ପକାଇଲ ?

ରାଣୀ

ମୋତେ କାହିଁକି ଏପରି ପ୍ରତାରଣା କରୁଛ ଦାରା ? ମୋ ଅତୃପ୍ତ ହୃଦୟରେ ଆଶା ଜଗାଇ ଦେଇ, ପୁଣି କାହିଁକି ନିରାଶ କରୁଛ ? ଦାରା ! ଦାରା ! ଶୁଣ, ଆଜି ପର୍ଯ୍ୟନ୍ତ ଯାହା ମୁଁ କେବେ କାହାକୁ କହି ନଥିଲି । ଦାରା ! ଆଜି ମୁଁ ମୁକ୍ତ କଣ୍ଠରେ ସ୍ୱୀକାର କରୁଛି, ତୁମେ ମୋର । ଦାରା ! ମୁଁ ତୁମକୁ ଭଲପାଏ । ତାହା ଶୁଣି ସୁଦ୍ଧା ତୁମ୍ଭେ ନୀରବ । ଦାରା ! ମୁଁ ତୁମ୍ଭ ନିକଟରେ ପ୍ରେମ ଭିକାରୁଣୀ । ଆଉ ତୁମ୍ଭେ ସେ ଭିକ୍ଷା ଦାନରେ...।

ଦାରା

ଅସମର୍ଥ । ନିତାନ୍ତ ଅସମର୍ଥ, ସାମ୍ରାଜ୍ଞୀ ! ଏ ସଂସାରରେ ମୋର ଯାହା କିଛି ଥିଲା, ସେ ସମସ୍ତ ଆଜି ଅନନ୍ତ ଆକାଶରେ ଲୀନ ହୋଇଯାଇଛି । ଅଛି କେବଳ ଗୋଟାଏ ପଦାର୍ଥ, ଯାହା ମୋତେ ଦିବାନିଶି ଆହାରେ, ବିହାରେ, ନିଦ୍ରାରେ, ଜାଗରଣର ସତର୍କ କରାଇ ଦେଉଛି । ମୋତେ ବିଦାୟ ଦିଅନ୍ତୁ ଏହି ଶେଷ କଥା । (ପ୍ରସ୍ଥାନ)

ରାଣୀ

ଚାଲିଗଲେ, ମୋର କୌଣସି କଥା ନଶୁଣି ଚାଲିଗଲେ । ସେ କଅଣ ମୋତେ ଭଲ ପାଆନ୍ତି ନାହିଁ । କିନ୍ତୁ ମୁଁ ଯେ ଭଲ ପାଏ । ପ୍ରତିବନ୍ଧକ । କଅଣ ସେ ପ୍ରତିବନ୍ଧକ ? ଯଦି ଭାବି ସ୍ଥିର କରି ନପାରେ, ତେବେ ଆତ୍ମହତ୍ୟା ଏକମାତ୍ର ଉପାୟ । କାହିଁପାଇଁ ଆଉ ଏ ଜୀବନ ଧାରଣ କରିବି, ବୃଦ୍ଧପାଇଁ ? ନା, କି ସମ୍ୱନ୍ଧ ତାଠାରେ ମୋର । ହେ ମୃତ୍ୟୁ ଦେବତା ! ଯେତେବେଳେ ମୁଁ କୌଣସି ଉପାୟ ନପାଇ ତୁମ୍ଭ ନିକଟକୁ ଦଉଡ଼ି ଯିବି, ତେତେବେଳେ ତୁମ୍ଭର ସହଚରୀ ନିଶିଥିନୀକୁ ସଙ୍ଗରେ ନେଇ ରସାତକର ଅନ୍ଧକାର ଭେଦ କରି ମୋତେ ଗ୍ରାସକରିବାକୁ ଦଉଡ଼ି ଆସିବ । ମିଳନରେ ମଙ୍ଗଳ ବାଦ୍ୟ ନୁହେଁ, ପ୍ରଣୟର କୁସୁମ ହାର ନୁହେଁ, ଖାଲି ପେଚକର ଅମଙ୍ଗଳ ସ୍ୱରରେ, ବାୟସର କର୍କଶ କଣ୍ଠରେ, ତୁମର ତୀବ୍ର କଣ୍ଠ ମିଶାଇ ମରଣର ସଙ୍ଗୀତରେ ଚାରଚର ଆଚ୍ଛନ୍ନ କରି ଏଇ ନାରୀ ଜୀବନର ଲାଞ୍ଛନାରୁ ଚିରଦିନ ପାଇଁ ମୋତେ ମୁକ୍ତି ଦେବ । ମୃତ୍ୟୁ ଦେବତା ! ଏଇ ମୋର ଶେଷ ନିବେଦନ । (ପ୍ରସ୍ଥାନ)

 

ପଞ୍ଚମ ଦୃଶ୍ୟ

ନସିର୍‌

(ମୁଣ୍ଡରେ ପଟି ବନ୍ଧାହୋଇଥାଏ ପ୍ରବେଶ କଲେ ଧୀରେ ଧୀରେ) କିଏ ଭଦ୍ରଲୋକ, ମୋତେ ଅପେକ୍ଷା କରିଥିଲେ ! ମୋର ବା ଏ ଜଗତରେ ଆଉ କିଏ ଅଛି ! ଗୋଟିଏ ଚିରପାଳିତ ନୟନ ପିତୁଳା ହରାଇ ଯାହାକିଛି ମର୍ମ୍ମନ୍ତୁଦ ବେଦନା ଅନୁଭବ କରୁଥିଲି, ଶେଷକୁ ଶାନ୍ତିଦାୟିନୀ ମୋର ଅନ୍ଧର ଲଉଡ଼ି ଗୁଲ୍ଲରା, କେଉଁଆଡ଼େ କିଏ ତାକୁ କେଉଁ ମୁହୂର୍ତ୍ତରେ ଉଭାଇ ନେଇଗଲା ! ମୃତ୍ୟୁ ଦେବତା ! ତୁମେ ଏ ଜରାଜୀର୍ଣ୍ଣ କୁତ୍ସିତ ଅବସ୍ଥା ଦେଖି କଅଣ ଘୃଣା କରି ଚାଲିଗଲ ? ମୋତେ ତୁମ୍ଭର କୋଳକୁ ଆହ୍ୱାନ କରି ନେଇ ପୁଣି ଫିଙ୍ଗିଦେଇ ଗଲ, ଆସ ଆସ ।

ନାଦେର୍‌

(ପ୍ରବେଶି) କିଏ ନସିର୍‌ ଖାଁ, ତୁମ୍ଭେ ! (ଧରି ପକାଇଲେ)

ନସିର୍‌

ସଲାମ୍‌ ସଲାମ୍‌, ମୋବାରକ୍‌ ସାହା, କଅଣ ଦେଖିବାକୁ ଆସିଲ । ନାଇଁ, ମୃତ୍ୟୁ ଦେବତା ମୋତେ ଭୟ କରି ପଳାଇଛି । ମୋର କୁତ୍ସିତ ଦୀନ ହୀନ ଅବସ୍ଥା ଦେଖି ପଳାଇଛି ।

ନାଦେର୍‌

ନସିର୍‌ ଖାଁ, ତୁମ୍ଭର ଏଠାକୁ ଆସିବା ନିତାନ୍ତ ଉଚିତ ନଥିଲା । ତୁମ୍ଭେ କଅଣ ମୋତେ ଚିହ୍ନିନାହଁ ? ମୁଁ ଯେଉଁ ଉଦ୍ଦେଶ୍ୟରେ ଦାରାକୁ ଏଠାକୁ ଆଣିଛି, ତୁମ୍ଭର ଅଜଣା କିଛି ନୁହେଁ ।

ନସିର୍‌

ବନ୍ଧୁ ! ମୁଁ ଦାରା ବିରହରେ ପ୍ରାଣରେ ବେଦନା ଅନୁଭବ କରୁଥିଲେ ସୁଦ୍ଧା ତୁମ୍ଭର ମହତ୍‌ ଉଦ୍ଦେଶ୍ୟର ଲକ୍ଷ୍ୟ ସ୍ଥଳରେ ଦାରା ପହଞ୍ଚିଛି । ଏଥିରେ ଗର୍ବିତ ଥିଲି, ମାତ୍ର ମାତୃହୀନା ବାଳିକା ଗୁଲ୍ଲରାଟି ମୋର ଆଖି ଦିଓଟି ଫୁଟାଇ ଦେଇ ଦାରା ବିଚ୍ଛେଦରେ କେଉଁଆଡ଼େ ଚାଲି ଆସିଛି । ତାକୁ ହରାଇ ଆଉ ସ୍ଥିର ହୋଇ ରହିପାରିଲି ନାହିଁ । ଇଉସୁଫ୍‌କୁ ଘେନି ତାର ପଥ ଅନୁସରଣ କରୁ କରୁ ଏକ ଜୀବନ ମରଣ ସମସ୍ୟାର ସମ୍ମୁଖୀନ ହେଲି ।

ନାଦେର୍‌

ଗୁଲ୍ଲରା ? ସେ କି ତୁମରି କନ୍ୟା ? ହଁ, ଆସିବା ପରେ କଅଣ ହେଲା ?

ନସିର୍‌

କନ୍ୟା ବିଚ୍ଛେଦରେ ମୁଁ ପାଗଳ । ଦୁରରୁ ଶୁଭିଲା ‘‘ରକ୍ଷାକର ରକ୍ଷାକର ।’’ ଠିକ୍‌ ଯେପରି କି ଗୁଲ୍ଲରାର ସେହି ମଧୁ କଣ୍ଠସ୍ୱର । ଭାବିଲି, ମା ମୋର କେଉଁ ପାଷଣ୍ଡର କବଳରେ ପଡ଼ି କାତର ଚିତ୍କାର କରୁଛି । ନିମିଷେ ଯାଇନାହିଁ, ଗୋଟିଏ ଯୁବକ ବାଳିକାଟିର ଅନିଚ୍ଛା ସତ୍ତ୍ୱେ ଯୋର୍‌ କରି ତାକୁ ବହିନେବାକୁ ବସିଛି ଦେଖିଲି । ଇଉସୁଫ୍‌ ଯୁବକକୁ ବାଧା ଦେଲା, ତହିଁ ପଛେ ପଛେ ଗୋଟିଏ ଅନ୍ଧ । ମୋର ଭଉଣୀ, ମୋର ଭଉଣୀ କହି ପଡ଼ିଉଠି ସେ ଆତତାୟୀକୁ ଧରି ପକାଇଲା । ମୁଁ ମଧ୍ୟ ଅଧୀର ହୋଇ ପଡ଼ି ମୋର ଗୁଲ୍ଲରା ବୋଲି ଧରି ପକାଇଲି । ଆତତାୟୀ ଆମ ଦୁହିଙ୍କୁ ମାରି ଫିଙ୍ଗିଦେଲା, କିନ୍ତୁ ଇଉସୁଫ୍‌ ସେ ଉଦ୍ଧତ ଯୁବକକୁ ଧରି ପକାଇଲାବେଳେ ରାଜକର୍ମ୍ମଚାରୀ ଓ ସିପାହୀଙ୍କଦ୍ୱାରା ବାଳିକାଟିର ଉଦ୍ଧାର ହେଲା । ଆଉ ଇଉସୁଫ ଓ ସେ ଉଦ୍ଧତ ଯୁବକ ଉକ୍ତ ଅଭିଯୋଗରେ ବନ୍ଦୀ ହେବା କଥା ସବୁ ସଂଜ୍ଞାଲାଭ କଲାରୁ ଶୁଣିଲି । ସେ ଅନ୍ଧ ଓ ମୁଁ ସେଇଦିନଠାରୁ ଏହି ଚିକିତ୍ସାଳୟରେ । ଇଉସୁଫ୍‌ ବି ମୁକ୍ତିଲାଭ କରିନାହିଁ ।

ନାଦେର୍‌

ହଁ, ଏହି ମୋକଦ୍ଦମା ବିଚାରଧୀନ ନସିର୍‌ ଖାଁ । ଏଠାରେ ରହିବାକୁ ମୋର ବେଶି କିଛି ସମୟ ନାହିଁ । ସଂକ୍ଷେପରେ କେତେଟା କଥା କହିଯାଉଛି । ମୁଁ ଯେଉଁ କାର୍ଯ୍ୟର ଅବଲମ୍ୱନରେ ଦାରାକୁ ଆଣି ଛିଡ଼ା କରିଛି, ତହିଁରେ ନାନାଦି ବାଧାବିଘ୍ନ ଘଟିବା ସମ୍ଭାବନା ଦେଖି ମୁଁ ବିଚଳିତ ହୋଇଯାଇଛି । ଗୁଲ୍ଲରା ତୁମର ନିରାପଦରେ ଅଛି । ସେ ବର୍ତ୍ତମାନ ମୋର ଷଡ଼ଯନ୍ତ୍ରରେ ସହାୟତ୍ରୀ । ତୁମ୍ଭେ ଥାଅ, ଏ ମୋକଦ୍ଦମା ମୁଁ ସ୍ଥଗିତ ରଖି ଦେଇଛି । କାରଣ ଆଲୋଚନାରେ ଆମକୁ ବିପଦ ସମ୍ଭବିବା ବିଚିତ୍ର ନୁହେଁ । ସାବଧାନ, କାହା ଆଗେ କୌଣସି କଥା ପ୍ରକାଶ କର ନାହିଁ । ଚାଲ, ମୁଁ ତୁମ୍ଭଙ୍କୁ ଶଯ୍ୟା ନିକଟକୁ ନେଇଯାଉଛି । (ଘେନି ପ୍ରସ୍ଥାନ)

 

ଷଷ୍ଠ ଦୃଶ୍ୟ

(ଦାରା ଓ ଗୁଲ୍ଲରା ପ୍ରବେଶ)

ଦାରା

ମୁଁ ଆଶ୍ଚର୍ଯ୍ୟ ହେଉଛି ଗୁଲ୍ଲରା ! ତୁମ୍ଭେ ଏଠାକୁ କିପରି ଆସିଲ ?

ଗୁଲ୍ଲରା

ଯେପରି ହେଉ, ମୁଁ ଆସିଛି । ସେଥିରେ ଆଶ୍ଚର୍ଯ୍ୟ ହେବାର କାରଣ କିଛି ନାହିଁ । (ଦୁଃଖରେ) ତୁମେ ମୋତେ ଭୁଲିଗଲ, କିନ୍ତୁ ମୁଁ ତୁମ୍ଭଙ୍କୁ ଭୁଲି ରହିପାରିଲି ନାହିଁ । ଇଉସୁଫ୍‌ ଭାଇ ନିକଟରୁ ତୁମର ସବୁକଥା ଶୁଣି କାହାକୁ କିଛି ନକହି ଚାଲିଆସିଲି ।

ଦାରା

ଚଚ୍ଚା ଯେ ତୁମ୍ଭ ଲାଗି

ଗୁଲ୍ଲରା

ସେ କଥା ଥାଉ ପରେ । ସେ ଅନେକ କଥା । ତୁମ୍ଭେ ଏଠାକୁ ଆସିବାଦ୍ୱାରା ଭଲ ହୋଇଛି କି ମନ୍ଦ ହୋଇଛି ଜାଣେ ନା, କିନ୍ତୁ ମୋ ମତରେ ତୁମ୍ଭର ଏଠାକୁ ଆସିବା ଆଦୌ ଭଲ ହୋଇ ନାହିଁ ।

ଦାରା

ଗୁଲ୍ଲରା ! ବୃଥାରେ ତୁମେ ମୋ ପାଇଁ ଏତେ କଷ୍ଟ ସହ୍ୟ କରୁଛ କାହିଁକି ? ଭଲ ମନ୍ଦ ବିବେଚନା କରିବାର କ୍ଷମତା ମୋର ନାହିଁ । ମୁଁ ଏକ ପୈଶାଚିକ ମୋହରେ ଆଚ୍ଛନ୍ନ । ତୁମେ ହିଁ ମୋତେ ସେ ଦିନ ପତ୍ର ଖଣ୍ଡିଏ ଦେଇଥିଲ ନା ? ସେଥିରେ କଅଣ ଲେଖାଥିଲା ଜାଣ ?

ଗୁଲ୍ଲରା

ମୁଁ ପତ୍ରବାହିକା, ପତ୍ରର ମର୍ମ୍ମ ମୁଁ ବା ଜାଣିବି କିପରି ?

ଦାରା

ସେଥିରେ ଲେଖାଅଛି, ‘‘ତୁମେ ତୁମ୍ଭର ପିତାଙ୍କୁ ସ୍ମରଣ କରି ଉଦ୍ଦେଶ୍ୟ ଭୁଲିଯାଅ ନା ।’’ ଭଲ ମନ୍ଦ ବିଚାର କରିବାର ଶକ୍ତି ମୋର ନାହିଁ ଗୁଲ୍ଲରା ।

ଗୁଲ୍ଲରା

ତୁମେ ମୋର ଗୋଟିଏ କଥା ରଖିବ କି ?

ଦାରା

କଅଣ କୁହ ।

ଗୁଲ୍ଲରା

ମୁଁ ଜାଣେ ନା ତୁମ୍ଭର ଉଦ୍ଦେଶ୍ୟ ବା କାର୍ଯ୍ୟ କଅଣ ? କିନ୍ତୁ ଯେପରି ମୋତେ କିଏ କହି ଦେଉଛି, ଦାରା ! ତୁମ୍ଭର ଏଠାକୁ ଆସିବା ନିତାନ୍ତ ଅନୁଚିତ ହୋଇଛି । ମୁଁ ଏଇ କେତେ ଦିନ ହେଲା ମାତ୍ର ଏଠାକୁ ଆସିଛି । ଆସି ଦେଖୁଛି ଯେ, ନରକର ତୀବ୍ର ଗନ୍ଧ ଏହି ପ୍ରାସାଦର ପ୍ରତ୍ୟେକ କକ୍ଷରେ ପୂର୍ଣ୍ଣ ହୋଇଛି । ଦାରା ! ଥରେ ଦର୍ପଣରେ ନିଜର ମୁଖ ଛବି ଦେଖିଲେ ବୁଝିପାରିବ ଯେ, ଏଇ ଐଶ୍ୱର୍ଯ୍ୟ ମଧ୍ୟକୁ ଆସି ତୁମ୍ଭର ମୁଖଶ୍ରୀ କିପରି ମଳିନ ହୋଇଯାଇଛି । ଦୁଶ୍ଚିନ୍ତାର ରେଖା କିପରି ତୁମ୍ଭର ସରଳ ମୁଖ ମଣ୍ଡଳରେ ଫୁଟି ଉଠୁଛି ।

ଦାରା

ଗୁଲ୍ଲରା ! ତୁମର କହିବା ଯଥାର୍ଥ, କିନ୍ତୁ ମୁଁ ଆତ୍ମବିକ୍ରୟ କରିଛି । ଜାଣେ ନା ତାହା ଶଇତାନ ନିକଟରେ ବା ଦେବତା ସମୀପରେ । କିନ୍ତୁ ପ୍ରତ୍ୟାବର୍ତ୍ତନର ଆଶୁ ଖୁବ୍‌ କମ୍‌ ।

ଗୁଲ୍ଲରା

ତୁମର ଉଦ୍ଦେଶ୍ୟ କଅଣ ମୋତେ କହିଲ ? ମୁଁ ତମ କଥା କିଛି ବୁଝି ପାରୁନାହିଁ ।

ଦାରା

ଗୁଲ୍ଲରା କ୍ଷମା କର, ମୁଁ କିଛି କହିବି ନାହିଁ । ସେ କଥା ଅତି ଗୋପନୀୟ ।

ଗୁଲ୍ଲରା

ଗୋପନୀୟ ! ତା ହେଲେ ଉଦ୍ଦେଶ୍ୟ ନିଶ୍ଚୟ ମନ୍ଦ । ତୁମେ ମୋ ନିକଟରେ ଲୁଚାଉଛ ଦାରା ! ଜ୍ଞାନ ହେବାକାଳୁ ମୁଁ ତୁମ୍ଭକୁ ଦେଖି ଆସୁଛି । ଦାରା ! ତୁମ୍ଭର ଛାୟା ଦେଖି ମୁଁ ତୁମର ମନଭାବ ବୁଝିପାରେ । ଆସ ଦାରା ! ଫେରି ଆସ । ଆମର ସେହି ସୁଦୂର ପଲ୍ଲୀ କୁଟୀରକୁ । ସେଇ ଦ୍ରାକ୍ଷା କ୍ଷେତ୍ର, ସେହି ପାହାଡ଼ ତଳ, ସେଇ ଇଉସୁଫ୍‌ ଭାଇ, ତୁମେ ଆଉ ମୁଁ । (କ୍ରନ୍ଦନ)

ଦାରା

କାନ୍ଦନା ଗୁଲ୍ଲରା ! ସ୍ୱଇଚ୍ଛାରେ ଯେଉଁ ଲୌହ ଶୃଙ୍ଖଳରେ ଆବଦ୍ଧ ହୋଇଛି, ସେ ଶୃଙ୍ଖଳ ଛିନ୍ନ କରି ଯିବାର ଉପାୟ ନାହିଁ । ତୁମେ କି ଜାଣିବ, କି ବୁଝିବ, ଗୁଲ୍ଲରା ! ମୁଁ ଗୋଟାଏ କଠୋର ଭୟାବହ ରାଜ୍ୟରେ ବିଚରଣ କରିବା ସଙ୍ଗେ ସଙ୍ଗେ ମଧ୍ୟ ଗୋଟାଏ ସ୍ୱର୍ଗୀୟ ପ୍ରେମ ରାଜ୍ୟରେ ବିଚରଣ କରୁଛି ।

ଗୁଲ୍ଲରା

ମୁଁ ବୁଝିଛି, ଦେଖୁଛି, ପ୍ରେମ ମୁଖକୁ ମଳିନ କରନା, ବକ୍ଷରେ ପାଷାଣରେ ଭୟଙ୍କର ଚାପଦିଅନା, ସେ ସ୍ୱର୍ଗର ଜ୍ୟୋତି, ପୃଥିବୀର ଯାହାକିଛି ମଳିନତା ତାକୁ ଉଜ୍ଜ୍ୱଳ କରେ, କୁତ୍ସିତକୁ ସୁନ୍ଦର କରେ, ପ୍ରେମ ସ୍ୱର୍ଗୀୟ ମନ୍ଦାକିନୀ ଧାରା । ଦାରା ! ଅନୁରୋଧ କରୁଛି, ନିଜେ ନିଜର ସର୍ବନାଶ କରନା ।

ଦାରା

ଯାହା ସର୍ବନାଶ ହେବାର ହୋଇଛି । ଯେଉଁ ଦାରାକୁ ତୁମେ ଚିହ୍ନିଥିଲ, ସେ ଦାରା ମରିଯାଇଛି । ତୁମ୍ଭେମାନେ ମୋତେ ଭୁଲିଯାଅ ।

ଗୁଲ୍ଲରା

ଦତ୍ତାପ୍ରହରୀ ନିଷ୍ଠୁର ! ତୁମେ ମରିଛି ? ତା ଅର୍ଥ ତୁମେ ଅପର କାହାଠାରେ ପ୍ରାଣ ସମର୍ପଣ କରି ଦେଇଛ, କିନ୍ତୁ ମନେକର, ଯେଉଁଦିନ ଦ୍ରାକ୍ଷା କ୍ଷେତ୍ରରେ ବିଷଧର ସର୍ପ ତୁମ୍ଭଙ୍କୁ ଦଂଶନ କରବାକୁ ଆସିଥିଲା, ତହିଁରେ ମୁଁ ତୁମ୍ଭର ସହାୟିତ୍ରୀ ହୋଇ ତୁମ୍ଭକୁ ବଞ୍ଚାଇଥିଲି । ତୁମ୍ଭେ ସେ ଦିନ କହିଲ ନା, ଗୁଲ୍ଲରା ! ଏ ପ୍ରାଣ ତୁମର । ଆଜି ପୁଣି ଅନ୍ୟ କାହାଠାରେ ।        (କ୍ରନ୍ଦନ)

ଦାରା

ଗୁଲ୍ଲରା, ତୁମେ ମୋ ପାଇଁ ଯାହା କରିଛ, ତାହା କୌଣସି ସ୍ତ୍ରୀ ତାର ସ୍ୱାମୀ ପ୍ରତି ବା କୌଣସି ଭଗ୍ନୀ ତାର ଭାଇ ପ୍ରତି କରିବ ନାହିଁ । ମୁଁ ତୁମ୍ଭଠାରେ ଚିରଋଣୀ, କିନ୍ତୁ ବର୍ତ୍ତମାନ ମୁଁ କଠୋର, ନିର୍ମ୍ମମ ଶୟତାନ । ପ୍ରତିହିଂସା ମୋର ଏକଲକ୍ଷ । ତୁମେ କିମ୍ୱା ଆଉ କିଏ ମୋର କେହି ନୁହନ୍ତି । (ପ୍ରସ୍ଥାନ)

ଗୁଲ୍ଲରା

ଦାରା ! ଦାରା ! (କହି ପଶ୍ଚାତେ ଧାବନ)

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

 

(ଘୋର ଅନ୍ଧକାର ରାତ୍ର, କୃଷ୍ଣ ବସ୍ତ୍ର ଆଚ୍ଛାଦନ କରି ନାଦେର୍‌ ଖାଁ ଦ୍ୱାର ଦେଶରେ ବସିଥିଲେ । ବର୍ଷା ତୋଫାନ ଆସନ୍ନ ।)

ଦାରା

ରାତ୍ରି କି ଭୀଷଣ ! ପ୍ରବଳ ତୋଫାନ ବର୍ଷା । ଘଡ଼ଘଡ଼ି, ବିଜୁଳି ଚମକରେ ପ୍ରାଣ ଭୟବିହ୍ୱଳ ହୋଇଉଠୁଛି । ପ୍ରଳୟର ଆବାହନ ହେଲାପରି

ନାଦେର୍‌

ପ୍ରଳୟର ଆବାହନ ।

ଦାରା

(ଚମକି ପଡ଼ି) କିଏ ? କିଏ ତୁମେ; କୃଷ୍ଣବର୍ଣ୍ଣ ଆବରଣରେ ଆଚ୍ଛାଦିତ ହୋଇ ମୃତ୍ୟୁ ଦେବତା କଅଣ ଏ ସ୍ଥାନରେ ବସିଛ ? ତୁମେ କି ବାକ୍‌ଶକ୍ତିହୀନ, ତେବେ କିଏ କହିଲା ? ପ୍ରଳୟ ।

ନାଦେର୍‌

(ଧୀରେ ଉଠି) ମୁଁ କହୁଛି, ଦାରା ଯୁବେୟାର ! ଆଜି ତୁମ୍ଭର ମୃତ ପିତାଙ୍କର ଆତ୍ମା ଆନନ୍ଦରେ ହସୁଛି, ଚିହ୍ନି ପାରୁଛ ।

 

(ଆବରଣ ବସ୍ତ୍ର ଖୋଲି ଦେଲେ)

ଦାରା

କିଏ ? ଆପଣ !

ନାଦେର୍‌

ତୁମରି ପାଇଁ ଏଠାରେ ଅପେକ୍ଷା କରିଛି ।

ଦାରା

ମନେକରି ନଥିଲି ଯେ, ଆଜି ଏପରି ଅବସ୍ଥାରେ ଆପଣଙ୍କ ସହିତ ମୋର ସାକ୍ଷାତ୍‌ ହେବ ? ଖୁବ୍‌ ଭଲ ହେଲା । ତେବେ ଆଜି ରାତ୍ରର ପ୍ରସ୍ତାବ ଶୁଣନ୍ତୁ ।

ନାଦେର୍‌

ତା ପୂର୍ବରୁ ମୁଁ କଅଣ ବନ୍ଦୋବସ୍ତ କରିଛି ଶୁଣ । ଏଇ ଫାଟକର ଦ୍ୱାର ଦେଶରେ ଦୁଇ ଗୋଟି ଦ୍ରୁତଗାମୀ ଅଶ୍ୱ ରଖିଆସିଛି । ପବନ ପରି ସେମାନଙ୍କ ଗତି । ତୁମ୍ଭେ ଶୀଘ୍ର କାର୍ଯ୍ୟ ଶେଷ କରି ସେଇଠାକୁ ଆସିବ । ମୋର ଆଶା, ଅଶ୍ୱ ଯେବେ ପଥରେ ବିଶ୍ରାମ ନ ନିଏ, ତେବେ ଦିବା ବାର ଘଣ୍ଟା ମଧ୍ୟରେ ଆମ୍ଭେମାନେ ନିଶ୍ଚୟ ଖୋରାସାନରେ ପହଞ୍ଚି ପାରିବା । ମୁଁ ସେଠାରେ ବଡ଼ ବଡ଼ ଓମରାହମାନଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ନିମନ୍ତେ ଆଦେଶ ଦେଇଛି । ତୁମ୍ଭେ ସେଠାରେ ପହଞ୍ଚିବା ମାତ୍ରେ ପିତୃ ସିଂହାସନ ଆରୋହଣ କରିବ । ଆଉ, ତୁମ୍ଭେ ରାଜା ହେବା ମାତ୍ରେ ସେମାନେ ଦାଉଦ୍‌ ସାହାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବେ ।

ଦାରା

ଅସମ୍ଭବ ।

ନାଦେର୍‌

ଅସମ୍ଭବ ନୁହେ ଦାରା ! ବିଂଶ ବର୍ଷର ପରିଶ୍ରମ ମୋର ବୃଥା ହେବ ନାହିଁ । ଏତେ ଦିନେ ବନ୍ଧୁ ହତ୍ୟାର ପ୍ରତିଶୋଧ ନେଇପାରିବି ।

ଦାରା

କିନ୍ତୁ ମହାଶୟ, ମୁଁ ତ ସେ ବୃଦ୍ଧକୁ ହତ୍ୟା କରିବି ନାହିଁ !

ନାଦେର୍‌

ବୃଦ୍ଧ ହୋଇଛି ବୋଲି କଣ ମୁଁ ମୋର ଶ୍ରବଣ ଶକ୍ତି ହରାଇଛି । ସେହି ଛୁରା ସ୍ପର୍ଶ କରି କଅଣ ପ୍ରତିଜ୍ଞା କରିଥିଲ ? ତା କି ମନେ ନାହିଁ ?

ଦାରା

ସେ ଯାହାହେଉ, ମୁଁ ସେ ବୃଦ୍ଧକୁ ଆଉ ହତ୍ୟା କରିବି ନାହିଁ ?

ନାଦେର୍‌

ପ୍ରତିଜ୍ଞା ପାଳନ କରିବ ନାହିଁ ।

ଦାରା

ନା !

ନାଦେର୍‌

ତୁମର ପିତୃହତ୍ୟାର ପ୍ରତିଶୋଧ ?

ଦାରା

ଆପଣ କଅଣ ମନେକରନ୍ତି ଯେ; ଏଇ ବୃଦ୍ଧ ସମ୍ରାଟ୍‌ର ଉତ୍ତପ୍ତ ଶୋଣିତରେ ମୋର ହସ୍ତ ରଞ୍ଜିତ ହେଲେ ସ୍ୱର୍ଗୀୟ ପିତା ଆନନ୍ଦିତ ହେବେ ?

ନାଦେର୍‌

ଏଥିରେ କୌଣସି ସନ୍ଦେହ ନାହିଁ ।

ଦାରା

ମୋର କିନ୍ତୁ ସନ୍ଦେହ ହେଉଛି । ଶାନ୍ତିଦାତା ଖୋଦା ! ତୁମ୍ଭେ ଆଉ ମୁଁ କିଏ ?

ନାଦେର୍‌

ଯେବେ ହତ୍ୟା ନ କରିବ, ତେବେ ଏଠାକୁ ଆସିଛ କାହିଁକି ?

ଦାରା

ପ୍ରତିଶୋଧ ନେବାକୁ । କିନ୍ତୁ ସେହି ଦୁର୍ବଳ ବୃଦ୍ଧକୁ ହତ୍ୟା କରି ନୁହେଁ । ମୁଁ ତାର ଶୟନ କକ୍ଷକୁ ଯିବି, ଯାଇ ଦେଖିବି ଯେତେବେଳେ ସେ ଶୋଇଛି, ତାର ବକ୍ଷ ଉପରେ ଏଇ ଛୁରା ଆଉ ଏଇ ପତ୍ର ଖଣ୍ଡିକ ରଖିଦେଇ ଚାଲି ଆସିବି । ଯେତେବେଳେ ବୃଦ୍ଧର ନିଦ୍ରାଭଙ୍ଗ ହେବ, ସେ ଛୁରା ଦେଖିବ ଓ ପତ୍ର ପଢ଼ିବ । ସେତେବେଳେ ସେ ବୁଝିପାରିବ ଆଉ ପତ୍ରରୁ ଜାଣିବ, ମୁଁ ଇଚ୍ଛା କରିଥିଲେ ତାକୁ ହତ୍ୟା କରିପାରିଥାନ୍ତି । ମାତ୍ର ଦୟାକରି ଛାଡ଼ି ଦେଇଛି । ସେତେବେଳେ ଅବଶ୍ୟ ତାର ଭ୍ରମ ସେ ବୁଝିବ । ଏହି ପ୍ରତିଶୋଧ ବ୍ୟତୀତ ଅନ୍ୟ ଉପାୟ ପାଇଁ ମୁଁ ପ୍ରସ୍ତୁତ ନୁହେଁ ।

ନାଦେର୍‌

ତୁମେ ତାକୁ ହତ୍ୟା କରିବ ନାହିଁ ?

ଦାରା

କେଭେଁ ନୁହେଁ ।

ନାଦେର୍‌

(ବିରକ୍ତହୋଇ) ବୀର ପିତାର କାପୁରୁଷପୁତ୍ର ତୁମ୍ଭେ । ଏଇ ବୃଦ୍ଧ, ଯେ କି ତୁମ୍ଭର ପିତାଙ୍କୁ ନିଷ୍ଠୁର ନିର୍ମମଭାବେ ହତ୍ୟା...ଓଃ (ବାକ୍‌ରୁଦ୍ଧ) ।

ଦାରା

ମୁଁ ଯେଉଁ ମୁହୂର୍ତ୍ତରେ ପ୍ରଥମେ ତାଙ୍କୁ ଦେଖେଁ, ସେହି ସମୟରେ ତ ହତ୍ୟା କରିବାକୁ ବସିଥିଲି । ଆପଣ ମୋତେ ବାରଣ କଲେ କାହିଁକି ?

ନାଦେର୍‌

ସେତେବେଳେ ସମୟ ହୋଇ ନଥିଲା, କିନ୍ତୁ ବର୍ତ୍ତମାନ ଯେତେବେଳେ ସମୟ ଉପସ୍ଥିତ, କାପୁରୁଷ ପରି ହୀନ ଶ୍ୱାନ ସଦୃଶ ପଶ୍ଚାତ୍‌ପଦ୍‌ ହେଉଛ ଦାରା ! ମନକୁ ଦୃଢ଼ କରି କଟିଦେଶରୁ ଛୁରୀକା ବାହାର କର, ଏହି ନିକଟ ଗୃହରେ ତୁମ୍ଭର ପିତୃହନ୍ତା ଶାୟିତ । ସେଇ ପିତୃଦତ୍ତ ଅଶୀ ତାର ବକ୍ଷସ୍ଥଳରେ ବିଦ୍ଧ କରିଦେଇ ଆସ ।

ଦାରା

ଆପଣ ମୋର ପିତାଙ୍କର ବନ୍ଧୁ ! ଆପଣ ମୋର ପିତୃସ୍ଥାନୀୟ । ଆପଣ ନିଜେ ହିଁ ଥରେ ଭାବି ଦେଖନ୍ତୁ । ମୋର ପିତା ଯଦି ବର୍ତ୍ତମାନ ଜୀବିତ ଥାନ୍ତେ, ମୋର ସେହି ମହତ୍‌ ଉଦାର ହୃଦୟ ପିତା ସାମାନ୍ୟ ଗୋଟିଏ ଚୋରପରି ଏପରି ନୃଶଂସ କାର୍ଯ୍ୟରେ ପ୍ରବୃତ୍ତ କରାନ୍ତେ !

ନାଦେର୍‌

ତୁମ୍ଭେ ପ୍ରତିଜ୍ଞା କରି ତାହା ପାଳନ କରିବାକୁ ଅସମର୍ଥ । ଦୁର୍ବଳମତି ତୁମ୍ଭେ । ମନେ କରିଛ, ମୁଁ କିଛି ଜାଣେନା । ତୁମେ ଗୋଟାଏ କୁହୁକିନୀର ପ୍ରଣୟରେ ମୁଗ୍‌ଧ ହୋଇ ନିଜର ବୀରତ୍ୱ, ଶୂରତ୍ୱ, ଆତ୍ମଜ୍ଞାନ ସମସ୍ତ ଜଳାଞ୍ଜଳି ଦେଇଛ । ହାୟରେ ଅକୃତଜ୍ଞ ପୁତ୍ର ! ଆଜି ଖୋଦାଙ୍କୁ ଧନ୍ୟବାଦ ଦେଉଛି ଯେ, ମୋର ପୁତ୍ର ନାହିଁ ।

ଦାରା

ମହାଶୟ ! ମୋତେ କ୍ଷମା କର । ଯାହା ମନୁଷ୍ୟୋଚିତ ନୁହେ, ତାହା ମୁଁ କଦାପି କରିପାରିବି ନାହିଁ । (ନେପଥ୍ୟରୁ ବାଦ୍‌ସାହଙ୍କୁ ଆର୍ତ୍ତଧ୍ୱନି ଶୁଭିଲା । ଚମକି ପଡ଼ି) ଏ କଣ ? ଆପଣ କଣ ଶୁଣି ପାରୁଛନ୍ତି ?

ନାଦେର୍‌

ନା, ଆଚ୍ଛା, ତାହେଲେ ତୁମ୍ଭେ କଅଣ କରିବ ?

ଦାରା

ଆପଣଙ୍କୁ ଯାହାହିଁ କହିଛି ତାହା କରିବି । ଏ ପତ୍ର ଆଉ ଏ ଛୁରା...(ପୁନଶ୍ଚ ଆର୍ତ୍ତନାଦ) ଏ କଣ ? କିଏ କାହା ଆଘାତରେ ଦଣ୍ଡିତ । ଆପଣ କଣ ଏଥର ମଧ୍ୟ ଶୁଣି ପାରୁନାହାନ୍ତି ।

ନାଦେର୍‌

ନା, ମୋର କର୍ଣ୍ଣରେ କେବଳ ଅହରହ ଝଙ୍କାରି ଉଠୁଛି ପ୍ରତିଶୋଧ । ଏହିକ୍ଷଣି ପ୍ରଭାତ ହୋଇଯିବ, ଏହି ଶେଷଥର ମୁଁ ପଚାରେ, ତୁମେ ହତ୍ୟା କରିବ କି ନା ।

ଦାରା

ନା, ନା, ନା ।

ନାଦେର୍‌

ଅକୃତଜ୍ଞ ପୁତ୍ର ! ପିତୃ ଶୋଣିତର ଅବମାନନାକାରୀ !

ଦାରା

ଯେଉଁ ଜୀବନ ମୁଁ ଦାନ କରିବାରେ ଅସମର୍ଥ, ସେ ମୂଲ୍ୟବାନ ଜୀବନ କଦାପି ନଷ୍ଟ କରିବି ନାହିଁ ।

ନାଦେର୍‌

ବେଶ୍‌, ତାହାହେଲେ ତୁମେ ତୁମର ପଥ ଅନୁସରଣ କର ।

ଦାରା

ମହାନୁଭବ ! ଦିନେ ଆପଣ ବୁଝିପାରିବେ ଯେ, ମୁଁ ଯେଉଁ ପ୍ରତିଶୋଧ ନେବାକୁ ଯାଉଛି ତାଠାରୁ ବଡ଼ ପ୍ରତିଶୋଧ ଆଉ ନାହିଁ ।

ନାଦେର୍‌

ଭୀରୁ, କାପୁରୁଷ (ପ୍ରସ୍ଥାନ)

ଦାରା

(ନତଜାନୁ ହୋଇ) ପିତା ! ପିତା ! ଜୀବନରେ ଥରେ ହେଲେ ମୁଁ ତୁମ୍ଭଙ୍କୁ ଦେଖିନାହିଁ । କେବଳ ଅନୁରୋଧ କରେ, ଥରେ ମାତ୍ର ପ୍ରେତ ଆତ୍ମାରେ ମୋ ସମ୍ମୁଖରେ ଆସି ଠିଆହୁଅ । ଥରେ ମାତ୍ର କଥା କୁହ ଯେ ମୁଁ ଯେଉଁ ପ୍ରତିଶୋଧ ନେବାକୁ ଯାଉଛି, ତାହା ତୁମ୍ଭର ଅଭିପ୍ରେତ କି ନା । ମୃତ୍ୟୁର ଲୌହଦ୍ୱାର ଉନ୍ମୋଚନ କରି ଥରେ ମାତ୍ର ସ୍ୱର୍ଗରୁ ଓହ୍ଲାଇ ଆସ । ମୁଁ ତୁମ୍ଭର ପବିତ୍ରଚରଣଦ୍ୱୟ ସ୍ପର୍ଶ କରି ପ୍ରତିଶୋଧ ନେବାକୁ ଅଗ୍ରସର ହୁଏ । ଆଉ ବିଳମ୍ୱରେ ଲାଭ କଅଣ ? ଶୀଘ୍ର କାର୍ଯ୍ୟ ଶେଷ କରିବାହିଁ ଉଚିତ ।

ରାଣୀ

(ଦୁରରୁ ଶୁଭିଲା) କାର୍ଯ୍ୟ ଶେଷ ।

ଦାରା

ଏଁ କିଏ, କିଏ କହିଲା କାର୍ଯ୍ୟ ଶେଷ । ଏଁ ।

ରାଣୀ

ମୁଁ କହିଛି ଦାରା ! ତୁମ୍ଭେ ଏଇଠି । ଆଜିଠାରୁ ତୁମ୍ଭର ଆଉ ମୋର ପ୍ରଣୟ ମଧ୍ୟରେ କୌଣସି ପ୍ରତିବନ୍ଧକ ନାହିଁ । ଏବେ ଆସ ନିର୍ଭୟରେ ଚାଲିଯିବା ।

ଦାରା

ନା, ଆଉ ପ୍ରତିବନ୍ଧକ ନାହିଁ । ବର୍ତ୍ତମାନ ମୁଁ ମୁକ୍ତ, କିନ୍ତୁ ଗୋଟିଏ କାର୍ଯ୍ୟ ଆଉ ବାକି ଅଛି । ଥରେ ବାଦ୍‌ସାହାଙ୍କ ନିକଟକୁ ଯିବି । ଏଇ ପତ୍ର ଆଉ ଏହି ଛୁରା ତାଙ୍କ ନିକଟରେ ରଖି ଆସିବି । ଯେତେବେଳେ ତାଙ୍କର ନିଦ୍ରାଭଙ୍ଗ ହେବ

ରାଣୀ

କାହାର ନିଦ୍ରା ଭଙ୍ଗ ହେବ ?

ଦାରା

ବୃଦ୍ଧ ବାଦ୍‌ସାହାଙ୍କର ।

ରାଣୀ

ବୃଦ୍ଧ ବାଦ୍‌ସାହାଙ୍କର ଆଉ ନିଦ୍ରା ଭଙ୍ଗ ହେବ ନାହିଁ ଦାରା !

ଦାରା

କାହିଁକି ?

ରାଣୀ

ସେ ଆଉ ଇହଲୋକରେ ନାହାନ୍ତି

ଦାରା

ଏ କି ଅଭାବନୀୟ ବ୍ୟାପାର ? ଖୋଦା କଅଣ ଆଜି ହିଁ ତାଙ୍କର ମୃତ୍ୟୁ ବିଧାନ କଲେ ?

ରାଣୀ

ଖୋଦା ନୁହନ୍ତି, ମୁଁ ନିଜେ ତାଙ୍କୁ ହତ୍ୟା କରିଛି ।

ଦାରା

ଓଃ !

ରାଣୀ

ତୁମେ ମୋତେ ଯେ ଦିନୁ ଛାଡ଼ି ଚାଲି ଆସିଲ, ମୁଁ ମନେ ମନେ ଆତ୍ମହତ୍ୟା କରିବାକୁ ସ୍ଥିର କଲି । ଦେଖ ଦାରା ! ମୋ ଜୀବନରେ କୌଣସି ସୁଖ ନାହିଁ । ପ୍ରେମ କଅଣ ମୁଁ ଜାଣେ ନା । ତୁମକୁ ଦେଖି ତୁମ ରୂପରେ ମୁଗ୍‌ଧ ହୋଇ ଭାବିଥିଲି ସୁଖୀ ହେବ, କିନ୍ତୁ ଯେତେବେଳେ ତୁମେ କହିଲ ଯେ ଆମର ପ୍ରଣୟ ମଧ୍ୟରେ ବ୍ୟବଧାନ ଅଛି, ଆଉ ସେ ବ୍ୟବଧାନ ଅତିକ୍ରମ କରିବା ତୁମ୍ଭର ସାଧ୍ୟାତୀତ, ସେତେବେଳେ ଜୀବନ ଧାରଣର ଆଉ ଉପାୟ ନ ଦେଖି ଆତ୍ମହତ୍ୟା ଏକମାତ୍ର ପନ୍ଥା ମନେକରି ଛୁରୀକା ସଂଗ୍ରହ କରି ରଖିଥିଲି । ଭାବିଥିଲି, ବୃଦ୍ଧ ବାଦ୍‌ସାହାଙ୍କ ନିକଟରେ ସେହି ପଲଙ୍କ ନିମ୍ନ ଦେଶରେ ମୋର ବକ୍ଷ ସ୍ଥଳରେ ବିଦ୍ଧ କରିବି । ଆଜିହିଁ ସେ ସୁଯୋଗ ଆସିଛି । ବୃଦ୍ଧ ଘୋର ନିଦ୍ରାରେ ଶାୟିତ । ତାଙ୍କର ଓଷ୍ଠରେ ବିଦ୍ରୂପର ହାସ୍ୟ । ଯେତେବେଳେ ହଠାତ୍‌ ତୁମ୍ଭର ମୁଖଶ୍ରୀ ମୋର ଚକ୍ଷୁ ସମ୍ମୁଖରେ ନାଚି ଉଠିଲା, ସେତେବେଳେ ମନେକଲି ଏହି ବୃଦ୍ଧ ତ ପ୍ରଣୟର ପ୍ରତିବନ୍ଧକ ! ତା ପର ଯେଉଁ ଛୁରୀ‌କା ନିଜେ ଆତ୍ମହତ୍ୟା କରିବାକୁ ହସ୍ତରେ ନେଇଥିଲି, ତା ଅକାତରେ ବୃଦ୍ଧର ବକ୍ଷସ୍ଥଳରେ ଆମୁଳ ବିଦ୍ଧ କଲି ।

ଦାରା

ଓଃ, କି

ରାଣୀ

ଦେଖ, ତୁମପାଇଁ ମୁଁ କି ପୈଶାଚିକ କାର୍ଯ୍ୟ କରିଆସିଛି । ଦାରା ! ଆସ, ଆଜି ପ୍ରେମର ଉତ୍ତାଳ ତରଙ୍ଗରେ ଆମେ ଦୁଇ ପ୍ରେମିକ ପ୍ରେମିକା ଆନନ୍ଦରେ ଭାସି ବୁଲିବା । ପ୍ରେମର ଗଭୀର ସାଗରରେ ଆନନ୍ଦରେ ଝାସ ଦେବା । ଆଉ କାହିଁକି ଲଜ୍ଜା କରୁଛି ଦାରା !

 

( ରାଣୀ ଦାରାର ହାତକୁ ଧରିବାକୁ ଗଲେ )

ଦାରା

ଅପବିତ୍ରା ନାରୀ ! ମୋତେ ସ୍ପର୍ଶ କର ନା । କୁଳ କଳଙ୍କିନୀ ! ନରକର କେଉଁ ପ୍ରେତ ତୁମକୁ ଏଇ ଘୃଣିତ କାର୍ଯ୍ୟ କରିବାକୁ ଉତ୍ତେଜିତ କରିଥିଲା ? ନାରୀ ! କରିଲ କଅଣ ? ରମଣୀର ପୂଜ୍ୟ ଦେବତା, ଜୀବନ ମରଣର ଦେବତା ସ୍ୱାମୀ, ତାଙ୍କୁ କି ନା ତୁମେ ପରପୁରୁଷ ଆଶାରେ ସ୍ୱହସ୍ତରେ ହତ୍ୟା କରିଛି ? କେବଳ ସ୍ୱାମୀଙ୍କୁ ନୁହେଁ, ତୁମ୍ଭର ନାରୀତ୍ୱ, ତୁମର ନାରୀ ହୃଦୟର ସୁଲଭ, ସୁକୁମାର ବୃତ୍ତି ସମସ୍ତ ଆଜି ଏହି ବୃଦ୍ଧର ରକ୍ତଧାରରେ କଳଙ୍କିତ କରିଛ ।

ରାଣୀ

ତୁମରି ପାଇଁ ଦାରା, ତୁମରି ପାଇଁ ଏ ଅମାନୁଷିକ କାର୍ଯ୍ୟ ମୁଁ କରିଛି । ସ୍ୱାର୍ଥପର ପୁରୁଷ ଜାଣ ନା, ପ୍ରେମପାଇଁ ନାରୀ କଅଣ କରି ନପାରେ ? ମୁଁ ମୋର ଇହକାଳ, ପରକାଳ, ନାରୀତ୍ୱ, ସତୀତ୍ୱ ସମସ୍ତ ବୃଦ୍ଧର ରକ୍ତରେ ଭସାଇ ଦେଇଛି । କେବଳ ତୁମରି ପାଇଁ । ଧର ଦାରା ! ମୋର ହସ୍ତ ଧାରଣ କର । (ଅଗ୍ରସର ହେବା)

ଦାରା

ଘୁଞ୍ଚି ଯାଅ କୁଳଟା ! ଦାରା ଏତେ ହୀନ ନୁହେ ଯେ, ସେ ଜଣେ ନରହନ୍ତାର ପ୍ରଣୟପ୍ରାର୍ଥୀ ହେବ । ତା ସମ୍ପୂର୍ଣ୍ଣ ଅସମ୍ଭବ । ଯଦି ଏହି ଧାରଣା ମନରେ ଥାଏ, ତାକୁ ପାଶୋରି ପକାଅ । ରାକ୍ଷସୀ, ମରଣରେ ସୁଦ୍ଧା ତୁମ୍ଭର ମୁକ୍ତି ନାହିଁ, ତୁମ୍ଭ ମୁଖ ଦର୍ଶନ ମଧ୍ୟ ମହାପାପ ।

ରାଣୀ

(ହତାଶଭାବେ) ଦାରା ! ମୋତେ ଦୟା କର, ତୁମ୍ଭେ ଯେଉଁ ବ୍ୟବଧାନକୁ ଭୟ କରୁଥିଲ, ମୁଁ ତାହା ଦୂର କରି ଦେଇଛି ।

ଦାରା

ନାରୀ; ଭୁଲ ବୁଝିଛ । ଆମ୍ଭମାନଙ୍କ ମଧ୍ୟରେ ବ୍ୟବଧାନ ଥିଲା ପାପ । ଆଜି ତୁମ୍ଭେ ସେହି ପାପକୁ ମହାପାପରେ ପରିଣତ କରିଛ । ପ୍ରଣୟ ତାର ଶୁଭ୍ର ଜ୍ୟୋତିରେ ହୃଦୟର ମଳିନତାକୁ ଉଜ୍ଜ୍ୱଳ କରେ । ମନରେ ସମୃଦ୍ଧି ଆଣେ । ସଂକୀର୍ଣ୍ଣତାକୁ ଉଦାରତାରେ ପରିଣତ କରେ । ଦୁନିଆରେ ଯେତେ କିଛି ଦୁର୍ନୀତି ଅତ୍ୟାଚାର, ପ୍ରଣୟର ଯାଦୁ ମନ୍ତ୍ରରେ ବାଷ୍ପ ଆକାରରେ ପରିଣତ ହୋଇ ଆକାଶରେ ବିଲୀନ ହୋଇଯାଏ, ଯେଉଁ ପ୍ରଣୟର ଏପରି ସ୍ୱର୍ଗୀୟ ଶକ୍ତି, ସେ କଦାପି ତୁମ୍ଭଙ୍କୁ ଏ ନିଷ୍ଠୁର ହତ୍ୟାକାଣ୍ଡରେ ନିୟୋଜିତ କରି ନଥାନ୍ତା ।

ରାଣୀ

ଦାରା !

ଦାରା

ନାରୀ, ସେଇ ଘୃଣିତ ଅପବିତ୍ର ମୁଖରେ ମୋର ନାମ ଧର ନାହିଁ, ଦୂର ହୁଅ ।

ରାଣୀ

(ନତଜାନୁ ହୋଇ) ଦାରା ! ମୋତେ ଘୃଣା କରନାହିଁ, ଯଦି ମୋତେ ଘୃଣାକଲ ତେବେ ଏହି ଛୁରୀକା ମୋର ବକ୍ଷରେ ବିଦ୍ଧ କର । ମୋତେ ହତ୍ୟା କର ଦାରା ! ଏ ବକ୍ଷକୁ ଛିନ୍ନକରି ଦେଖ, ତୁମରି ମୂର୍ତ୍ତି ସେଠାରେ ଅଙ୍କିତ ଅଛି କି ନା ? ଦାରା ଛୁରୀ ନିଅ, ହତ୍ୟାକର ।

ଦାରା

(ରାଣୀ ହାତରୁ ଛୁରା କାଢ଼ି ନେଇ) ଆତ୍ମହତ୍ୟା କରିବାରେ କାହାର ଅଧିକାର ନାହିଁ । ଓଃ, ତୁମ୍ଭର ହସ୍ତରେ ବର୍ତ୍ତମାନ ସୁଦ୍ଧା ରକ୍ତର ଚିହ୍ନ । ଯାଅ ନାରୀ, ମୃତ ସ୍ୱାମୀର ଶର୍ଯ୍ୟା ପାର୍ଶ୍ୱରେ ବସି ଅଶ୍ରୁନୀରରେ ସେହି ରକ୍ତର ଦାଗ ଧୌତ କରି ଦିଅ, ଯାଅ । (ଠେଲିଦେବା)

ରାଣୀ

(ସକ୍ରୋଧେ) ପୁରୁଷ ଅତ୍ୟାଚାରୀ ନୁହେଁ, କେବଳ ନାରୀ ? ତୁମ୍ଭେ ହିଁ ନାରୀକୁ ପ୍ରଲୁବ୍‌ଧ କର, ତୁମ୍ଭେହିଁ ପ୍ରେମ ଗୀତ ଗାଇ ତାକୁ ଉନ୍ମାଦିନୀ କର । କିନ୍ତୁ ପରେ ଘୃଣା କର । ମନେରଖ ଦାରା ! ଏ ହତ୍ୟା ପାଇଁ ତୁମ୍ଭେ ମଧ୍ୟ ଦାୟୀ, କିଏ ଅଛି ?

 

( ଚମକି ଚାଲିଗଲେ )

ଦାରା

କଅଣ ହେଲା ? ପ୍ରକୃତରେ କଅଣ ଏ ହତ୍ୟା ପାଇଁ ମୁଁ ଦାୟୀ ? ମୋତେ କଅଣ ଏ ହତ୍ୟାରେ ଭାଗୀ ହେବାକୁ ପଡ଼ିବ ? ସେ ମୋ ନିକଟରେ ଶରଣପ୍ରାର୍ଥୀ ହେଉଥିଲା, ମୁଁ ତାକୁ ରକ୍ଷା କରିପାରିଲି ନାହିଁ । ରାଣୀ ! ଫେରି ଆସ, ଓଃ, ମୁଁ କଅଣ କଲି ? (ରାଣୀ ପ୍ରହରୀ ସହ ପ୍ରବେଶ)

ରାଣୀ

ବନ୍ଦୀକର, ଏ ପାପିଷ୍ଠ ସମ୍ରାଟ୍‌ଙ୍କୁ ହତ୍ୟା କରିଛି । (ଦାରାକୁ ବନ୍ଧନ କରି ନେଇଗଲେ)

 

ଦ୍ୱିତୀୟ ଦୃଶ୍ୟ

୧ମ

ନାଗରିକ

ଆରେ ଭାଇ ! କାଳ ଯାଇଁ ଲଟାରେ ପଶିଲାଣି । ଖୋଦ୍‌ ରାଜାଙ୍କ ଶୋଇବା ଘରେ ପଶି ଏକଦମ୍‌ ଛାତିରେ ଛୁରୀ ଚଳେଇ ଦେଇଛି ।

୨ୟ

ଆରେ ଛାତିରେ ନୁହେଁ, ଗଳାରେ ।

୧ମ

ଏଃ, ଦେଖିଲା ଭଳିଆ କହୁଛି ଗଳାରେ ।

୨ୟ

ଆଚ୍ଛା ବାଜି ରଖ । ( ହାତ ଦେଖାଇଲା )

୧ମ

ଆରେ ଖୁବ୍‌ କାରଖାନା କଥା, ଟିକେ ଆସ୍ତେ ଆସ୍ତେ କହ ।

୨ୟ

ଆଚ୍ଛା ଭାଇ, ଆଗେ ଫାଶୀ ହେବ ନା, ଆଗେ ବିଚାର ହେବ ?

୧ମ

ନାହିଁରେ ଆଗେ ଫାଶୀ ହେବ, ତା ପରେ ବିଚାର ।

୨ୟ

ଓଲୁ କହିଁକା, ୟା କେଉଁଠି ହୁଏ ?

୧ମ

ଆରେ ଓଲୁ, କଥାଟା ଫାଙ୍କି ଦେବାର ନୁହେଁ । ମୁଁ ଯାହା କହୁଛି ଆଗେ ଫାଶୀ ତା ପରେ ବିଚାର ।

୨ୟ

ଫାଶୀଟା ନିଶ୍ଚୟ ହେବ, ନା କଅଣ ?

୧ମ

କେତେ ଫଟେଇ ହେଉଛୁ ବା, ଏତ ଯାହାକୁ ତାହାକୁ ଖୁନ୍‌ ନୁହେଁ, ଖୋଦ ବାଦ୍‌ସାହାଙ୍କର । ଆରେ ବଡ଼ ଲୋକଙ୍କର ବଡ଼ କାରଖାନା, କେତେ ବଡ଼ ବଡ଼ କାଜି ଆସିବେ, ବିଚାର ହେବ ।

୨ୟ

ଆଚ୍ଛା ଭାଇ, ବଡ଼ ଲୋକଙ୍କ ରକ୍ତରେ ଆଉ ଆମ ରକ୍ତରେ କଅଣ ପ୍ରଭେଦ ଅଛି ? ଆମ ବାଦ୍‌ସାହାଙ୍କ ରକ୍ତ କଅଣ ଏକଦମ୍‌ ଲାଲ୍‌ ।

୧ମ

ନାଗରିକ

ନା, ନା, ଲାଲ୍‌ କୁଆଡ଼ୁ ହେବ, ସୁଦ୍‌ କଳା, ସୁଦ୍‌ କଳା । ଆଲକାତରାଠୁଁ କଳା । ବୁଝୁ ନାହୁଁ, ଏମିତି ଅତ୍ୟାଚାରୀ ରାଜାର ରକ୍ତ କଅଣ ଲାଲ୍‌ ହୁଏ ? ( ଦୂରକୁ ଚାହିଁ ) ଆରେ ଭାଇ, ହେଇଟି ତ ବାଦ୍‌ସାହାଙ୍କ ବୁଢ଼ୀ ଦାସୀ ଆସୁଛି ।

୨ୟ

ଆରେ ହଁ ହେଇତି ତା ଦାଢ଼ିଗୁଡ଼ାକ ଦିଶୁଛି ।

୧ମ

ତୁ ଗୋଟାଏ ନିହାତି ଓଲୁଙ୍କ ବୁକୁଚା ବୁହା । ଆରେ ବୁଢ଼ୀର ଦାଢ଼ି କୁଆଡ଼ୁ ଆସିବ ?

୨ୟ

କଅଣ ଦାଢ଼ି ନାହିଁ ? ବାଜି ରଖ ।

୧ମ

ହେଇତି, ଏ ଆସିଲାଣି । ଏତେ ବାଡ଼ିଆ ପିଟା କାହିଁକି ?

( ବୁଢ଼ୀ ଦାସୀର ପ୍ରବେଶ, ତାକୁ ନିରେଖି ଚାହିଁ ) କିରେ ଦାଢ଼ୀ କାହିଁ ?

୨ୟ

ଖିଅର ହୋଇଛି, ପଚାର ।

୧ମ

ମାଉସୀ ! ଖବର କଅଣ ?

୨ୟ

ମାଉସୀ ! ଖୁନ୍‌ କେତେବେଳେ ହେଲା ।

୧ମ

ଆଚ୍ଛା ମାଉସୀ, ଧରା ପଡ଼ିଲା କେମିତି ?

୨ୟ

ଆଚ୍ଛା ମାଉସୀ, ରାତି କେତେ ହୋଇଥିଲା ।

୧ମ

ଧଇଲା କିଏ ମାଉସୀ ।

୨ୟ

ବାଦ୍‌ସାହଙ୍କ ରକ୍ତ ଲାଲ, ନା କଳା ?

ବୁଢିଦାସୀ

ମଲା ନିଆଁଲଗାଗୁଡ଼ାକ କେତେ କଥା ପଚାରୁଛନ୍ତି । ତେଣେ ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି, ୟାଙ୍କର ଥଟ୍ଟା ତାମସା ଲାଗିଛି । ମୋ ବାଟରେ ମୁଁ ଯାଉଛି, ତମର ମୋତେ ଧରି ପଚାରିବା ଲାଭ କଅଣ ? ଆହା ହୀରା ପରା ରାଜାଟାକୁ ଲୋ

 

( ବାକ୍‌ରୁଦ୍ଧରେ ଚାଲିଗଲେ )

ନାଦେର୍‌

(ପ୍ରବେଶି) ପ୍ରକୃତରେ କି ବାଦ୍‌ସାହା ମୃତ ?

୧ମ

ସେ କଥା ଠିକ୍‌ ଜଣାଯାଇନାହିଁ, ତେବେ ଖୁନ୍‌ ହୋଇଛନ୍ତି ।

ନାଦେର୍‌

ଖୁନ୍‌ କିଏ କରିଛି ?

୨ୟ

ଯିଏ ଧରା ପଡ଼ିଛି ।

ନାଦେର୍‌

କିଏ ସେ ?

୨ୟ

ସେ ହତ୍ୟାକାରୀ ।

୧ମ

ଓଲୁ ସେ ପଚାରୁଛନ୍ତି କଅଣ ଆଉ ତୁ କହୁଛୁ କଅଣ ?

୨ୟ

ମୁଁ ବୁଝିନାହିଁ ? ବାଜି ରଖିଲୁ ?

ନାଦେର୍‌

ଯେ ଧରାପଡ଼ିଛି, ତାର ନାମ କଅଣ ?

୧ମ

ଆମେ ଜାଣୁ ନାହିଁ ।

୨ୟ

ଆରେ ମୁଁ ଜାଣେ ଆଜ୍ଞା, ଡାକୁ ।

 

(ନେପଥ୍ୟେ ତୁରୀ ଶବ୍ଦ ଶୁଭିଲା)

୧ମ

(ବ୍ୟଗ୍ର ହୋଇପଡ଼ି) ଆରେ ତେଣେ ଦରବାର ବସିଲାଣି ଚାଲ ଚାଲ । (ଉଭୟ ପ୍ରସ୍ଥାନ)

 

(ବିପରୀତ ଦିଗରୁ ଗୁଲ୍ଲରାର ପ୍ରବେଶ)

ନାଦେର

(ଗୁଲ୍ଲରା ପ୍ରତି) ତୁମେ ଜାଣ ? ବାଦ୍‌ସାହାଙ୍କୁ କିଏ ହତ୍ୟା କରିଛି ।

ଗୁଲ୍ଲରା

ଆପଣ ନାଦେର୍‌ ଖାଁ ନା ?

ନାଦେର୍‌

ଚୁପ୍‌, ଚୁପ୍‌ ।

ଗୁଲ୍ଲରା

ମହାଶୟ ସର୍ବନାଶ ହୋଇଛି, ଦାରା ଧରାପଡ଼ିଛି ।

ନାଦେର୍‌

ଦାରା ? ଠିକ୍‌ ଜାଣ ?

ଗୁଲ୍ଲରା

ହଁ ।

ନାଦେର୍‌

ବିଷମ ସମସ୍ୟା, କିଛି ବୁଝାଯାଉ ନାହିଁ । ଆଚ୍ଛା, ତୁମେ ଆସ ଥରେ ଚେଷ୍ଟା କରି ଦେଖିବା ଦାରା ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ ନ ହୁଏ ।

 

(ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

ଇଜଲାସ୍‌

 

(କେତେଜଣ ଟେବୁଲ ଚଉକି ସଜାଇ ଦେଲେ, କାଜିମାନେ ଆସିବା ସମୟେ)

୧ମ ପ୍ରହରୀ

ଅଏ, ଚିଲ୍ଲାଓ ମତ୍‌ ।

୨ୟ ପ୍ରହରୀ

ତୁମେ ତ ନିଜେ ପାଟି କରୁଛ, କହୁଛ କାହାକୁ ? ଆରେ ଭାଇ ଜହ୍ଲାଦକୁ ଦେଖ୍‌ ।

 

(ଦୂରକୁ ଦେଖାଇ କହିଲା)

୧ମ

ଦୁର୍‌ ବୋକା, ସେ ପରା କାଜି (କାଜି ପ୍ରବେଶ କଲେ । ପଛେ ପଛେ ଦାରାକୁ ବନ୍ଧନ କରି ପ୍ରହରୀ ଦୁଇଜଣ ଆଣି ପହୁଞ୍ଚାଇ ଦେଲେ) ଦେଖ ରେ, ଏଇ ଗୋଟାକ ଆସାମୀ ।

୨ୟ

(ଚୁପ୍‌ ଚୁପ୍‌ କରି) ଲୋକଟା ତ ଖୁବ୍‌ ଭଲ ମଣିଷ ପରି ଦେଖାଯାଉଛି !

୧ମ

ତା ତ ଜଣା ପଡ଼ିବଇ ପଡ଼ିବ । ସେଇ ତ ବଦ୍‌ମାସିଆଙ୍କ ଲକ୍ଷଣ । (ତୁରୀ ଶବ୍ଦ ହେଲା) (ଚମକି ପଡ଼ି) ଏଇ ସାହାନ୍‌ସାହୀ ଇରାନ୍‌ ସାମ୍ରାଜ୍ଞୀ ବିଜେ ହେଲେ ।

 

(ରାଣୀ ସିଂହାସନରେ ବସିଲେ, ଅନ୍ୟ କର୍ମ୍ମଚାରୀମାନେ ନିଜ ନିଜ ଆସନରେ ବସିଲେ)

କାଜି

(ଛିଡ଼ାହୋଇ) ମହିମାମୟୀ ଇରାନ୍‌ ଅଧିଶ୍ୱର ! ଆପଣଙ୍କ ଆଦେଶ ହେଲେ ଏହି ରାଜଦ୍ରୋହୀର ବିଚାର ଆରମ୍ଭ ହେବ ।

ରାଣୀ

(ନତ ମୁଖରେ) ହଉ ।

କାଜି

ଅପରାଧି ! ତୁମ୍ଭର ନାମ କଅଣ ?

ଦାରା

ହଜରତ୍‌ କର୍ମଚାରୀରେ ନିଯୁକ୍ତ ହେଲାବେଳୁ ସେ କଥା ଜଣାଇ ଦେଇଛି ।

କାଜି

ତୁମେ ଖୋରାସାନୀ, ଏଠାରେ ଦାରା ଯୁବେୟାର ନାମରେ ପରିଚିତ ?

ଦାରା

ଯେଉଁ ନାମ ହେଉନା କାହିଁକି ମୃତ୍ୟୁ ସମୟରେ ତାର କି ପ୍ରୟୋଜନ ?

କାଜି

ତୁମ୍ଭେ ଜାଣ, ତୁମ୍ଭେ କି ଗୁରୁତର ଅପରାଧରେ ଅଭିଯୁକ୍ତ ? ତୁମ୍ଭେ ସାହାନସାହା ଇରାନର ମହାମତି ବାଦ୍‌ସାହଙ୍କୁ ହତ୍ୟା କରିଥିବା ଯୋଗୁଁ ଇରାନର ଆଇନ ଅନୁଯାୟୀ ଅପରାଧୀ । ଏ ବିଷୟରେ ତୁମର କିଛି କହିବାର ଅଛି ?

ଦାରା

କିଛି ନାହିଁ ।

କାଜି

କିଛି ନାହିଁ ?

ଦାରା

ନା ।

କାଜି

(ଆସନରୁ ଉଠି) ଦାରା ଯୁବେୟାର ! ତୁମ୍ଭଙ୍କୁ ଇରାନ୍‌ର ଆଇନ ଅନୁଯାୟୀ (ସହସା ନାଦେର୍‌ ପ୍ରବେଶ କରି)

ନାଦେର୍‌

ହଜରତ୍‌ ! ଅନୁଗ୍ରହ କରି ଟିକେ ବିଳମ୍ୱ କରନ୍ତୁ ।

କାଜି

କିଏ ତୁମ୍ଭେ ?

ଜନୈକ ସଭାସଦ୍‌

ସେ ଜଣେ ଅମିର, ବାଦ୍‌ସାହଙ୍କ ବନ୍ଧୁ ।

କାଜି

ମହାଶୟ ! ଏହି ବ୍ୟକ୍ତି ଆପଣଙ୍କର ବନ୍ଧୁ ଦାଉଦ୍‌ ସାହଙ୍କୁ ହତ୍ୟା କରିଛି ।

ନାଦେର୍‌

ପ୍ରମାଣ କିଛି ଅଛି ?

କାଜି

ପ୍ରଥମେ ପ୍ରମାଣ, ଅପରାଧୀ ନିଜ ଦୋଷପାଇଁ ନିରୁତ୍ତର । ଦ୍ୱିତୀୟ ପ୍ରମାଣ, ଅପରାଧୀ ହସ୍ତରୁ ରକ୍ତରଞ୍ଜିତ ଛୁରୀକା ପ୍ରାପ୍ତି ।

ନାଦେର୍‌

ହଜୁର, ମୁଁ ସେ ଛୁରୀ ଦେଖିପାରେ କି !

କାଜି

ଆପତ୍ତି ନାହିଁ, ଦେଖି ପାରନ୍ତି ।

 

(ଛୁରୀ ଦେଖାଇଲେ)

ନାଦେର୍‌

ହଜରତ୍‌ ! ମୁଁ ପଚାରେ ଏ ଛୁରୀ ମହାରାଣୀଙ୍କର ନା ? ରାଣୀ ଚମକି ପଡ଼ିଲେ । ଆପଣଙ୍କ ଅନୁମତି ନେଇ ମୁଁ ଆସାମୀକୁ କିଛି ପଚାରିପାରେ କି ।

କାଜି

ନିଶ୍ଚୟ, ସେଥିରେ ଆପତ୍ତି କଅଣ ।

ରାଣୀ

ନା, ଦୋଷୀ ଦୋଷ ସ୍ୱୀକାର କରିସାରିଛି, ଆଉ କିଛି ପଚାରିବା ନିଷ୍ପ୍ରୟୋଜନ ।

ନାଦେର୍‌

(କାଜିପ୍ରତି) ହଜରତ୍‌, ଯୁବକର ମୁଖମଣ୍ଡଳକୁ ଦେଖି ମୁଁ ଅନୁମାନ କରୁଛି, ଏ ନାରକୀୟ କାର୍ଯ୍ୟ ୟାଙ୍କଦ୍ୱାରା ସାଧିତ ହୋଇନାହିଁ । ଗୁପ୍ତ ହତ୍ୟାର ରହସ୍ୟ କିଛି ଅଛି । କିନ୍ତୁ ଆସାମୀ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁଛି । ମୁଁ ଏ ଛୁରୀରୁ ଭିନ୍ନ ରକମ ଉଦ୍ଦେଶ୍ୟ ଠଉରାଇ ନେଇଛି । ଦାରା ! ତୁମ୍ଭେ ପ୍ରକୃତ କାରଣ ବ୍ୟକ୍ତ କର ।

ରାଣୀ

ନା, ଅପରାଧୀ ଗୋଟିଏ ମାତ୍ର କଥା କହିପାରିବ ନାହିଁ । ଆଉ ପ୍ରମାଣ ନିଷ୍ପ୍ରୟୋଜନ । କିମ୍ୱା ତା ପକ୍ଷ କେହି ସମର୍ଥନ କରିପାରିବେ ନାହିଁ ।

କାଜି

(ରାଣୀଙ୍କୁ ଆଇନ ପୁସ୍ତକ ଦେଖାଇ) ମହାରାଣି ! ଆପଣ ନିଜେହିଁ ଇରାନର ଆଇନ ଦେଖନ୍ତୁ, ହତ୍ୟା ଅଭିଯୋଗର ଆସାମୀ ପକ୍ଷରୁ ପ୍ରମାଣ ତନ୍ନ ତନ୍ନ କରି ନ ଜାଣି କୌଣସି ଦଣ୍ଡ ଆଦେଶ ଅବିଧେୟ ।

ରାଣୀ

(ପୁସ୍ତକ ପିଙ୍ଗି ଦେଇ) ହଜରତ୍‌ ! ଏହା କି ସମ୍ଭବ ନୁହେଁ ଯେ ଏଇ ଅପରାଧୀ ମୋର ସ୍ୱର୍ଗତଃ ସ୍ୱାମୀଙ୍କ ବିରୁଦ୍ଧରେ କହିପାରେ, ଏପରି କି ମୋ ବିରୁଦ୍ଧରେ ନାନାଦି କୁତ୍ସିତ କଥା ଦର୍ଶାଇପାରେ ।

କାଜି

ଯାହଁପନା ! ଆଇନ ଅମାନ୍ୟ କରିବା ଅଧିକାର ଆମର ନାହିଁ ।

ରାଣୀ

ମୋ ମତରେ ଅପରାଧୀକୁ ବିନା ବଚାରରେ ଶୂଳି ଦିଅ ।

କାଜି

ମହିମାମୟୀ ଇରାନ୍‌ ଅଧିଶ୍ୱରି ! ଆପଣ ଯାହା କହୁଛନ୍ତି, ତା କରିବା ସମ୍ପୂର୍ଣ୍ଣ ଅସମ୍ଭବ ।

୧ମ ପ୍ରହରୀ

( ଚୁପ୍‌ ଚୁପ୍‌ କରି ) ଆରେ ଭାଇ, କାଜି ବୋଧହୁଏ କିଛି ରିସପତ୍‌ ପକାଇ ଦେଲାଣି ।

୨ୟ

ଆରେ ଚୁପ୍‌ ।

ରାଣୀ

ହଜରତ୍‌ ! ସାଧାରଣ ହତ୍ୟାକାରୀ ପକ୍ଷେ କଥା କହିବାର ଅଧିକାର ଅଛି, କିନ୍ତୁ ଏ ରାଜଦ୍ରୋହୀ ରାଜ୍ୟର ଅଧୀଶ୍ୱରଙ୍କୁ ହତ୍ୟା କରିଛି । ଆଜି ରାଜା ବିହୁନେ ରାଜ୍ୟ ଅରାଜକ । ପ୍ରତ୍ୟେକ ରମଣୀ ଆଜି ବିଧବା । ପ୍ରତ୍ୟେକ ବାଳକ ଆଜି ପିତୃହୀନ । ପ୍ରତ୍ୟେକ ପ୍ରଜା ଆଜି ରକ୍ଷକ ଶୂନ୍ୟ । ଏପରି ଶତ୍ରୁକୁ କେଉଁ ଆଇନ ଅନୁସାରେ କଥା କହିବାକୁ ଆଦେଶ କରୁଛନ୍ତି ?

କାଜି

ମହିମାମୟୀ ଇରାନ୍‌ ଅଧିଶ୍ୱରି ! ଆହୁରି ମଧ୍ୟ ଇରାନ୍‌ର ଆଇନ କହେ ଯେ, ଯେବେ ଆତତାୟୀ ଇରାନୀ ହୋଇଥାଏ, ତା ହେଲେ ରାଜ ମସ୍ତକ ଛେଦନ ଅପରାଧରେ ଶୂଳୀ ଦିଆଯିବ ।

ରାଣୀ

ଚମତ୍କାର ! ଆମ୍ଭେ ସେହି ଆଇନ ମାନି ଚଳିବାକୁ ବାଧ୍ୟ ! ତେବେ ଶୀଘ୍ର ଶୂଳୀ ଦିଅ ।

କାଜି

ହଜରତ୍‌ ! ଏ ବ୍ୟକ୍ତି ଯେ ଇରାନ୍‌ର ନୁହେଁ ଖୋରାସାନୀ । ତେଣୁ ଏମାନଙ୍କ ସପକ୍ଷରେ କଥା କହିବାର ଅଧିକାର ଅଛି । ପରେ ପ୍ରମାଣରୁ ଯାହା ଦୋଷାଦୋଷ ବିଚାର କରି ଦଣ୍ଡ ଦିଆଯିବ ।

ରାଣୀ

ମୋ ସ୍ୱାମୀଙ୍କ ନିକଟରେ ଯିଏ ଦାସତ୍ୱ କରୁଥିଲା, ସେ କଅଣ ବିଦେଶୀ ବୋଲି ଗଣ୍ୟ ହେବ ।

କାଜି

ସାତ ବର୍ଷରୁ ଚାକିରୀ ଊର୍ଦ୍ଧ୍ୱ ନ ହେଲେ ସେ ଇରାନୀ ବୋଲି ଗଣ୍ୟ ହେବ ନାହିଁ ।

ନାଦେର୍‌

ଚମତ୍କାର ଆଇନ ! ଏ ଆଇନର ମର୍ଯ୍ୟାଦା ରଖିବାକୁ ଆମ୍ଭେମାନେ ବାଧ୍ୟ ।

ରାଣୀ

(କଅଣ ଭାବି) ମୁଁ ଇଚ୍ଛା କଲେ କି ଏଇ ମୋକଦ୍ଦମା ମହଲତ୍‌ ରଖି ନପାରେ ।

କାଜି

ନା, ଏ ରାଜହତ୍ୟାର ବିଚାର ଏହିକ୍ଷଣି ଶେଷ କରିବାକୁ ହେବ ।

ରାଣୀ

ଏ ହୀନ ବ୍ୟକ୍ତି ହୁଏ ତ ନିଜର ପ୍ରାଣ ରକ୍ଷା କରିବାକୁ ଯାଇ ଅନେକ ମିଥ୍ୟା କଥା କହିବ । ମୁଁ ସେ ସବୁ କଥା କିଛି ଶୁଣିବି ନାହିଁ । ରକ୍ଷୀ ଅଗ୍ରସର ହୁଅ । ( ଯିବାକୁ ବାହାରିଲେ )

କାଜି

କେ ଅଛି, ଦ୍ୱାର ବନ୍ଦ କର !

 

(ଦ୍ଵାର ଉଗାଳିଲେ, ରାଣୀ ତରବାରୀ ଖୋଲି ପ୍ରହରୀକୁ ମାରିବାକୁ ଉଠାଇଲେ) ।

କାଜି

ସାବଧାନ, ସମାନ୍ୟ ପ୍ରହରୀ ପ୍ରତି ଅସ୍ତ୍ର ଉତ୍ତୋଳନ କଲେ ପ୍ରାଣଦଣ୍ଡ । ତରବାରୀ କୋଷବଦ୍ଧ କରନ୍ତୁ ।

ରାଣୀ

(ଚୌକିରେ ବସିପଡ଼ି) ଓଃ, କି ଅପମାନ, ମୋର ସଭା ମଧ୍ୟରେ ଏପରି କେହି ଜଣେ ନାହିଁ, ଯେ ମୋତେ ଏହି ଅପମାନରୁ ରକ୍ଷା କରିବ !

 

(ଚଞ୍ଚଳ ହେଲେ)

କାଜି

ଦାରା ଯୁବେୟାର, ଏଇ ଟେବୁଲ ଉପରେ ସଛିଦ୍ର ପାଣି ପାତ୍ର ରଖାଇଲି । ଏ ପାଣି ପାତ୍ରରୁ ପାଣି ସମ୍ପୂର୍ଣ୍ଣ ବହିର୍ଗତ ହେବାପୂର୍ବରୁ ତୁମର ବକ୍ତବ୍ୟ ଶେଷ କରିବାକୁ ହେବ ।

 

(ପାଣି ପାତ୍ର ରଖାଇଲେ)

ଦାରା

ଇରାନ୍‌ର ମହାମାନ୍ୟ ବିଚାରପତିଗଣ ! ମୁଁ ଜାଣେ ନା ମୋର ଜୀବନର କାହାଣୀ । କେଉଁଠାରୁ ଯେ ଆରମ୍ଭ କରିବି । ଖୋରାସାନ୍‌ର ଭୂତପୂର୍ବ ଯାଫର୍‌ସାହାଙ୍କୁ ମଧ୍ୟ ଆପଣମାନେ ଜାଣିଥିବେ । ଏ ହତଭାଗ୍ୟ ତାଙ୍କରି ସନ୍ତାନ । ଏହି ବିଶ୍ୱାସଘାତକ ନରପତି ବାଦ୍‌ସାହ ।

 

 

କାଜି

ସାବଧାନ ! ମୃତ ସମ୍ରାଟ୍‌ଙ୍କୁ ଅବମାନନା କର ନାହିଁ । ଶୀଘ୍ର ଶୀଘ୍ର ଯା କହିବାର କହ । ଜଳ ପାତ୍ରରେ ଜଳ ଆଉ ଖୁବ୍‌ କମ୍‌ ପରିମାଣରେ ଅଛି ।

ଦାରା

ମୁଁ ସ୍ୱୀକାର କରୁଛି, ମୋର ମହାନୁଭବ ପିତାଙ୍କ ହୀନ ମୃତ୍ୟୁର ପ୍ରତିଶୋଧ ମୁଁ ନିଜେ ନେଇଛି ।

କାଜି

(ବହିରେ କଣ ଲେଖି ଶୁଣାଇଲେ) ଦାରା ଯୁବେୟାର ତୁମର ଶାସ୍ତି ପ୍ରାଣଦଣ୍ଡ । କାଲି ସୂର୍ଯ୍ୟୋଦୟ ପୂର୍ବରୁ ତୁମ୍ଭର ଛିନ୍ନ ମସ୍ତକ ବଧ

ଭୂମି ସ୍ପର୍ଶ କରିବ । ପ୍ରହରୀ ! ଅପରାଧୀକୁ କାରାଗୃହକୁ ନେଇଯାଅ । (ପ୍ରସ୍ଥାନ)

ନାଦେର୍‌

(ଦାରାକୁ ଚାହିଁ ଶୋକ ଗଦ୍‌ଗଦ ହୋଇ ଫେରିଲେ, ଦାରାକୁ ପ୍ରହରୀ ନେଇଗଲେ)

ରାଣୀ

ଦାରା, ଦାରା, ଓଃ ଏ କରଣ ହେଲା ! ମୋର ସମ୍ମାନ ରଖିବା ଲାଗି ଆତ୍ମବଳି ଆକାତରେ ଦେଲା । ଓଃ ! (ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ

କାରାଗୃହ

୧ମ ପ୍ରହରୀ

ଆରେ ଗୋଟାଏ ରାତି ଖାଡ଼ା ଖାଡ଼ା ପାହିବ । ତୁ ତାଆସ ଫାଆସ ମୁଠାଏ ଆଣିଲୁ ନାହିଁ । ବସି ଯାଇଥାନ୍ତେ

୨ୟ

ତାଆସ ନାହିଁ, ପାଲି ମୁଠାକ ଅଛି । ତୋତେ ପାଲି ଖେଳିଆସେ ।

୧ମ

ଆରେ ଆସୁ ନ ଆସୁ ଗଡ଼େଇବା ଆଣେ । ମୋର ମୁଁ କଚେବାର ଦୋକେ ତିନି ପଚିଶ ।

୨ୟ

ପଚିଶ, ଉଠ୍‌ବେ ସେ କଉଡ଼ି ଖେଳ ।

୧ମ

ତୁ ଫିଟା (ପାଲି ଫିଟାଇ ବସିଲେ) ।

୨ୟ

(କାଠିଧରି) ଛ ତିନି ଗଡ଼ାଇ ଦେଲା ।

୧ମ

ମୋର (କାଠିଧରି) ନଅ ତିନି ।

୨ୟ

ଉଠୁ ବେ ତୋତେ କାଠି ଧରି ଆସେ ନାହିଁ ।

୧ମ

ତୋତେ ଭାରି କାଠିଧରି ଆସେ । ସେମିତି ରଗ ଚିଡ଼ାଉଛୁ ଧରି(ତେଣେ କବାଟରେ ଆଘାତ ଶୁଭିଲା) ଆରେ ଭାଇ କିଏ !

୨ୟ

ସକାଳ ହେଲା କିରେ !

୧ମ

ଆରେ ଯାଃ । ଏଇତ ବାରଟା ବାଜିଲା ।

 

(ପୁନଶ୍ଚ ଦ୍ୱାରରେ ଧକ୍‌କା ହେଲା)

୨ୟ

ହେଇ ଶୁଣ !

୧ମ

ଆଚ୍ଛା, ମୁଁ ଦେଖିଆସେଁ (ଚାଲିଯାଇ ଫେରି ଆସିଲା) ହେ ଗୋଟାଏ ଇସ୍ତ୍ରୀ ।

୨ୟ

ଇସ୍ତ୍ରୀ କଅଣ ବେ ।

୧ମ

ମାଇକିନିଆ ।

୨ୟ

ଦେଖିବାକୁ କେମିତି ।

୧ମ

ମୁଁ ଦେଖିଲି କେମିତି, ମୁହଁ ତ ଘୋଡ଼ାଇଛି ।

୨ୟ

ତା ହେଲେ ନିଶ୍ଚୟ ଖୁବ୍‌ ସୁନ୍ଦରୀ; ନ ହେଲେ ଖୁବ୍‌ ଅସୁନ୍ଦରୀ । ଏଇ ଦୁଇ ରମକ ମାଇକିନିଆ ମୁହଁ ଘୋଡ଼ାନ୍ତି । ଯା ଦ୍ୱାର ଖୋଲି ଦେ ।

୧ମ

(ଦ୍ୱାର ଖୋଲି ଦେବାରୁ ଆବରଣ ଢାଙ୍କି ଇରାନ୍‌ରାଣୀ ପ୍ରବେଶ କଲେ )

୨ୟ

କଅଣ କହିବା ହେଉଛନ୍ତି, ଆମଠାରେ କି କାର୍ଯ୍ୟ ।

ରାଣୀ

ଏ କାରାଗାରର ଅଧ୍ୟକ୍ଷ କିଏ ?

୧ମ

ମୁଁ ।

୨ୟ

ନାଇଁ, ମୁଁ ।

୧ମ

ଚୋପ୍‌, ମୋତେ କୁହନ୍ତୁ ।

୨ୟ

ନାଇଁ, ମୋତେ କୁହନ୍ତୁ ।

ରାଣୀ

ଯିଏ ହୁଅ, ଆସାମୀ ସଙ୍ଗେ ମୁଁ ଦେଖା କରିବାକୁ ଚାହେଁ ।

୧ମ

ତା ହେବ ନାହିଁ ।

ରାଣୀ

ଜାଣ ମୁଁ କିଏ ? (ମୁଦ୍ରିକା ଦେଖାଇଲେ)

୨ୟ

(ଚମକି ପଡ଼ି) ଆରେ ରାଣୀ ସାହେବା ! ପଳେଇଆ, ପଳେଇଆ ।

 

(ଦୁହେଁ ଯିବାକୁ ଉଦ୍ୟତ)

ରାଣୀ

ଶୁଣ, ଆସାମୀ କେତେବେଳେ ବଧ ଭୂମିକୁ ଯିବ ।

୧ମ

ରାତି ତିନିଘଣ୍ଟା । ମୋର ମନେହୁଏ, ସେ ବିଷ ଖାଇ ମରିବଣି ।

ରାଣୀ

ବିଷ ! ବିଷ କାହୁଁ ଆସିଲା ।

୧ମ

ସେଇ ଘରେ ଥାଏ । ଶୁଳୀ ଦିଆହେବା ଆସାମୀ ଯେଉଁ ଘରେ ବନ୍ଦିଥାଏ, ତା ନିକଟରେ ବିଷ ମଧ୍ୟ ରଖାଯାଇ ଥାଏ । ଯଦି ଆସାମୀ ବିଷ ଖାଇ ପ୍ରାଣ ହରାଏ, ତେବେ ଆଉ ବଧଭୂମି ପର୍ଯ୍ୟନ୍ତ ଯାଏ ନାହିଁ ।

ରାଣୀ

ଆଚ୍ଛା, ତୁମ୍ଭେମାନେ ଯାଅ (କହି ରାଣୀ ଭିତରକୁ ଗଲେ ) ।

୧ମ

ଭାଇ ଚିହ୍ନି ହେଲାନାହିଁ; ହାତ ଦୁଇଟି ବେଶ୍‌ ଗୋଲଗାଲ ହୋଇଛି ।

୨ୟ

ମୋତେ ଜଣାଯାଉଛି କୌଣସି ଦାସୀ ତା ସଙ୍ଗରେ ପ୍ରେମରେ ପଡ଼ିଥିଲା, ସେଥିପାଇଁ ଶେଷ ଦେଖା କରିବାକୁ ଆସିଛି । ବାପ ଲୋ ମରିଲାବେଳେ ମଧ୍ୟ ପ୍ରେମ । ଧନ୍ୟ ତୁମ ପ୍ରେମ ।

 

(ଉଭୟେ ପ୍ରସ୍ଥାନ)

ରାଣୀ

(ବିଷପାତ୍ର ଘେନି ପ୍ରବେଶି) ଏଇ ବିଷ (ଶୁଘିଂ) କି ଉଗ୍ର ଗନ୍ଧ । ଏଇ ସାମାନ୍ୟ ପଦାର୍ଥଟିର କି ଅଦ୍ଭୁତ ଶକ୍ତି । ଖାଇଲେ ଆଉ କିଛି ଯନ୍ତ୍ରଣା ରହିବ ନାହିଁ । ଶୋଣିତର ଦ୍ରୁତ ଗତି, ହୃଦୟର କମ୍ପନ, ଏଇ ନିଃଶ୍ୱାସ ପ୍ରଶ୍ୱାସ କିଛି ରହିବ ନାହିଁ । ମୁଁ ମରିଯିବି, ମୋର ଶରୀରକୁ ଫିଙ୍ଗି ଦେବେ । ଏଇ ସୁନ୍ଦର ବଳିଷ୍ଠ ଦେହ, ଯାହାକୁ କି ମୁଁ ଏତେ ଯତ୍ନ କରି ସଜାଇଛି । ଯାହାକୁ ଦେଖି ଦାରା ଭଲ ପାଇଛି । ନା, ନା, ଭଲ ତ ପାଇନାହିଁ, ବରଂ ଘୃଣା କରିଛି । ସେଇ ଦେହ ମାଟିରେ ପଡ଼ି ସଢ଼ିବ, ସେଥିରେ ପୋକ ହେବ । ଉଃ, ମୋର ଆତ୍ମାର କି ଗତି ହେବ (ଠନ୍‌ ଠନ୍‌ ଘଣ୍ଟା ଦୁଇଟା ବାଜିଲା) ଏଇ ସମୟର ଗତି କେହି ରୋଧକରି ପାରିବେ ନାହିଁ । ଏଇଥର ତ ସେଇ ଶେଷ ମୁହୂର୍ତ୍ତ ଆସିବ । ତେବେ ଆଉ ବିଳମ୍ୱ କାହିଁକି ? (ବିଷପାତ୍ରକୁ ଚାହିଁ) ଏଇ ଟିକକ ଖାଇଲେ ତ ସମସ୍ତ ଶେଷ ହୋଇଯିବ । ଯେଉଁ ପାପ କରିଛି ତା’ର ତ ଉପଯୁକ୍ତ ଶାସ୍ତି ଆଉ କିଛି ନାହିଁ । ଉଃ, ସେ ମୋ ପାଇଁ ମୃତ୍ୟୁକୁ ଆଲିଙ୍ଗନ କଲେ, ଆଉ ମୁଁ ପାରିବି ନାହିଁ !

 

( ବିଷପାନ କଲେ; ଏବଂ ଶେଷରେ ପାତ୍ର ଫିଙ୍ଗି ଦେବା ଶବ୍ଦରେ ଦାରା ଉଠିଆସିଲା )

ଦାରା

କିଏ ?

 

(ଉଭୟ ଉଭୟକୁ କିଛି ସମୟ ଚାହିଁ ରହିଲେ)

ରାଣୀ

ଦାରା ! ମୁଁ ତୁମ୍ଭଙ୍କୁ କ୍ଷମା ଭିକ୍ଷାମାଗିବାକୁ ଆସି ନାହିଁ । ମୁଁ ଜାଣେ, ମୁଁ କ୍ଷମାର ମଧ୍ୟ ଅଯୋଗ୍ୟ । ମୋପରି ପାପୀୟସୀ, ପିଶାଚିନୀ ପାଇଁ କ୍ଷମା ନାହିଁ (ନିଜର ଅଙ୍ଗାଭରଣ କାଢ଼ି) । ଯାଅ ଦାରା, ଏଇ ଅଙ୍ଗାଭରଣ, ଏଇ ମୁଦ୍ରିକା ନେଇ ଚାଲିଯାଅ । ଦ୍ୱାରଦେଶରେ ଦ୍ରୁତଗାମୀ ଅଶ୍ୱ ସଜ୍ଜିତ ଅଛି । ନିଅ ମୁଦି, ଯାଅ ଚାଲିଯାଅ ।

ଦାରା

ଏ କି କଥା !

ରାଣୀ

ବିଳମ୍ୱ କରନା, ନିଅ ଚାଲିଯାଅ । ଖୋଦା ତମକୁ ନିରାପଦରେ ରଖନ୍ତୁ ।

ଦାରା

(ସ୍ୱଗତଃ) ଜୀବନ ଯେ ଏତେ ମଧୁର, ତା ମୁଁ ଜାଣି ନଥିଲି ।

ରାଣୀ

ଯାଅ ଦାରା ସମୟ ହେଲାଣି, ଏହିକ୍ଷଣି ଜଲ୍ଲାଦ୍‌ ଆସିବ ।

ଦାରା

ଜଲ୍ଲାଦ ଆସୁ ।

ରାଣୀ

ଆଉ ମୋତେ ବିଶେଷ ଲଜ୍ଜା ଦିଅନା, ଯାଅ ଚାଲିଯାଅ । (ବ୍ୟସ୍ତ ହେଉଥାନ୍ତି)

ଦାରା

ଆଉ ତୁମେ ।

ରାଣୀ

ମୁଁ ତ ଯିବି, ମୋତେ ଆଉ କେହି ରକ୍ଷା କରି ପାରିବେ ନାହିଁ । ଶୁଣ ଦାରା ! (କ୍ରନ୍ଦନ କରି) ମୁଁ ବିଷ ଖାଇଦେଇଛି । ତୁମେ ପଳାଅ । ଏଇ ସମୟ ହେଲା, ଜଲ୍ଲାଦ ଆସିବ । ବିଚାରପତି ଆସିବେ । ଆଉ କେହି ତୁମ୍ଭଙ୍କୁ ରକ୍ଷା କରି ପାରିବେ ନାହିଁ ।

ଦାରା

କଅଣ କହିଲ, ତୁମେ ବିଷ ଖାଇଛ !

ରାଣୀ

ଖାଇବି ନାହିଁ, ପୁରୁଷ ହୋଇ ତୁମେ ମରିବାକୁ ଜାଣ, ଆଉ ମୁଁ ନାରୀ ହୋଇ ତା ପାରିବି ନାହିଁ ?

ଦାରା

କଅଣ କଲ ନାରି !

ରାଣୀ

ଯାହା ମୋପରି ପାପିନୀର କରିବା ଉଚିତ, ତାହାହିଁ କରିଛି । ଏମାନେ କାରାଗାରରେ ତୁମ ପାଇଁ ବିଷ ରଖିଥିଲେ; କିନ୍ତୁ ସେମାନଙ୍କର ଭ୍ରମ ସେମାନେ ଜାଣି ନଥିଲେ ଯେ ଅପରାଧୀ କିଏ । ଯାଅ, ମୁଁ ମୋର କାର୍ଯ୍ୟ କରିଛି, ତୁମେ ପଳାଅ ।

ଦାରା

ଭ୍ରମ ନୁହେ, ସେମାନେ ଠିକ୍‌ ବିଚାର କରିଛନ୍ତି । ଶାସ୍ତିର ଯୋଗ୍ୟା ତୁମ୍ଭେ ନୁହ । ମୁଁ ଜାଣେ ପ୍ରଲୋଭନର କି ମୋହନ ଶକ୍ତି । ପ୍ରେମ କିପରି ଉନ୍ମାଦ କରେ । ତୁମ୍ଭେ ତୁମ୍ଭର ସ୍ୱାମୀଙ୍କୁ ହତ୍ୟା କରିଛ, ତାର କାରଣ ତ ମୁଁ । ଯଦି ହତ୍ୟାର ଶାସ୍ତି ହୁଏ ମୃତ୍ୟୁ, ତା ହେଲେ ମୋର ବଞ୍ଚି ରହିବାର ମଧ୍ୟ କୌଣସି ଆବଶ୍ୟକ ନାହିଁ । ମନୁଷ୍ୟର ବିଚାରରେ ଯାହା ହେଉ ଖୋଦାଙ୍କର ବିଚାର ଅନୁସାରେ ତୁମ୍ଭ ପାପ ଅପେକ୍ଷା ମୋର ପାପ ଗୁରୁତର, କିନ୍ତୁ ମୁଁ ପୁରୁଷ । ମୋର ଦୃଢ଼ ହେବାର ଉଚିତ ଥିଲା, ତୁମର ଦୋଷ କଅଣ ?

ରାଣୀ

ତୁମେ ତା ହେଲେ ଯିବନାହିଁ ? ମୋର ସମସ୍ତ ଚେଷ୍ଟା ତେବେ ବ୍ୟର୍ଥ ହେଲା ? ମୃତ୍ୟୁକାଳରେ ମଧ୍ୟ ମୋର ଲଲାଟରେ ଟିକିଏ ଶାନ୍ତି ନାହିଁ ! ଓଃ, କି ପାପିୟସୀ ମୁଁ । (ବିଷ ଜ୍ୱାଳାରେ ଅସ୍ଥିର ହୋଇ ବସି ପଡ଼ିଲେ) ଦାରା, ଦାରା ! ପଳାଅ । ମୋର କଥା ରକ୍ଷାକର । ଏଇ ନରକ ମୋତେ ଗ୍ରାସ କରିବାକୁ ଧାଇଁ ଆସୁଛି । ଏଇ ରକ୍ତର ଢେଉ, ଉଃ, ନିଃଶ୍ୱାସରୁଦ୍ଧ ହୋଇଗଲା । କଣ୍ଠ ଶୁଷ୍କ । ଦାରା ! ଦାରା ! (ମୃତ୍ୟୁ) ।

ଦାରା

ଯା, ସବୁ ଶେଷ । ଅଭାଗିନୀ ନାରି ! ତୁମେ ଦେବୀ ହୋଇପାରିଥାନ୍ତ । କେବଳ ପୁରୁଷର ଅତ୍ୟାଚାରରେ, ଉତ୍ପୀଡ଼ନରେ, ଲାଞ୍ଛନାରେ, ତୁମର ଏହି ଶୋଚନୀୟ ପରିଣାମ । ରାଣୀ ! ତୁମେ ମରିଗଲ କିନ୍ତୁ ସେ ଅପରାଧ ପାଇଁ ଦାୟୀ ମୁଁ (ବାହାରେ ଶବ୍ଦ ଶୁଣି) ! ଏଇ ଶବ୍ଦ ଶୁଭୁଛି, ବୋଧହୁଏ ଜଲ୍ଲାଦ ଆସୁଛି, କିନ୍ତୁ ଜଲ୍ଲାଦ ହସ୍ତରେ ଆଉ ନୁହ । (ରାଣୀଙ୍କ ହସ୍ତରୁ ଛୁରା ନେଇ) ଏଇ ତ ଉପାୟ । ରାଣୀ, ତୁମେ ମରିବାକୁ ଜାଣ, ଆଉ ମୁଁ ଜାଣେ ନା ! ତୁମେ କେବଳ ନରହନ୍ତା କିନ୍ତୁ ନରହନ୍ତା ନାରୀହନ୍ତା ଦୁଇଟିର ମୁଁ ଆଜି ଏ ପ୍ରାଣ......, (ଛୁରା ଛାତିରେ ଲଗାଇଲା ବେଳେ)

ଗୁଲ୍ଲରା

(ହଠାତ୍‌ ପ୍ରବେଶି, ଛୁରା ଧରି ପକାଇ; ଛଡ଼ାଇ ଆଣି) ଦତ୍ତପହାରୀ, ବିଶ୍ୱାସଘାତକ, ତୁମ୍ଭର ପ୍ରାଣରେ ତୁମ୍ଭର କି ଅଧିକାର ? ସେ କଥା ସ୍ମରଣ କର ।

ଦାରା

ଗୁଲ୍ଲରା !

ଗୁଲ୍ଲରା

ହଁ ଗୁଲ୍ଲରା, ଥରେ ସେହି ବାଲ୍ୟ ଜୀବନ କଥା ମନେକର । ଥରେ ସେହି ଦ୍ରାକ୍ଷା କ୍ଷେତ୍ରକଥା ସ୍ମରଣକର । ସେହି ବିଷଧର ସର୍ପ କଥା ।

ଦାରା

ହଁ, ତୁମେ ବଞ୍ଚାଇଥିଲ ।

ଗୁଲ୍ଲରା

ସେଇ ଉପକାର ବିନିମୟରେ ତୁମ୍ଭେ ତୁମ୍ଭର ପ୍ରାଣ ମୋତେ ସମର୍ପି ଦେଇଥିଲ ।

ଦାରା

କିନ୍ତୁ ଗୁଲ୍ଲରା, ପ୍ରାୟଶ୍ଚିତ୍ତ ଯେ ପ୍ରୟୋଜନ । ଏହି ନାରୀ ନିଷ୍ପାପ, ନିଷ୍କଳଙ୍କ । ଏହାଙ୍କୁ ମୁଁ ନରହନ୍ତା କରିଛି (ଠନ୍‌ ଠନ୍‌ ଘଣ୍ଟା ତିନିଟା ବାଜିଲା । ) ଏଇ ଶୁଣ, ମୋର ମୃତ୍ୟୁର ଆହ୍ୱାନ । ତେବେ ଜହ୍ଲାଦ ଆସିଲା ।

ଗୁଲ୍ଲରା

ସେଥିପାଇଁ ଭୀତ ଆଉ ତ୍ରସ୍ତ ନୁହ, ଦାରା ! ତୁମେ ମୋତେ ପାଶୋରି ଦେଇଛ; କିନ୍ତୁ ତୁମ୍ଭର ଦଣ୍ଡାଦେଶ ଶୁଣି ମୁଁ ନାଦେର୍‌ ଖାଁଙ୍କୁ ଦେଖାକଲି, ସେ ତୁମ୍ଭର ରକ୍ଷା ପାଇବାର ଉପାୟ ଅବଲମ୍ୱନ କରି ନାନା କଳ୍ପନା ଜଳ୍ପନା କରୁଥିଲେ । ମୁଁ ରାଣୀଙ୍କୁ ତାଙ୍କର ପାପ ସମ୍ୱନ୍ଧେ ନାନା କଥା କହି ତାଙ୍କର ମନ ଏପରି ପରିବର୍ତ୍ତନ କରାଇ ଦେଲି ଯେ, ସେ ଆସିଥିଲେ କେବଳ ମୁକ୍ତି ଦେବା ପାଇଁ, କିନ୍ତୁ ଜାଣେ ନା ସେ ବିଷ ଖାଇ ଆତ୍ମହତ୍ୟା କରିବେ । ଆଉ ମଧ୍ୟ ନାଦେର୍‌ ଖାଁଙ୍କ ଇଙ୍ଗିତରେ ଖୋରାସାନ୍‌ର ଯୋଦ୍ଧାମାନେ ପ୍ରସ୍ତୁତ ଥିଲେ ଯେ କୌଣସି ମତେ ତୁମ୍ଭଙ୍କୁ ଶୂଳିରୁ ମୁକ୍ତ କରି ନେଇଥାନ୍ତେ ।

ଦାରା

ଗୁଲ୍ଲରା । (ପାଖକୁ ନେଲେ)

 

(ଏ ସମୟରେ କାଜି, ନାଦେର୍‌ ଖାଁ ରକ୍ଷୀ, ଜଲ୍ଲାଦ ପ୍ରବେଶ)

କାଜି

ଏ କଣ, ଏ କି ଘଟଣା, ଏ ତ ଇରାନ୍‌ର ରାଣୀ !

ନାଦେର୍‌

ସେ କଣ ?

କାଜି

(ରାଣୀଙ୍କୁ ଦେଖି) ରାଣୀ ମୃତା । ବିଷମ ସମସ୍ୟା, ଏ ଦାସୀ କିଏ ? ନାଦେର୍‌ ଖାଁ ! ତୁମ୍ଭେ ଏ ଗୁପ୍ତ ରହସ୍ୟ କଥା କିଛି ଜାଣ ?

ନାଦେର୍‌

ନା ।

କାଜି

(ଗୁଲ୍ଲରା ପ୍ରତି) ତୁମେ କିଏ ? ତୁମେ ଏଠାରେ କାହିଁକି ?

ଗୁଲ୍ଲରା

ମୁଁ ରାଣୀଙ୍କର ନୂତନ ଦାସୀ ! ରାଣୀ କାରାଗାରରେ ପ୍ରବେଶ କରି ମୋତେ ଦ୍ୱାର ଦେଶରେ ରହିବାକୁ ଆଦେଶ ଦେଲେ । ଆଉ ଏହି ବାକ୍‌ସଟି ମୋତେ ଦେଇ କହିଲେ, ଯଦି କାଜି ଆସନ୍ତି, ତେବେ ତାଙ୍କୁ ଏ ବାକ୍‌ସଟି ଦେଇଦେବ । ରାଣୀଙ୍କର ଫେରିବା ବିଳମ୍ୱ ଦେଖି ମୁଁ ଏଠାରେ ପ୍ରବେଶ କରି ଦେଖେ ଯେ ରାଣୀ ମୃତା ।

କାଜି

(ବାକ୍‌ସ ଖୋଲି ଖଣ୍ଡେ ପତ୍ର ପାଇ ତାକୁ ପାଠ କଲେ, ମନେ ମନେ ପାଠ କରିସାରି) ଜାଣିଲଣି ନାଦେର୍‌ ଖାଁ ? ଦାରାର କୌଣସି ଅପରାଧ ନାହିଁ । ଅପରାଧିନୀ ମୁଁ । ସ୍ୱାମୀକୁ ହତ୍ୟା କରିଛି, ମୋର ଅନ୍ତିମ ଭିକ୍ଷା, ଦାରାଙ୍କର ମୁକ୍ତି ଓ ଭାବୀ ରାଜ୍ୟର ଅଧିନାୟକତ୍ୱ । (ଦାରା ପ୍ରତି) ଦାରା ଯୁବେୟାର, ତୁମ୍ଭେ ନିର୍ଦ୍ଦୋଷରେ ମୁକ୍ତ ଓ ଏବେ ଇରାନ୍‌ର ଭାବୀ ସମ୍ରାଟ୍‌ । ଚାଲ ନାଦେର୍‌, ଦାରାଙ୍କର ଅଭିଷେକ ଉତ୍ସବର ଆୟୋଜନ କରିବା, ଆଉ ରାଜା ଓ ରାଣୀଙ୍କର ସମାଧି ପ୍ରତିଷ୍ଠା କରିବା ।

ନାଦେର୍‌

ତାପରେ ଦାରା ଖୋରାସାନର ପିତୃ ସିଂହାସନ ଆରୋହଣ କରିବ । ଆପଣଙ୍କୁ ମଧ୍ୟ ଏ ଉତ୍ସବରେ ଯୋଗ ଦେବାକୁ ପଡ଼ିବ । (ସମସ୍ତେ ପ୍ରସ୍ଥାନ)

 

(ଦାରା, ଗୁଲ୍ଲରା, କାଜି, ନାଦେର୍‌ ସାହା ଓ ପାରିଷଦବର୍ଗ)

କାଜି

ଆଜି ସ୍ୱର୍ଗତ ସାମ୍ରାଜ୍ଞୀଙ୍କ ଆଦେଶ ଅନୁଯାୟୀ ଦାରା ଯୁବେୟାରଙ୍କୁ ଇରାନ୍‌ର ସମ୍ରାଟ୍‌ରୂପେ ଅଭିଷିକ୍ତ କଲୁ ।

 

(ଦାରାକୁ ବସାଇଲେ, ସମସ୍ତେ କରତାଳି ଦେଲେ)

ଦାରା

ଆପଣମାନଙ୍କ ଦୟାରେ ମୁଁ ଚିରଋଣୀ । ମୋର ଅନୁରୋଧ ମୁଁ ମୋ ମୃତ ପିତୃସିଂହାସନ ଖୋରାସାନ୍‌ ଅଧିକାର କରିବି । ତେଣୁ ମୋର ଅନୁପସ୍ଥିତିରେ ମୋର ପିତୃତୁଲ୍ୟ ନାଦେର୍‌ ଖାଁ ଏଠାକାର ସମସ୍ତ କାର୍ଯ୍ୟ ନିର୍ବାହ କରିବେ ।

 

(ପାରିଷଦ ଓ କାଜି ତାଳିଦେଲେ)

ନାଦେର୍‌

ଏ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ମୁଁ ନିତାନ୍ତ ଅକ୍ଷମ । ତଥାପି ରାଜାଦେଶ ପାଳନ କରିବାକୁ ବାଧ୍ୟ । ମୋର ଆଦେଶ ଆଜି ଇରାନ୍‌ବାସୀ ସ୍ୱର୍ଗତଃ ରାଜା ଓ ରାଣୀଙ୍କ ସଦ୍‌ଗତି ବିଧାନପାଇଁ ପ୍ରାର୍ଥନା କରନ୍ତୁ । ନୂତନ ରାଜାଙ୍କ ଆନୁକୂଲ୍ୟରେ ନୂତନ ପାନ୍ଥଶାଳା, ପୁଷ୍କରିଣୀ ପ୍ରତିଷ୍ଠା ହେଉ । ପ୍ରଜାମାନଙ୍କୁ ରାଜସ୍ୱ ଏକ ବର୍ଷ ପାଇଁ ଛାଡ଼ ଦିଆଯାଉ । କାରାରୁଦ୍ଧ ବ୍ୟକ୍ତିମାନଙ୍କୁ ମୁକ୍ତି ଦିଆଯାଉ । ଦୀନ ଦରିଦ୍ରମାନଙ୍କୁ ଅନ୍ନଛତ୍ର ଦିଆଯାଉ । ଆଉ ବିଚାରାଧୀନ ଥିବା ମୋକଦ୍ଦମାର ଆସାମୀମାନଙ୍କୁ ଏଠାକୁ ଅଣାଯାଇ ଦୋଷୀ କ୍ଷମା ପ୍ରାର୍ଥନା କରି ଏଠାରୁ ବିଦାୟ ନେଉ ।

 

(ଅନ୍ଧ ଓ ବାଳିକା ପ୍ରବେଶ କଲେ ତତ୍‌ପଶ୍ଚାତ୍‌ ଇଉସୁଫ୍‌ ଓ ହୋସେନ୍‌ ବନ୍ଦିହୋଇ ପହଞ୍ଚିଲେ)

ଦାରା

ଇଉସୁଫ୍‌ ତୁମେ (ଇଉସୁଫ୍‌ କାନ୍ଦି ପକାଇଲେ)

ନାଦେର୍‌

ସେ ସମସ୍ତ ଘଟଣା ମୁଁ ଆଦ୍ୟ ପ୍ରାନ୍ତ ସମସ୍ତ ପରେ ଶୁଣାଇବି । ଆଚ୍ଛା, ବାଳିକା, ପ୍ରକୃତ ସତ୍ୟ କୁହ । ତୁମ୍ଭଙ୍କୁ ପ୍ରକୃତ ଆକ୍ରମଣ କରିଥିଲେ କିଏ ଓ ଉଦ୍ଧାରକର୍ତ୍ତା କିଏ ।

ବାଳିକା

(ହୋସେନକୁ ଚାହିଁ) ଏଇ ଯୁବକ ଆକ୍ରମଣକାରୀ ଓ ଇଉସୁଫ୍‌କୁ ଚାହିଁ) ଏ ଯୁବକ ମୋର ଉଦ୍ଧାର କର୍ତ୍ତା ।

ନାଦେର୍‌

ଆଉ ବେଶି କିଛି ପ୍ରମାଣ ଆବଶ୍ୟକ ନାହିଁ । ହୋସେନ୍‌, ତୁମ୍ଭେ ପ୍ରକୃତରେ ଯଦି ଦୋଷୀ, କ୍ଷମା ପ୍ରାର୍ଥନା କର, ଏ ଶୁଭମୁହୂର୍ତ୍ତରେ ।

ହୋସେନ୍‌

ମୁଁ ଅପରାଧୀ, କ୍ଷମା ମୁଁ ଚାହେଁ ।

ନାଦେର୍‌

ଯାଅ ବାଳିକା ତୁମ୍ଭେ ତୁମ୍ଭର ଅନ୍ଧ ଭାଇଟିକୁ ନେଇ ବିଦାୟ ହୁଅ ।

ଅନ୍ଧ

ହଜରତ୍‌, ମୋର ବଡ଼ ସୌଭାଗ୍ୟ । ଅପହୃତା ରମଣୀର ଯେ ସାହାଯ୍ୟକର୍ତ୍ତା ତାଙ୍କୁ ମୁଁ ଏ ରାଜଦରବାରର ସର୍ବସମକ୍ଷରେ ମୋର ଭଗ୍ନୀଟି ଅର୍ପଣ କଲି । (ସମସ୍ତେ କରତାଳି ଦେଲେ, ଇଉସୁଫ୍‌କୁ ଅନ୍ଧ ବାଳିକାଟିକୁ ସମର୍ପି ଦେଲେ ।)

ନସିର୍‌

(ବେଗେ ପ୍ରବେଶ) ଦାରା ମୋର ସିଂହାସନ ଅଧିକାର କରିଛି, ମୁଁ ଟିକେ ଦେଖି ମୋର ନୟନ ସାର୍ଥକ କରେ ।

ଦାରା

ଚୌକିରୁ ଓହ୍ଲାଇ ଆସି (ଚଚ୍ଚା, ଚଚ୍ଚା, ହାତ ଧରି ଉଠାଇ ନେଲେ) ଚଚ୍ଚା, ଚଚ୍ଚା, ଏଇ ଯେ ଇଉସୁଫ୍‌ ଭାଇ, ନୂଆ ଭାବୀ ତାଙ୍କ ସଙ୍ଗରେ ।

ନସିର୍‌

ମୋ ଗୁଲ୍ଲରା ?

ନାଦେର୍‌

ନାସିର୍‌ ଖାଁ, ଏଇ ତୁମ ଗୁଲ୍ଲରା ସର୍ବ ସୁଲକ୍ଷଣୀ, ବୁଦ୍ଧି ବିଚକ୍ଷଣା, ସୁଗୁଣ ସମ୍ପନ୍ନା କନ୍ୟାକୁ ଆଜି ଦାରା ଯୁବେୟାରଙ୍କ ହସ୍ତରେ ଅର୍ପଣ କଲି ।

ସମସ୍ତେ

ତାଳି ଦେଲେ ।

ନସିର

ମୋବାରକ୍‌ ସାହେବ; ଯେ ଗୁଣୀ ସେ କେଭେଁ ନିଜର ପ୍ରଶଂସା କରେ ନାହିଁ । ତୁମେ ଯେଉଁ ସମ୍ମାନ ପ୍ରଦର୍ଶନ କଲ, ଯେଉଁ ଗୁଣାଳଙ୍କାରରେ ଉତ୍ତିଷ୍ଠ କଲ ତେତେଦୂର ଯୋଗ୍ୟ ମୁଁ ନୁହେଁ । ମୁଁ ଦରିଦ୍ର, ମୋର କି ସାଧ୍ୟ । ସମସ୍ତ ତୁମରି ଯୋଗୁଁ । ଆଜି ଇରାନ ସଙ୍ଗେ ଖୋରାସାନ ଗଗନରେ ନବୀନ ସୂର୍ଯ୍ୟର ଉଦୟ ହେଲା । ନବୀନ ସମ୍ରାଟ୍‌ଙ୍କ ଜୟ ଘୋଷଣା କରି ଆସି କୃତାର୍ଥ ଲଭିବା

(ସମସ୍ତେ ଦାରା ଯୁବେୟାରଙ୍କ ଜୟ)

(କରତାଳି ଦେଲେ)

(ଯବନିକା ପତନ)